ଆତଙ୍କିଙ୍କ ଟେଲିଫୋନ୍ ଏକ୍ସଚେଞ୍ଜ୍ ! ଗ୍ୟାଙ୍ଗଷ୍ଟାର୍ ଛୋଟା ରାଜନର ବ୍ରହ୍ମପୁର ଲିଙ୍କ୍

38

କନକ ବ୍ୟୁରୋ : ବ୍ରହ୍ମପୁରରେ ଏକ ଏଭଳି କାରବାର ଚାଲିଥିଲା ଯାହା କେହି କଳ୍ପନା ବି କରିପାରିନଥିଲେ । ଛୋଟା ରାଜନ୍ ଗ୍ୟାଙ୍ଗର ସଦସ୍ୟମାନେ ବ୍ରହ୍ମପୁରର ଏକ ବେଆଇନ୍ ଓ ସମାନ୍ତରାଳ ମିନି ଟେଲିଫୋନ ଏକ୍ସଚେଂଜରୁ ତାଙ୍କ ଗ୍ୟାଙ୍ଗର ଗତିବିଧି ଚଳାଇଥିଲେ । ସିମ୍ ବକ୍ସ ମାଧ୍ୟମରେ ଚାଲିଥିବା ଏହି କାରବାରର ପ୍ରମାଣ ବ୍ରହ୍ମପୁର ପୁଲିସ୍ ହାତରେ ଲାଗିଛି । ଛୋଟା ରାଜନ୍ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ସୁରେଶ ପୂଜାରୀ ମୁମ୍ବାଇସ୍ଥିତ ଜଣେ ଜମି ବ୍ୟବସାୟୀଙ୍କୁ ବ୍ରହ୍ମପୁରର ଏହି ସିମ୍ ବକ୍ସ ମାଧ୍ୟମରେ ୨ କୋଟି ଟଙ୍କାର ଦାଦାବଟି ମାଗିଥିଲେ ।

ଗୋପାଳପୁର ଥାନା ପୁଲିସ୍ ବେଆଇନଭାବେ ଚାଲିଥିବା ୫ଟି ସିମ୍ ବକ୍ସ ଜବତ କରିବା ପରେ ଏହି ରାକେଟର ଚେର ଖୋଲିବାରେ ଲାଗିଛି । ବ୍ରହ୍ମପୁର, ଭୁବନେଶ୍ୱର, ପୁରୀଠାରୁ ଆରମ୍ଭ କରି ସିଙ୍ଗାପୁର, ଦୁବାଇ ଓ ଚୀନକୁ ଲମ୍ବିଛି ଏହି ରାକେଟର ଚେର । ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର୍ ତଥା ବେଆଇନ କାରବାରର ମୁଖ୍ୟ ସୁତ୍ରଧର ସାଜିଥିଲା ଏହି ସିମ୍ ବକ୍ସ ।

ଆସନ୍ତୁ ନଜର ପକାଇବା କିପରି କାମ କରିଥାଏ ଏହି ସିମ୍ ବକ୍ସ
• ଏହା ଚୀନରେ ନିର୍ମିତ ଏକ ଇଲେକଟ୍ରୋନିକ ଡିଭାଇସ୍ ଯାହା ଏକକାଳୀନ ବିଭିନ୍ନ ପ୍ରକାର ସିମ୍ ଅପରେଟ୍ କରିଥାଏ । ଖୁବ କମ୍ ମୂଲ୍ୟରେ ଅନ୍ତର୍ଜାତୀୟ କଲ୍ ଏହା ମାଧ୍ୟମରେ କରିହୁଏ ।
• ଟ୍ରାଇର ବିନା ଅନୁମୋଦନରେ ବେଆଇନ ଭାବେ ମିନି ଟେଲିଫୋନ୍ ଏକ୍ସଚେଂଜ୍ ଭଳି ଏହା କାମ କରିଥାଏ ।
• ୬ ଏମବିପିଏସରୁ ଅଧିକ ସ୍ପିଡ୍ ଥିବା ଲିଜ୍ ଲାଇନରେ ଏହା କାର୍ଯ୍ୟ କରିଥାଏ ।

କାହିଁକି ଓ କିଏ ବ୍ୟବହାର କରନ୍ତି ଏପରି ସିମ୍ ବକ୍ସ
• ଆତଙ୍କବାଦୀ, ଅଣ୍ଡର ୱାର୍ଲ୍ଡ ଡନ୍, ଗ୍ୟାଙ୍ଗଷ୍ଟର, ଫ୍ରଡ କରୁଥିବା ବ୍ୟକ୍ତି ବ୍ୟବହାର କରନ୍ତି ଏହି ସିମ୍ ବକ୍ସ ।
• କାରଣ ଫୋନ କଲ କରୁଥିବା ବ୍ୟକ୍ତିଙ୍କ ଠିକଣା ଏଥିରୁ ଜାଣିବା କଷ୍ଟକର ।
• ମେଟ୍ରୋ ସିଟିର ଗାଙ୍ଗଷ୍ଟରମାନେ ଏହି ସିମ୍ ବକ୍ସ ଜରିଆରେ ଫୋନ କରିଥାନ୍ତି ।
• ଏକ ସମାନ୍ତରାଳ ଟେଲେଫୋନ ଏକ୍ସଚେଂଜ ଭଳି ଏହା କାର୍ଯ୍ୟ କରିଥାଏ ।

ବ୍ରହ୍ମପୁରରୁ ଲମ୍ବିଛି ଆତଙ୍କିଙ୍କ ଠିକଣା । ବ୍ରହ୍ମପୁର ନିକଟ ଆମ୍ବପୁଆରୁ ଏହାର ମାଷ୍ଟର ମାଇଣ୍ଡ୍ ଟି ଲକ୍ଷ୍ମୀନାରାୟଣ ସ୍ରଫକୁ ଗୋପାଳପୁର ପୁଲିସ୍ ଗିରଫ କରିବା ପରେ ଗୋଟିଏ ପରେ ଗୋଟିଏ ସତ ପଦାକୁ ଆସିଛି । ଟି ଲକ୍ଷ୍ମୀନାରାୟଣ ସହ ପ୍ରଦୀପ ଚୌଧୁରୀ, ସୁରେଶ ଶତପଥୀ, ସନ୍ତୋଷ ସାହୁଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ଏହି ୪ ଜଣ ଅଭିଯୁକ୍ତ ଏକାଠି ବ୍ରହ୍ମପୁରରେ ଏସ-ୱାଲ୍ଡ ନାମକ ଏକ ସଂସ୍ଥା ଗଢି ଚଳାଇଥିଲେ ଏହି ବେଆଇନ୍ କାରବାର ।

ହ୍ରାଇଦ୍ରାବାଦ ଏଜେଂଟ ଠାରୁ ଅଭିଯୁକ୍ତମାନେ ଚୀନରୁ ଏହି ସିମ୍ ବକ୍ସ ମେସିନ ଆଣିବା ପରେ ଦିଲ୍ଲୀ ଓ ଅହମ୍ମଦାବାଦର ବସମାନଙ୍କ ଇଂଗିତରେ ଚଳାଇଥିଲେ ବ୍ୟବସାୟ ।

ଇଂଟରନ୍ୟାସନାଲ ପେମେଂଟ ଗେଟ୍ ୱେ ଜରିଆରେ ରୋଜଗାର ହେଉଥିଲା କୋଟି କୋଟି ଟଙ୍କା । କେବଳ ବ୍ରହ୍ମପୁର ନୁହେଁ, ଭୁବନେଶ୍ୱର, ପୁରୀ, ରାଉରକେଲା, ଆସ୍କା ରେ ମଧ୍ୟ ଚାଲି ଏହି ବେଆଇନ କାରବାର । ସିଙ୍ଗାପୁର, ଦୁବାଇ ଓ ଚାଇନା ଲିଙ୍କ୍ ମଧ୍ୟ ଖୋଜୁଛି ପୁଲିସ୍ ।