‘ଗାଜା’ ଚାଲିଗଲା ହେଲେ ଟଳିନି ବିପଦ : ପୁଣି ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଲାକ୍ଷାଦ୍ୱୀପ ଆଡକୁ ହେଉଛି ଅଗ୍ରସର

ପ୍ରଭାବରେ ୭ଟି ଜିଲ୍ଲାରେ ବର୍ଷା ସହ ପବନ ସମ୍ଭାବନା

172

କନକ ବ୍ୟୁରୋ: ଆରବ ସାଗରରେ ପୁଣି ଘନିଭୂତ ହେଉଛି ସାମୁଦ୍ରିକ ଝଡ ଗାଜା । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ଆଗାମୀ ୧୨ ଘଂଟା ମଧ୍ୟରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ବର୍ତମାନ ଏହା ଡିପ ଡିପ୍ରେସନ ଆକାରରେ ଦକ୍ଷିଣ-ପୂର୍ବ ଆରବ ସାଗରରେ ରହିଛି । ଘଂଟା ପ୍ରତି ୧୮ କିଲୋମିଟର ବେଗରେ ଗାଜା ଆରବ ସାଗରରେ ଅଗ୍ରସର ହେଉଥିବା ପାଣିପାଗ ବିଭାଗ କହିଛି । ତେବେ ଚିନ୍ତାର ବିଷୟ ହେଉଛି, ସ୍ଥଳଭାଗକୁ ହିଟ୍ କରିବା ପରେ ଦୁର୍ବଳ ହୋଇପଡିଥିବା ସାମୁଦ୍ରିକ ଝଡ ଧିରେଧିରେ ଘନୀଭୂତ ହୋଇ ପଶ୍ଚିମରେ ଲାକ୍ଷାଦ୍ୱୀପ ଆଡକୁ ଅଗ୍ରସର ହେଉଛି । ଏହାର ପ୍ରଭାବରେ ତାମିଲନାଡୁର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଅନ୍ୟପଟେ, ଘୂର୍ଣ୍ଣିଝଡ ଗାଜା ତାମିଲନାଡୁ ଉପକୂଳ ଗତି କରି ଯାଇସାରିଛି । ଗାଜା ଆଣିଥିବା ପ୍ରଳୟରେ ମୃତ୍ୟୁ ସଂଖ୍ୟା ୩୫ରେ ପହଂଚିଛି । ଘଂଟା ପ୍ରତି ୧୨୦ କିଲୋମିଟର ବେଗରେ ହୋଇଥିବା ପବନ ଓ ପ୍ରବଳ ବର୍ଷାରେ ଘର ଭାଙ୍ଗିିଯିବା ସହ ବଡ ବଡ ଗଛ ଉପୁଡି ପଡିଛି । ଗାଜାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନାଗପଟ୍ଟିନମ ଜିଲ୍ଲା । ସବୁଆଡେ ବଡ ବଡ ଗଛ ଓ ବିଦ୍ୟୁତ ଖୁଂଟ ଭାଙ୍ଗି ଯାଇଥିବା ବେଳେ ଘରଦ୍ୱାର ମଧ୍ୟ ମାଟିରେ ମିଶିଛି ।

ସେପଟେ ଗାଜା ଅତିକ୍ରମ କରିବାର ଦୁଇ ଦିନ ପରେ ମଧ୍ୟ ସହରରେ ବିଦ୍ୟୁତ ସରାବରାହ ବନ୍ଦ ରହିଛି । ଏହାରି ମଧ୍ୟରେ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଅଂଟା ଭିଡିଛନ୍ତି ନାଗପଟ୍ଟିନମ ବାସୀ । ଗାଜାରେ ପ୍ରଭାବିତ ପ୍ରାୟ ୮୧ହଜାର ୯ଶହ ୪୮ ଲୋକଙ୍କୁ ଉଦ୍ଧାର କରାଯାଇ ଶିବିରରେ ରଖାଯାଇଛି । ଏବଂ ତାଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । କ୍ଷୟକ୍ଷତିର ଆକଳନ କରାଯାଉଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସେପଟେ ପ୍ରଭାବିତଙ୍କ ସହାୟତା ପାଇଁ ରାଜ୍ୟ ସରକାର ୪ଶହ ୭୧ଟି ଶିବିର ଖୋଲିଛନ୍ତି ।