ବଦଳୁନି ପିସିସିର ପରିସ୍ଥିତି : ନେତୃତ୍ୱ ପରିବର୍ତ୍ତନ ନହେବା ନେଇ ଏଆଇସିସିର ଚିଠି ପରେ ବି ଦଳ ଭିତରେ ଅସନ୍ତୋଷ

34

କନକ ବ୍ୟୁରୋ : ପୁଣି ଜୋର ଧରିଛି ଓଡିଶା ପିସିସି ସଭାପତି ପରିବର୍ତ୍ତନ ଦାବି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ପରବର୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ପିସିସି ସଭାପତି ପରିବର୍ତ୍ତନ ହେବ ନାହିଁ ବୋଲି ଚିଠି ଲେଖିଥିଲେ । ରାହୁଲଙ୍କ ନିର୍ଦ୍ଦେଶକୁ ରାଜ୍ୟର ବିଧାୟକ ସମର୍ଥନ କରୁଥିଲେ ମଧ୍ୟ ପ୍ରସାଦ ହରିଚନ୍ଦନକୁ ଗ୍ରହଣ କରିପାରୁନାହାନ୍ତି । ଏନେଇ ଗଣମାଧ୍ୟମ ଆଗରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ।

କଂଗ୍ରେସ କାହାର ପୈତୃକ ଦଳ ନୁହେଁ, ବରଂ ସମସ୍ତଙ୍କ ମିଳିତ ଉଦ୍ୟମରେ ଦଳ ସୁଦୃଢ ହୋଇଛି । ତେଣୁ ଯାହା ପଛରେ ସମର୍ଥନ ଥିବା ତାଙ୍କୁ ନେତୃତ୍ୱ ଦେବା ଉଚିତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଯୋଗେଶ ସିଂ । ତେବେ ଏବେ ମଧ୍ୟ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ସଭାପତି କରିବା ପାଇଁ ଓକିଲାତି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ।

ଅନ୍ୟପଟେ ହଠାତ୍ ଡାକରା ପାଇ ଦିଲ୍ଲୀ ଗସ୍ତରେ ଅଛନ୍ତି ନିରଂଜନ ପଟ୍ଟନାୟକ । ତେଣୁ ରାଜ୍ୟ କଂଗ୍ରେସରେ ପୁଣି ଏକ ନୂଆ ସମୀକରଣର ଆକଳନ କରାଯାଉଛି । ତେବେ ନିରଂଜନଙ୍କ ଗସ୍ତର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆଜି ସେ ଫେରିବା ପରେ ଏହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।