ଏଣିକି ପୁଲିସ୍ ଷ୍ଟେସନ ନଯାଇ ଘରେ ବସି କରିପାରିବେ ଅଭିଯୋଗ ଦାଖଲ : ଅତିଶୀଘ୍ର କେନ୍ଦ୍ର ସରକାର କରିବାକୁ ଯାଉଛନ୍ତି ଏହି ପୋର୍ଟାଲର ଶୁଭାରମ୍ଭ

46

କେନ୍ଦ୍ର ସରକାର ଅତି ଶୀଘ୍ର ସମସ୍ତ ରାଜ୍ୟ ପାଇଁ ‘ସିଟିଜେନ୍ ସେଣ୍ଟ୍ରିକ ପୋର୍ଟାଲ’ ଆରମ୍ଭ କରିବାକୁ ଯାଉଛି । ନାଗରିକ ଏହି ପୋର୍ଟାଲରେ ୭ଟି ଅପରାଧ ଓ ତା’ ସହ ଜଡିତ ସେବାଗୁଡିକୁ ଅନଲାଇନ୍ ଅଭିଯୋଗ ଦାଖଲ କରିପାରିବେ ଓ ଏଫଆଇଆର ରୁଜୁ କରିପାରିବେ । ପୋର୍ଟାଲ ଜରିଆରେ ନାଗରିକ ନିଜର ସାମ୍ଭାବିକ ଘରୋଇ ସହାୟକ, ଡ୍ରାଇଭର, ଭଡାଟିଆ ଆଦିଙ୍କ ବିଷୟରେ ଯାଂଚ ବି କରିପାରିବେ । କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଏହି ପୋର୍ଟାଲ ଗୃହ ମନ୍ତ୍ରାଳୟର ‘ସ୍ମାର୍ଟ’ ପୋଲିସର ଧାରଣା ଉପରେ ଆଧାରିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ପୁଲିସ୍ ପ୍ରମୁଖଙ୍କ ବାର୍ଷିକ ବୈଠକରେ ଏହି ଅବଧାରଣାର ପକ୍ଷ ରଖିଥିଲେ । ଏଥିରେ ‘ଏସ୍’ ଆଧୁନିକ ଓ ଗତିଶୀଳକୁ ସୂଚାଏ, ‘ଏ’ ଅର୍ଥାତ୍ ସତର୍କ ଓ ଉତ୍ତରଦାୟୀ, ‘ଆର’ ଅର୍ଥାତ୍ ବିଶ୍ୱସନୀୟ ଓ ପ୍ରତିକ୍ରିୟାଶୀଳ, ‘ଟି’ ସୂଚାଏ ଟେକନିକ ଜ୍ଞାନ କୈାଶଳ ରଖିଥିବା ଓ ପ୍ରଶିକ୍ଷଣ ଥିବା ।

ପୋର୍ଟାଲ ଜରିଆରେ ସାର୍ବଜନିକ କାର୍ଯ୍ୟକ୍ରମର ଅନୁମତି ନିଆଯାଇପାରିବ । ଏହା ସହିତ ବାହାନ ଚୋରି ଅଭିଯୋଗ ବି ରୁଜୁ କରାଯାଇପାରିବ । ସଂପର୍କିତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସୁରକ୍ଷା ଓ ରାଷ୍ଟ୍ରୀୟ ସୁରକ୍ଷା କାରଣରୁ ପୋର୍ଟାଲରୁ ଅପରାଧ ସଂପର୍କିତ ଆକଳନ ଓ ରିପୋର୍ଟ କେବଳ ଅଧିକୃତ ପୁଲିସ୍ ଅଧିକାରୀ ହିଁ ସର୍ଚ୍ଚ କରିପାରିବେ ।