କୋଣାର୍କ ଗଣନାଟ୍ୟ ନାଁରେ ଏତଲା ! ଦିବ୍ୟାଙ୍ଗଙ୍କୁ ନେଇ ବିବାଦୀୟ ନାଟକର ନାଁ ରଖିବାରୁ ଜୋରଦାର ବିରୋଧ ।

1,680

କନକ ବ୍ୟୁରୋ: ଖଣ୍ଡଗିରି ମେଳାରେ ନାଟକର ନାମକରଣକୁ ନେଇ ହଙ୍ଗାମା । ‘କୋଣାର୍କ ଗଣନାଟ୍ୟ’ର ଏକ ନାଟକ ନାମକରଣକୁ ବିରୋଧ କରି ରାଷ୍ଟ୍ରୀୟ ଦିବ୍ୟାଙ୍ଗ ଜନ ସଂଘ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛି। ଖଣ୍ଡଗିରି ଥାନା ପୁଲିସ ସଂଘର ଏତଲାକୁ ଗ୍ରହଣ କରି ମାମଲାର ଆଇନଗତ ଦିଗ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବିବାଦୀୟ ନାଟକ ପୋଷ୍ଟର ଓ ହୋର୍ଡ଼ିଂକୁ ହଟାଇ ଦେଇଛନ୍ତି କୋଣାର୍କ ଗଣନାଟ୍ୟ କର୍ତ୍ତୁପକ୍ଷ ।

ସୂଚନା ମୁତାବକ ଖଣ୍ଡଗିରି ପେଣ୍ଡାଲରେ କୋଣାର୍କ ଗଣନାଟ୍ୟ ଦିବ୍ୟାଙ୍ଗଙ୍କ ଉପରେ ବିବାଦୀୟ ନାମକରଣ ଥିବା ନାଟକକୁ ମଞ୍ଚସ୍ଥ କରିବ ବୋଲି ଏକ ହୋର୍ଡିଂ ଲଗାଇଥିଲା। ଏହି ନାଟକକୁ ରାଷ୍ଟ୍ରୀୟ ଦିବ୍ୟାଙ୍ଗ ଜନସଂଘ ବିରୋଧ କରି ଗତକାଲି କୋଣାର୍କ ଗଣନାଟ୍ୟ ବିରୋଧରେ ପ୍ରତିବାଦ କରିବାକୁ ଚେତାବନୀ ଦେଇଥିଲେ । ଆଜି ପୂର୍ବାହ୍ନ ୧୦ଟାରେ ସଂଘ ପକ୍ଷରୁ ଖଣ୍ଡଗିରି ପେଣ୍ଡାଲରେ ଲଗା ଯାଇଥିବା ବ୍ୟାନର୍ ଓ ହୋର୍ଡିଂକୁ ପୋଡ଼ା ଯିବାର ଥିଲା। କିନ୍ତୁ ସକାଳୁ ସକାଳୁ ପେଣ୍ଡାଲ ନିକଟରୁ ଏହି ହୋର୍ଡିଂ ଓ ବ୍ୟାନରକୁ ବାହାର କରି ନିଆଯାଇଥିବା ଦେଖିବାକୁ ମିଳିଛି ।

ସେପଟେ ସଂଘ ପେଣ୍ଡାଲକୁ ନ ଯାଇ ସିଧା ଖଣ୍ଡଗିରି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛି । ସଂଘର ଅଭିଯୋଗ ଅନୁସାରେ ନାଟକର ନାମକରଣ ଦିବ୍ୟାଙ୍ଗମାନଙ୍କ ସମ୍ମାନରେ ଆଞ୍ଚ ଆଣୁଛି ଓ ସେମାନଙ୍କ ମାନବଅଧିକାରକୁ କ୍ଷୂର୍ଣ୍ଣ କରୁଛି । ଏବେ ସମାଜରେ ଦିବ୍ୟାଙ୍ଗମାନଙ୍କୁ ଲୋକେ ସମ୍ମାନ ଦେବା ଆରମ୍ଭ କରିଥିବାବେଳେ ଏହି ଯାତ୍ରା ଦଳ ଦିବ୍ୟାଙ୍ଗମାନଙ୍କ ନାମକୁ ନେଇ ବେପାର କରିବାକୁ ବସିଛି। ତେଣୁ ନାଟକକୁ ସଂପୂର୍ଣ୍ଣ ବାତିଲ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ସଂଘ କହିଛି ।