କନକ ବ୍ୟୁରୋ : ଖାଲୁଆ ହେଉ କି’ ଅଳ୍ପ ଶୁଖିଲା ଜମି । ମରୁଡ଼ି ମାଡ଼ ହେଉ ବା ବନ୍ୟା ପ୍ରପୀଡ଼ିତ ଅଂଚଳ । ସବୁ ପାଣିପାଗରେ ଅଧିକ ଅମଳ ହେଇପାରିବ ଧାନ । ବୃଥା ଯିବନି ଚାଷୀର ହାଡ଼ଭଙ୍ଗା ପରିଶ୍ରମ । ଏଥିପାଇଁ ଉଦ୍ଭାବନ ହୋଇଛି ୫ଟି ନୂଆ କିସମର ଧାନ ବିହନ । ମୁଖ୍ୟ ରୋଗ ପୋକ ଦାଉରୁ ରକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ଏହି ବିହନକୁ ଉଦ୍ଭାବନ କରିଛନ୍ତି ଜାତୀୟ ଧାନ ଗବେଷଣା କେନ୍ଦ୍ର(ଏନ୍ଆର୍ଆର୍ଆଇ)ର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଶରତ କୁମାର ପ୍ରଧାନ । ସନ୍ଥକବି ଭୀମଭୋଇ ଏବଂ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ୨ଟି ‘ସନ୍ଥଭୀମ’ ଓ ‘ସୁଭାଷ’ ବିହନ ନାମିତ କରାଯାଇଥିବା ବେଳେ ଅନ୍ୟ ୩ଟିର ନାମ ‘ରୁଚି’, ‘ସରୁମିନା’ ଓ ‘ମହାମଣି’ ରଖାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖନୀୟ କଥା ହେଉଛି, ଏ ପାଞ୍ଚ କିସମ ବିହନର ଧାନ ଗଛରେ ମୁଖ୍ୟ ରୋଗପୋକ କୁହାଯାଉଥିବା ପତ୍ରପୋଡ଼ା, କାଣ୍ଡବିନ୍ଧା, ଚକଡ଼ା ଇତ୍ୟାଦି ସହଜରେ ଲାଗିବ ନାହିଁ । ଫସଲ କ୍ଷତିଗ୍ରସ୍ତ ହେବା ସମ୍ଭାବନା କ୍ଷୀଣ। ପ୍ରତିକୂଳ ପରିସ୍ଥିତିରେ ବି ଧାନ ଅଧିକ ଅମଳ ହେବ, ଏ ଭରସା ଚାଷୀଙ୍କୁ ଦେଇଛନ୍ତି ଓଡ଼ିଆ ବୈଜ୍ଞାନିକ ଡକ୍ଟର ପ୍ରଧାନ । ସରକାରଙ୍କ ଅନୁମୋଦନ ପରେ ଖୁବ୍ଶୀଘ୍ର ଏହି ୫ କିସମର ବିହନ ଚାଷୀଙ୍କ ପାଖରେ ପହଞ୍ଚିବାକୁ ଯାଉଛି । ମରୁଡ଼ି ପ୍ରପୀଡ଼ିତ ଅଂଚଳକୁ ଦୃଷ୍ଟିରେ ରଖି ସିଆର୍ ଧାନ୍-୧୦୨ ବା ‘ସନ୍ଥଭୀମ’ ବିହନ ସୃଷ୍ଟି କରାଯାଇଛି । ଏହାର ବିଶେଷତ୍ୱ ହେଉଛି, ଅଳ୍ପ ପାଣିରେ ଏ ଧାନ ଫସଲ ହେବ। ଗଛର ଉଚ୍ଚତା ୧ମିଟର୍ ମଧ୍ୟରେ ରହିବ ।
ଫୁଲ ଧରିବା ବେଳେ ଯଦି ମରୁଡ଼ି ହୁଏ, ତେବେ ବିଶେଷ କ୍ଷତିଗ୍ରସ୍ତ ହେବ ନାହିଁ । ରୋଗ ପୋକ ବି ମାଡ଼ିବ ନାହିଁ । ଚାଷୀ ୧୦୫ରୁ ୧୧୦ ଦିନ ବା ସାଢ଼େ ତିନି ମାସରେ ଧାନ ଅମଳ କରିବେ । ଯଦି ମରୁଡ଼ି ନହୁଏ ତେବେ ହେକ୍ଟର୍ ପିଛା ଚାଷୀ ହାରାହାରି ୫୦ କୁଇଣ୍ଟାଲ୍ ଧାନ ଅମଳ କରିବେ । ମରୁଡ଼ି ହେଲେ ବି ୨୫ କୁଇଣ୍ଟାଲ୍ରୁ ଅମଳ ଖସିବ ନାହିଁ । ଚାଉଳ ସରୁ ଓ ଲମ୍ବା ରହିବ । ଖାସ୍ କରି ମରୁଡ଼ି ପ୍ରପୀଡ଼ିତ ବଲାଙ୍ଗୀର, ବରଗଡ଼, କଳାହାଣ୍ଡୀ, କୋରାପୁଟ, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ଏ ଧାନ ଚାଷ ଚାଷୀଙ୍କ ପାଇଁ ଅଧିକ ଲାଭଦାୟକ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।
ଅନୁରୂପ ଭାବେ ସିଆର୍-୮୦୨ ବା ‘ସୁଭାଷ’ ବିହନ ଅଳ୍ପ ଖାଲୁଆ ଜମିରେ ଚାଷ ହେବ। ପ୍ରଥମ ଥର ପାଇଁ ଏ ନୂଆ କିସମର ବିହନ ପ୍ରସ୍ତୁତ କରାଯାଇଛି, ଯାହା ମରୁଡ଼ି ଓ ବନ୍ୟା ମାଡ଼ରେ କ୍ଷତିଗ୍ରସ୍ତ ହେବ ନାହିଁ । ଉଭୟ ଦୁର୍ବିପାକରେ ଚାଷୀ ଫସଲ ଫଳାଇ ପାରିବ । ୧୩୦ରୁ ୧୪୦ଦିନରେ ଫସଲ ଅମଳକ୍ଷମ ହେବ ଏବଂ ଚାଷୀ ହେକ୍ଟର୍ ପିଛା ହାରାହାରି ୫୦ରୁ ୬୦କୁଇଣ୍ଟାଲ୍ ଧାନ ଅମଳ କରିବ । ଓଡ଼ିଶା ବ୍ୟତୀତ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ, ବିହାର, ତେଲେଙ୍ଗାନାରେ ଏ ବିହନକୁ ଚାଷ କରାଯାଇପାରିବ । ସେଇଥିପାଇଁ ଜାତୀୟସ୍ତରର ଉତ୍କୃଷ୍ଟ ଧାନ କିସମ ଭିତରେ ‘ସୁଭାଷ’ ଅନ୍ୟତମ ।
ଅନ୍ୟପକ୍ଷରେ ସିଆର୍ ଧାନ୍-୪୧୦ ‘ମହାମଣି’ କିନ୍ତୁ ଅନ୍ୟ ୪ଟି କିସମ ବିହନରୁ ଭିନ୍ନ। ଏହାକୁ ଖାଲୁଆ ଜମିରେ ଚାଷ କରାଯିବ । ୧୬୦ଦିନ ଭିତରେ ଏବଂ ଚାଷୀ ସର୍ବାଧିକ ହେକ୍ଟର୍ ପିଛା ହାରାହାରି ୭୦କୁଇଣ୍ଟାଲ୍ ଅମଳ କରିବ । ଧାନ ଗଛ ଗୁଡ଼ିକର ଉଚ୍ଚତା ୧୩୦ ସେଣ୍ଟିମିଟର୍ ମଧ୍ୟରେ ରହିବ । ବିଶେଷକରି ଯେଉଁ ଚାଷୀ ମାନେ ସାରଳା, ଦୁର୍ଗା, ପ୍ରଧାନ, କଳାଚମ୍ପା ଧାନ ଚାଷ କରୁଛନ୍ତି, ସେମାନେ ସେହି ଜମିରେ ‘ମହାମଣି’କୁ ଚାଷ କରିପାରିବେ । ବୈଜ୍ଞାନିକ ଡକ୍ଟର ପ୍ରଧାନ କହିଛନ୍ତି ଯେ, ଏ ପାଞ୍ଚଟି କିସମର ବିହନର ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି । ମରୁଡ଼ି/ବନ୍ୟା ପ୍ରପୀଡ଼ିତ ଅଂଚଳ ଏବଂ ଖାଲୁଆ ଓ ମଧ୍ୟମ ପାଣି ରହୁଥିବା ଜମିରେ ଏହାର ଚାଷ କରାଯିବ । ଆଗାମୀ ଦିନରେ ପାଣି ସମସ୍ୟା ଉପୁଜିବା ଆଶଙ୍କା କରାଯାଇ ବିହନ ଉଦ୍ଭାବନ କରାଯାଇଛି । କେବଳ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଚାଷୀଙ୍କ ପାଖେ ଏହା ପହଞ୍ଚିବ । ମୋଟାମୋଟି ଜୁଲାଇ ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି ଡକ୍ଟର ପ୍ରଧାନ କହିଛନ୍ତି ।