ଠୁଳ ହେଉଛନ୍ତି ଭାରତ ଓ ଚୀନ ସେନା ! ଡୋକଲାମରେ ଯୁଦ୍ଧ ପରିସ୍ଥିତି

53

କନକ ବ୍ୟୁରୋ: ସିକ୍କିମ ସେକ୍ଟରର ଡୋକଲାମରେ ଭାରତ-ଚୀନ୍ ସୀମା ବିବାଦକୁ ନେଇ ଉତ୍ତେଜନା ବଢ଼ୁଥିବା ବେଳେ ଚୀନ୍ ସେଠାକୁ ଅଧିକ ସେନା ପଠାଇଥିବା ଖବର ମିଳିଛି । ସେନାକୁ ଡୋକଲାମଠାରୁ ଏକ କିଲୋମିଟର ଦୂରରେ ମୁତୟନ କରାଯାଇଛି ।

ଡୋକଲାମରୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ, ଚୀନ୍ ସେଠାରେ ସୈନ୍ୟ ସଂଖ୍ୟା ବଢ଼ାଇଛି । ଡୋକଲାମର ଏକ କିଲୋମିଟର ଦୂରରେ ଏହି ସେନାଙ୍କୁ ମୁତୟନ କରାଯାଇଛି । ଡୋକଲାମରେ ଚୀନର ୩୦୦ ସୈନ୍ୟ ରହିଥିବା ବେଳେ ଏହାର ଆଖପାଖ ଅଞ୍ଚଳରେ ୮୦୦ ସୈନ୍ୟଙ୍କୁ ରଖିଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି ।

ଅପରପକ୍ଷରେ ଭାରତ ମଧ୍ୟ ଚୀନ୍ ସୀମାକୁ ଅଧିକ ସେନା ପଠାଇଥିବା ରିପୋର୍ଟ ମିଳିଛି । ପଶ୍ଚିମବଙ୍ଗର ସିଲିଗୁଡ଼ି ନିକଟ ସୁକନା ସେନା ଘାଟିରୁ ଭାରତୀୟ ଯବାନଙ୍କୁ ସିକିମ ସୀମାନ୍ତକୁ ହେଲିକପ୍ଟର ଦ୍ୱାରା ନିଆଯାଉଛି । ସୁକନାରେ ଅବସ୍ଥାପିତ ୩୩ କର୍ପସର ୩୦ରୁ ୪୦ ହଜାର ଯବାନଙ୍କୁ ଚୀନ୍ ସୀମାକୁ ଯିବାକୁ ନିର୍ଦ୍ଦେଶ ମିଳିଛି । ଗତ ତିନିସପ୍ତାହ ମଧ୍ୟରେ ୩୩ କର୍ପସର ୬୦ ପ୍ରତିଶତ ଯବାନ ସେଠାକୁ ଯାଇ ସାରିଲେଣି ।

ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି ନହେବା ପାଇଁ ଏହି ଯବାନମାନଙ୍କୁ ପ୍ରତିଦିନ ଧୀରେଧୀରେ ସେଠାକୁ ନିଆଯାଉଛି । ଚୀନ୍ ସୀମାର ୫୦୦ ମିଟରରୁ ୨୦ କିମି ମଧ୍ୟରେ ସେମାନଙ୍କୁ ମୁତୟନ କରାଯାଇଛି । ତେବେ ଚୀନ୍ ସୀମାନ୍ତର ପାହାଡ଼ିଆ ଅଞ୍ଚଳରେ ଯୁଦ୍ଧ କରିବାକୁ ଉଚ୍ଚତାଲିମପ୍ରାପ୍ତ ପାର୍ବତ୍ୟ ଡିଭିଜନକୁ ଗାଙ୍ଗଟକରୁ ସ୍ଥାନାନ୍ତରିତ କରାଯାଇନଥିବା ଜଣାପଡ଼ିଛି । ଯେକୌଣସି ଅପ୍ରୀତିକାର ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦେଶ ରହିଛି । ତେବେ ସେଠାରେ ଗ୍ରାମାଞ୍ଚଳ ଖାଲି କରାଯାଉଥିବା ଖବରକୁ ସେନା ଖଣ୍ଡନ କରିଛି ।

ଇତିମଧ୍ୟରେ ଡୋକଲାମ ଚୀନ୍ ଅଞ୍ଚଳ ବୋଲି ଭୁଟାନ ସ୍ୱୀକାର କରିଥିବା ନେଇ ଗତକାଲି ଚୀନ୍ ବିଦେଶ ମନ୍ତ୍ରାଳୟର ଉପମହାନିର୍ଦ୍ଦେଶକ ଓ୍ଵାଙ୍ଗ ୱେନଲି ଗଣମାଧ୍ୟମକୁ କହିଥିବାରୁ ଭୁଟାନ ଏହାର ନିନ୍ଦା କରିଛି । ଭୁଟାନ କହିଛି ଯେ ଚୀନ୍ ସହ ଏହାର ସୀମା ବିବାଦକୁ ନେଇ ହୋଇଥିବା ବୁଝାମଣାରେ ଉଭୟ ପକ୍ଷ ୧୯୫୯ ମାର୍ଚ୍ଚ ପୂର୍ବର ସ୍ଥିତାବସ୍ଥା ବଜାୟ ରଖିବେ ବୋଲି ନିଷ୍ପତ୍ତି ହୋଇଥିଲା । ଏବେ ଚୀନ୍ ଡୋକଲାମଠାରେ ରାସ୍ତା ନିର୍ମାଣ କରିବା ଅନ୍ତର୍ଜାତୀୟ ଆଇନର ବିରୋଧାଚରଣ କରୁଛି । ଭୁଟାନ ସହ ଚୀନ୍ର କୂଟନୈତିକ ସମ୍ପର୍କ ନଥିବାରୁ ଏହା ଅନ୍ୟ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଡୋକଲାମ ନିଜ ଅଂଚଳ ନୁହେଁ ବୋଲି ଚୀନକୁ ଜଣାଇଥିବା ନେଇ ଓ୍ଵାଙ୍ଗ ୱେନଲି ଗତକାଲି ଦେଇଥିବା ବୟାନ ସମ୍ପୂର୍ଣ୍ଣ ମିଛ ବୋଲି ଭୁଟାନ ସରକାର ଗଣମାଧ୍ୟମକୁ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଡୋକଲାମଠାରେ ଚୀନର ରାସ୍ତା ନିର୍ମାଣକୁ ଗତ ଜୁନ୍ ୧୬ରେ ଭାରତୀୟ ସେନା ବନ୍ଦକରିବା ପରେ ଦୁଇ ସେନା ଗତ ୭ ସପ୍ତାହ ହେଲା ସେଠାରେ ମୁହାଁମୁହିଁ ହୋଇ ରହିଛନ୍ତି । ଚୀନ୍ ଏହାକୁ ନିଜ ଅଞ୍ଚଳ ବୋଲି ଦାବି କରିଆସିଥିବା ବେଳେ ଭାରତ ଏହାକୁ ଭୁଟାନ ଅଞ୍ଚଳ ବୋଲି କହିଛି । ଭୁଟାନ ମଧ୍ୟ ଡୋକଲାମ ତା ନିଜ ଅଂଚଳ ବୋଲି ଦାବି କରିଛି । ସିକ୍କିମ ସେକ୍ଟରରେ କୌଣସି ପକ୍ଷ ଏକତରଫା ଭାବେ ସ୍ଥିତାବସ୍ଥା ପରିବର୍ତ୍ତନ କରିବେ ନାହିଁ ବୋଲି ୨୦୧୨ରେ ଭାରତ ସହ ଚୀନ୍ ଚୁକ୍ତି କରିଥିବା ବେଳେ ଏବେ ସେଠାରେ ରାସ୍ତା ନିର୍ମାଣ କରୁଥିବାରୁ ଏହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଭାରତ ଚୀନକୁ ଜଣାଇଛି ।

ଏହାସତ୍ତ୍ୱେ ଚୀନ୍ ସରକାର ଓ ଚୀନ୍ ସେନା ଏହି ଚୁକ୍ତି ପ୍ରତି ଆଖିବୁଜି ଦେଇ ଡୋକଲାମକୁ ନିଜ ଅଞ୍ଚଳ ବୋଲି ଦାବି କରିବା ସହ ଭାରତ ସେଠାରୁ ସେନା ପ୍ରତ୍ୟାହାର କରିବାକୁ ଧମକ ଦେଇ ଆସିଛନ୍ତି। ଏହି ସମସ୍ୟାର ସମାଧାନ ନିମନ୍ତେ ଉଭୟ ପକ୍ଷ ସେଠାରୁ ସେନା ଅପସାରଣ କରି ଆଲୋଚନା ଆରମ୍ଭ କରିବାକୁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରସ୍ତାବ ଦେଇଥିବା ବେଳେ ଚୀନ୍ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି। ଏହି ପ୍ରସଙ୍ଗରେ ଚୀନ୍ ଆଦୌ ସାଲିସ କରିବ ନାହିଁ ଓ ଭାରତକୁ ପ୍ରଥମେ ସେନା ପ୍ରତ୍ୟାହାର କରିବାକୁ ପଡ଼ିବ ବୋଲି କହିଛି। ଅଚଳାବସ୍ଥାର ସମାଧାନ ପାଇଁ ଚୀନ୍ ସହ କୂଟନୈତିକ ସ୍ତରରେ ଆଲୋଚନା ଚାଲିଛି ବୋଲି ଭାରତ ସରକାର କହିଛନ୍ତି।