ସ୍କୁଲ୍ ପାଇଁ ନାହିଁ ଘର ! ଚାଳ ଛପର ଘରେ ଚାଲିଛି ଭବିଷ୍ୟତ ଗଢ଼ା

46

କନକ ବ୍ୟୁରୋ : ପ୍ରତିଟି ଗାଁରେ ଶିକ୍ଷାର ଆଲୋକ ପହଁଚାଇବା ଲାଗି ପ୍ରଣୟନ ହୋଇଛି ଶିକ୍ଷା ଅଧିକାର ଆଇନ । ଏଥି ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛି ଅନେକ ଯୋଜନା । ତେବେ ଏହି ସବୁ ଯୋଜନା ବାଟ ହୁଡିଛି । ଶତାଧିକ ସ୍କୁଲ ଚାଲିଛି ଝୁପୁଡି ଘରେ । ଆଉ ଝୁପୁଡି ଚାଳ ଛପର ତଳେ ଗଢ଼ା ହେଉଛି ଆମ ଦେଶର ଭବିଷ୍ୟତ ।

ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଗଦିଂଆ ବ୍ଲକ ଦରସାହି ମୁଣ୍ଡା ବସ୍ତିର ନୁତନ ପ୍ରାଥମିକ ବିଦ୍ୟାଳୟରେ । ଏଠି ପଢ଼ିବା ପାଇଁ ଘର ନାହିଁ , ପିଇବା ପାଇଁ ପାନୀୟ ଜଳର ବ୍ୟବସ୍ଥା ନାହିଁ । ସ୍କୁଲର ୧୦୦ ମିଟର ଦୂର ଭଙ୍ଗା ଚାଳିଆ ଘରେ ତିଆରି ହେଉଛି ମଧ୍ୟାହ୍ନ ଭୋଜନ । ୨ ଜଣ ଶିକ୍ଷକଙ୍କ ମଧ୍ୟରୁ ପ୍ରଧାନ ଶିକ୍ଷକ ଉପସ୍ଥିତ ରହୁଥିବା ବେଳେ ଅନ୍ୟ ସହାୟକ ଶିକ୍ଷକ ପ୍ରାୟତଃ ଛୁଟିରେ ରହୁଛନ୍ତି । କହିବାକୁ ଗଲେ ଭଗବାନଙ୍କ ଭରସାରେ ସ୍କୁଲରେ ପାଠ ପଢ଼ୁଛନ୍ତି ପିଲା ।

ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଏହି ଭଙ୍ଗା ଚାଳିଆ ଘରେ ନିଜର ଭବିଷ୍ୟତ ଗଢୁଛନ୍ତି ପିଲା । ଛାତ୍ରଛାତ୍ରୀଙ୍କୁ ସରକାରୀ ବହି, ସ୍କୁଲ ବ୍ୟାଗ ଏବଂ ଡ୍ରେସ ମିଳୁଛି ହେଲେ ମୁଣ୍ଡ ଉପରେ ଛାତ ଖଣ୍ଡିଏ ନାହିଁ ପାଠ ପଢିବାକୁ ।