ଦାନ ମାଝୀ କିଣିଲେ ବାଇକ୍ । ଦିନେ ପତ୍ନୀଙ୍କ ଶବକୁ ୧୦ କିମି ବୋହି ଥିଲେ ଚର୍ଚ୍ଚାରେ ।

184

ଦାନ ମାଝୀ, ନାଁ ଶୁଣିଲା ମାତ୍ରେ ଆଖି ଆଗକୁ ଚାଲିଆସେ ଜଣେ ବିକଳ ଏବଂ ଅସହାୟ ମଣିଷର ଚିତ୍ର । ଯିଏ ଦିନେ ସାରା ଦୁନିଆର ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲେ । ଯେଉଁ ଦାନ ମାଝୀ, ଦିନେ ଅର୍ଥାଭାବ ଯୋଗୁଁ ସ୍ତ୍ରୀର ମୃତଦେହକୁ କାନ୍ଧେଇବାକୁ ବାଧ୍ୟ ହୋଇଥିଲେ, ସେହି ଦାନ ମାଝୀଙ୍କ ହାତରେ ଏବେ ମୋଟର ସାଇକେଲ । ଦିନେ ଗରୀବିର ପୋଷ୍ଟର ବଏ ପାଲଟିଥିବା ଦାନ ମାଝୀ ଆଜି କିଣିଛନ୍ତି ବାଇକ । ଦିନେ ଟଙ୍କା ଅଭାବରୁ ନିଜ ସ୍ତ୍ରୀର ଶବକୁ କାନ୍ଧରେ ପକାଇ ୧୦ କିମି ଚାଲିଥିବା ଦାନ ମାଝୀ ଆଜି ଆଖି ପିଛୁଳାକେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇ ପାରୁଛନ୍ତି । ପାଦ ଆଉ ତାଙ୍କର ମାଧ୍ୟମ ପାଲଟିନି ବରଂ ବାଇକର ସାହାରାରେ ସେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବାକୁ ସକ୍ଷମ । ଭବାନୀଟପାଟଣାର ଏକ ବାଇକ ସୋ-ରୁମରେ ପହଂଚି ଆଜି ଦାନ ମାଝୀ ନିଜ ନାଁରେ ଏକ ବାଇକ କିଣିଛନ୍ତି । ଯାହାର ଦାମ ୬୫ ହଜାର ଟଙ୍କା ବୋଲି ସୂଚନା ମିଳିଛି ।

ସଂପୂର୍ଣ୍ଣ ଭାବେ କ୍ୟାସ ଦେଇ ଏହି ବାଇକ କିଣିଥିବା ସୋ-ରୁମ କର୍ମଚାରୀ ସୂଚନା ଦେଇଛନ୍ତି । ବାଇକ କିଣିବା ବେଳେ ଦାନ ମାଝୀଙ୍କର ପ୍ରତିକ୍ରିୟା ଥିଲା, ମୁଁ ନିଜ ସୁବିଧା ପାଇଁ ଏହି ବାଇକ କିଣୁଛି । ଦାନ ମାଝୀ ବାଇକ କିଣିବାରେ କୈାଣସି ପ୍ରତିବନ୍ଧକ ନାହିଁ, ଅବା ସେ କିଣିବାକୁ ଅକ୍ଷମ, ଏହା ଆମେ କହିବାକୁ ଚାହୁଁନୁ । ବରଂ କିଭଳି କେଇ ମାସ ଭିତରେ ଦାନ ମାଝୀଙ୍କ ଜୀବନ ଶୈଳୀ ବଦଳିଗଲା, ତାର ଏକ ଉଦାହରଣ ଆଜି ସାମ୍ନାକୁ ଆସିଛି ।

ଏହାରି ଭିତରେ ଦାନ ମାଝୀ ପୁଣି ଥରେ ବିବାହ କରିସାରିଛନ୍ତି । ରାୟଗଡ଼ା କାଶିପୁରର ଆଲମତୀ ଦେଈ ଦାନଙ୍କ ତୃତୀୟ ପତ୍ନୀ । ତାଙ୍କର ଦେଖାଶୁଣା ଓ ଘର କାମ ପାଇଁ ତୃତୀୟ ବିବାହ କରୁଥିବା ସେହି ସମୟରେ କହିଥିଲେ ଦାନ ମାଝୀ । ତାଙ୍କର ପ୍ରଥମ ଦୁଇ ପତ୍ନୀ ଯକ୍ଷ୍ମା ରୋଗରେ ପଡି ମୃତ୍ୟୁବରଣ କରିଥିଲେ । ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ନେବା ଘଟଣାକୁ ନେଇ ସେ ବେଶ ଚର୍ଚ୍ଚା ଭିତରକୁ ଆସିଥିଲେ । ପରେ ଭୁବନେଶ୍ୱର କିସ୍ ଆବାସିକ ବିଦ୍ୟାଳୟରେ ପାଠ ପଢୁଛନ୍ତି ତାଙ୍କର ୩ ଝିଅ । ଇନ୍ଦିରା ଆବାସ ଯୋଜନାରେ ଘର ତିଆରି କରିଛନ୍ତି ଦାନ ମାଝୀ ।

ଗରୀବିର ପୋଷ୍ଟର ବଏ ପାଲଟିଥିବା ଦାନ ମାଝୀଙ୍କୁ ସହାୟତାର ସୁଅ ଛୁଟିଥିଲା । ବାହାରିନ ପ୍ରଧାନମନ୍ତ୍ରୀଙ୍କ ଠାରୁ ୮DANA MAJHI ଲକ୍ଷ ୮୭ ହଜାର ଟଙ୍କା, ସୁଲଭ ଇଂଟରନ୍ୟାସନାଲ ପକ୍ଷରୁ ୫ ଲକ୍ଷ ଟଙ୍କାର ଏକକାଳୀନ ସହାୟତା, ଦାନ ମାଝୀଙ୍କ ଝିଅ ଚାନ୍ଦିନୀକୁ ମାସିକ ୧୦ ହଜାର ଲେଖାଏଁ ଟଙ୍କା, ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଦେଇଛନ୍ତି ୮୦ ହଜାରରୁ ଅଧିକ ଟଙ୍କାର ଡିପୋଜିଟ, ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଓ ଚାଉଳ ବସ୍ତା, ଦାନ ମାଝୀଙ୍କ ପୁଅ ଝିଅଙ୍କୁ ରେସିଡେନସିଆଲ ଟ୍ରାଇବାଲ ସ୍କୁଲରେ ପଢିବାର ସୁଯୋଗ, ରିଚାର୍ଜେବୁଲ ସୋଲାର ବ୍ୟାଟେରୀ, ନ୍ୟାସନାଲ ଫ୍ୟାମିଲି ବେନିଫିଟ ସ୍କିମରେ ସାମିଲ କରାଇବାର ପ୍ରତିଶ୍ରୁତି । ଏଥିଲା ଦାନ ମାଝୀ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହିବା ପରେ ଦାନ ମାଝୀଙ୍କୁ ମିଳିଥିବା ସହାୟତାର ସୁଅ । ଏହାବାଦ ଆହୁରି ଅନେକ ଡିପୋଜିଟ ତାଙ୍କ ଆକାଉଂଟକୁ ଆସିଥିଲା । ଆଉ ଏହା ତାଙ୍କ ଜୀବନଶୈଳୀକୁ ବଦଳାଇ ଦେଇଥିଲା । ସହରର କୋଳାହଳ ଠାରୁ ଦୂରରେ ସୁଦ୍ଧ ଦେଶୀ ଅନ୍ଦାଜରେ ବଂଚିଆସୁଥିବା ଦାନ ମାଝୀଙ୍କ ନିକଟକୁ ଛୁଟିଥିଲା ସହାୟତାର ସୁଅ । ପାଖରେ ଟଙ୍କା ନଥିବାରୁ ସ୍ତ୍ରୀର ଶବକୁ କାନ୍ଧରେ ବୋହି ୧୦ କିମି ଚାଲିବା ପରେ ଗରୀବିର ପୋଷ୍ଟର ବଏ ପାଲଟିଥିବା ଦାନ ମାଝୀ, ବାହାରିନ ପ୍ରଧାନମନ୍ତ୍ରୀ ଦେଇଥିବା ଦାନକୁ ଦିଲ୍ଲୀରେ ଗ୍ରହଣ କରିଥିଲେ । ଦିଲ୍ଲୀସ୍ଥିତ ବାହାରିନ ଦୂତାବାସରେ ଦାନ ମାଝୀ, ଦାନ ବାବଦ ଚେକକୁ ଗ୍ରହଣ କରିଥିଲେ । ସାରା ବିଶ୍ୱ ପାଇଁ ଖବର ପାଲଟି ଯାଇଥିବା ଦାନ ମାଝୀ ଲଗାତର ଭାବେ ଗଣମାଧ୍ୟମର ଫୋକସରେ ରହିଥିଲେ ।

କେଇ ମାସ ଆଗରୁ ଦାନ ମାଝୀଙ୍କର ଅସହାୟ ଚିତ୍ର ସାରା ରାଜ୍ୟକୁ ଦୋହଲାଇବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଥିଲା । ନିଜ ମଲା ପତ୍ନୀର ଶବକୁ ଧରି ଯେତେବେଳେ ୧୦ କିମି ଦାନ ଚାଲିଥିଲେ, ସେତେବେଳେ ସରକାରୀ ବ୍ୟବସ୍ଥା ଓ ଯୋଜନାକୁ ସତେ ଯେମିତି ସେ ଉପହାସ କରିଥିଲେ । କେବେ ସ୍ୱପ୍ନରେ ସୁଦ୍ଧା ସେ କଳ୍ପନା କରିନଥିବେ, ଏହି ୧୦ କିମି ଚାଲିବା ତାଙ୍କ ଜୀବନ ବଦଳାଇଦେବ । ନିଜ ପୁଅ ଝିଅଙ୍କ ତମାମ ସ୍ୱପ୍ନକୁ ସେ ସାକାର କରିବା ସହ ପାଠ ପଢାଇ ଭଲ ମଣିଷ କରିପାରିବେ । କାନ୍ଧରେ ନିଜ ପତ୍ନୀଙ୍କର ଶବକୁ ଧରି ଯେତେବେଳେ ରାସ୍ତାରେ ଧାନ ମାଝୀ ଚାଲୁଥିଲେ, ସେତେବେଳେ ଗରୀବ ହେବାର ଯାତନାକୁ ସେ ଅନୁଭବ କରିଥିବେ ।

ଦିନକୁ ଦୁଇ ଓଳି ଖାଇବାକୁ ନ’ପାଇବା କିମ୍ବା ଦୁନିଆର ତମାମ ସୁଖ ସୁବିଧାକୁ ନିଜ ପରିବାରକୁ ନ’ଦେଇପାରିବା ହୁଏତ ଦାନ ମାଝୀକୁ ଏତେ ଦୁଖ କିମ୍ବା କଷ୍ଟ ଦେଇନଥିବ, ଯାହା ତାଙ୍କୁ ଦେଇଥିଲା ନିଜ ପତ୍ନୀଙ୍କ ଶବକୁ ଧରି ୧୦ କିମି ରାସ୍ତା ଚାଲିବା । ରାସ୍ତାରେ ଯେତେବେଳେ ଦାନ ମାଝୀ ଚାଲୁଥିଲେ, ସେତେବେଳେ ତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟ ସାଥ ଦେଇ ଚାଲୁଥିଲା । ଆମ ଦେଶରେ ଗରୀବ ହେବା କିଛି ଅପରାଧ ଠାରୁ ବି କମ ନୁହେଁ । କାହିିଁକି ନା ଆମ ବ୍ୟବସ୍ଥା ଗରୀବଙ୍କ ଜୀବନ ଆଉ ମୃତ୍ୟୁକୁ ସବୁବେଳେ ଉପହାସ କରିଥାଏ । ଗରୀବ ହେବାର ବାଧ୍ୟବାଧ୍ୟକତା ସହ ସବୁବେଳେ ଖେଳିଥାଏ । ବ୍ୟବସ୍ଥାର ଏଭଳି ଆଚରଣ ଦ୍ୱାରା ଗରୀବ ଲୋକଙ୍କ ଚିନ୍ତାଧାରା ଓ ମାନସିକତା ଆସେ, ସତେ ଯେପରି ବ୍ୟବସ୍ଥା ଭିତରେ ସେମାନଙ୍କ ପାଇଁ କେହି ନାହାନ୍ତି ।

ଆଉ ଏହାରି ଭିତରେ କିନ୍ତୁ ଦାନ ମାଝୀଙ୍କର ଜୀବନଶୈଳୀ ସଂପୁର୍ଣ୍ଣ ଭାବେ ବଦଳିଯାଇଛି । ଘର ତୋଳିଛନ୍ତି, ପୁଣି ବାହା ହୋଇଛନ୍ତି ଆଉ ଏବେ ବାଇକ କିଣିଛନ୍ତି । ଦିନେ ଦାନ ମାଝୀ ଗରୀବିର ଚେହେରା ବନିଥିଲେ । ହେଲେ ଆଜି ତାଙ୍କ ଅଂଚଳରେ ବିକାଶ ହୋଇଛି, ଠିକ ନଗଡା ପରି । ଏକ ଅଶ୍ୱସ୍ତିକରଣ ବାତାବରଣ ଭିତରୁ ବାହାରିବାକୁ ସରକାର ସେହି ତମାମ ପଦକ୍ଷେପ ନେଇଥିଲେ, ଯାହା ଆଜିର ଦିନରେ ସମସ୍ତ ଅଂଚଳ ଆଉ ଅପହଂଚ ଇଲାକା ପାଇଁ ଆବଶ୍ୟକତା ରହୁଛି ।