ଜୀବିତ ଲୋକକୁ ମାରିଦେଲେ । ମିଳିଥିବା ରାସନ କାର୍ଡକୁ ବି କାଟିଦେଲେ। ଗରିବ ପରିବାରକୁ ଭୋକ ଉପାସରେ ଛାଡ଼ିଦେଲେ ସରକାରୀ ଅଧିକାରୀ

ମାଲକାନଗିରିରୁ ଆସିଲା ଏମିତି ଏକ ଅଭାବନୀୟ ଚିତ୍ର

167

କନକ ବ୍ୟୁରୋ: ଜୀବିତ ଲୋକକୁ କାଗଜ କଲମରେ ମାରିଦେଲେ। ମିଳିଥିବା ରାସନ କାର୍ଡକୁ ବି କାଟିଦେଲେ। ଏହାପରେ ଭୋକ ଉପାସରେ ପରିବାରକୁ ଛାଡ଼ିଦେଲେ। ଯୋଗାଣ ବିଭାଗ ଅଧିକାରୀଙ୍କ ଏମିତି ମନମାନି ଏବଂ ଆକ୍ରୋଶର ଶିକାର ହୋଇଛନ୍ତି ଗରିବ ଶଙ୍କର ବେମାଲଙ୍କ ପରିବାର। କୌଣସି ଦୁର୍ଗମ କିମ୍ବା ଗ୍ରାମାଞ୍ଚଳ ନୁହେଁ ମାଲକାନନଗିରି ସହରରେ ଏମିତି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ମାଲକାନଗିରି ଡିଆରଡିଏ କାର‌୍ୟ୍ୟାଳୟ ନିକଟରେ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି ଭିନ୍ନକ୍ଷମ ଶଙ୍କର ବେମାଲ। ପତ୍ନୀ ପାନୁ ବେମାଲ କୁଲି କରି ଟଙ୍କା ଆଣିଲେ ପରିବାର ଚଳେ। ଅତ୍ୟନ୍ତ ଗରିବ ଏବଂ ଶଙ୍କର ଭିନ୍ନକ୍ଷମ ହୋଇଥିବାରୁ ପାନୁଙ୍କ ନାଁରେ ଯୋଗାଣ ବିଭାଗ ଯୋଗାଇ ଦେଇଥିଲା ଅନ୍ତୋଦ୍ୟୋୟ କାର୍ଡ। ଏହି କାର୍ଡରେ ଯାହା କିଛି ଚାଉଳ ମିଳୁଥିଲା ଏବଂ କୁଲି ଟଙ୍କାରେ ଅତି କଷ୍ଟରେ ପରିବାର ଚଳି ଯାଉଥିଲା। ତେବେ ୬ମାସ ତଳେ କାଗଜ କଲମରେ ପାନୁଙ୍କୁ ମାରି ଦିଆଗଲା। ଏହାପରେ ତାଙ୍କୁ ମିଳିଥିବା କାର୍ଡକୁ ବି କାଟି ଦିଆଗଲା। ଚାଉଳ ମିଳୁନଥିବାରୁ ପରିବାରର ସ୍ଥିତି ଆହୁରି ଦୟନୀୟ ହୋଇଯାଇଛି। ବାରମ୍ବାର ଅଧିକାରୀଙ୍କୁ ଏନେଇ ନିବେଦନ କରିବା ସତ୍ତ୍ବେ କୌଣସି ସୁଫଳ ମିଳୁନାହିଁ। ଗୁହାରୀ ନେଇ ଗଲେ ଅଧିକାରୀ ଆଡ଼ ଆଖିରେ ବି ଏହି ଗରିବ ପରିବାରକୁ ଚାହୁଁ ନାହାନ୍ତି। ଶଙ୍କରଙ୍କ ଏହି ଅବସ୍ଥା ସଂପର୍କରେ ଜଣାପଡ଼ିବାରୁ କେଉଁ କାରଣରୁ କାର୍ଡ କଟିଲା ତାହାର ଖୋଳତାଡ଼ କରାଯାଇଥିଲା।

ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ଅନ୍ତୋଦ୍ୟୋୟ କାର୍ଡ ପାଇଥିବା ଅନ୍ୟ ଜଣେ ହିତାଧିକାରୀ ଚୋବନ ବେମାଲଙ୍କ ଗତ ଦିନରେ ମୃତ୍ୟୁ ହୋଇଥିଲା। କିନ୍ତୁ ଏନେଇ ଅଧିକ ତଦନ୍ତ କରିବା ପରିବର୍ତେ ଯୋଗାଣ ବିଭାଗ ଅଧିକାରୀ ଜୀବିତ ଥିବା ପାନୁଙ୍କୁ କାଗଜପତ୍ରରେ ମାରିଦେଲେ। ଏପରିକି ତାଙ୍କୁ ମିଳିଥିବା କାର୍ଡକୁ ବି ଅଚଳ କରିଦେଲେ। ଗରିବ ଶଙ୍କରଙ୍କ ପରିବାର ପଡି କାର୍ଡ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲେ। ହଠାତ୍ କିଛି ଜଣାଇ କାର୍ଡକୁ କାଟି ଦେ‌ବାରୁ ପରିବାରର ଅବସ୍ଥା ଆହୁରି ସାଂଘାତିକ ହୋଇଯାଇଛି।

ଅନ୍ୟପଟେ ଅଭିଯୋଗ କରିବା ପରେ ତ୍ରୁଟି ସୁଧାରିବା ପରିବର୍ତେ ଅଧିକାରୀ ଗରିବ ହିତାଧିକାରୀଙ୍କ କଥା ବି ଶୁଣୁନାହାନ୍ତି। କେଉଁ ପରିସ୍ଥିତିରେ ଜଣେ ଜୀବିତ ହିତାଧିକାରୀଙ୍କ କାର୍ଡକୁ ଅଚଳ କରାଗଲା ତାହାର ତଦନ୍ତ କରିବାକୁ ଦାବି ହୋଇଛି। ତୁରନ୍ତ ତଦନ୍ତ କରି ହିତାଧିକାରୀଙ୍କୁ ନିଜ ହକ୍ ଦିଆଯାଉ ବୋଲି ମତ ପ୍ରକାଶ ପାଇଛି।