କାନ୍ଧରେ ଶବ ବୁହା ହେବା ପରେ ସରକାରୀ ତତ୍ପରତା : ସବୁ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶ

28

କନକ ବ୍ୟୁରୋ : ଏଣିକି ମୃତ୍ୟୁ ପ୍ରମାଣପତ୍ର ବିନା ଶବକୁ ଡାକ୍ତରଖାନାରୁ ନିଆଯାଇପାରିବନାହିଁ । ରୋଗୀ ମୃତ୍ୟୁ ସମ୍ପର୍କିତ ସୂଚନା ବିଡିଓଙ୍କଠାରୁ ଆରମ୍ଭ କରି ସମସ୍ତ ଡାକ୍ତର, ସିଡିଏମଓ ଓ ଏସବିଏମଓଙ୍କୁ ନେଇ ଗଠିତ ହ୍ୱାଟସ୍ ଆପ୍ ଗ୍ରୁପରେ ଆଦାନ ପ୍ରଦାନ ହେବ ।

ଜିଲ୍ଲାସ୍ତରୀୟ ହ୍ୱାଟସ୍ ଗ୍ରୁପରେ ସମସ୍ତ ତଥ୍ୟ ବିନିମୟ ହେବ । ଏହି ଆଧାରରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା । କଳାହାଣ୍ଡିର ଦାନ ମାଝୀ ନିଜ ପତ୍ନୀଙ୍କୁ କାନ୍ଧରେ ବୋହି ନେବା ଘଟଣାକୁ ରାଜ୍ୟକୁ ବିଶ୍ୱ ଦରବାରରେ ନିନ୍ଦିତ କରିଥିଲେ ସୁଦ୍ଧା ଏପରି ଘଟଣାରେ ରୋକା ଯାଇପାରିନାହିଁ । ଡାକ୍ତରଖାନାକୁ ଶବକୁ ସମ୍ପର୍କୀୟମାନେ କାନ୍ଧରେ ବୋହି ନେବା ଘଟଣା ନିତି ଦିନିଆ ହୋଇଯାଇଛି । ଏହି ଘଟଣାରେ ରୋକ ଲଗାଇବା ପାଇଁ ହ୍ୱାଟସ ଆପର ସହାୟତା ନେଇଛି ସ୍ୱାସ୍ଥ୍ୟ ବିଭାଗ ।

ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ଡାକ୍ତରଖାନାରେ ଯେତେବେଳେ ରୋଗୀଙ୍କ ମୃତ୍ୟୁ ହେଉଛି କିମ୍ବା ମୃତ ଅବସ୍ଥାରେ ପହଂଚୁଛନ୍ତି ସେତେବେଳେ ଶବକୁ କିଭଳି ନିଆଯିବ ସେ ନେଇ ସମ୍ପର୍କୀୟଙ୍କୁ ଜଣାଇବେ ମେଡିକାଲ ଅଫିସର ବା ଡାକ୍ତର । ଶବ ପରିବହନ ଲାଗି ରହିଥିବା ପାଣ୍ଠି ସମ୍ପର୍କରେ ଅବଗତ କରିବେ । ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ସ୍ୱିକାରୋକ୍ତି ରଖିବେ । ଯଦି ରୋଗୀଙ୍କ ସମ୍ପର୍କୀୟ ଶବକୁ ନିଜ ବ୍ୟବସ୍ଥାରେ ନେବାକୁ ଚାହିଁବେ ତେବେ ତାଙ୍କଠାରୁ ଏକ ସମ୍ମତିପତ୍ର ରଖାଯିବ । ନଚେତ ସରକାରୀ ବ୍ୟବସ୍ଥାରେ ଶବ ନିଆଯିବାର ବନ୍ଦୋବସ୍ତ ସମ୍ପୃକ୍ତ ମେଡିକାଲ ଅଫିସର କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି  ।

ଏହାସହ ଦେଖନ୍ତୁ ଏହି ଭିଡିଓ –