ଯୁକ୍ତ୨ ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି ! ମୂଲ୍ୟାୟନକାରୀଙ୍କ ଗତିବିଧି ଉପରେ ରହିବ କଡ଼ା ନଜର

69

କନକ ବ୍ୟୁରୋ : ଯୁକ୍ତ୨ ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି । ମୂଲ୍ୟାୟନକାରୀଙ୍କ ଗତିବିଧିର ଟିକିନିଖି ଖବର ରଖାଯିବ । କୌଣସି ସ୍ଥାନରେ ଯେପରି ଅନିୟମିତତା ନ ହୁଏ ସେଥିପ୍ରତି ଦୃଷ୍ଟି ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ସମସ୍ତ ୧୦୯୧ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ପ୍ରଥମଥର ପାଇଁ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ସମସ୍ତ ମୂଲ୍ୟାୟନ କେନ୍ଦ୍ରର ସୁପରିଭାଇଜର୍‌ଙ୍କୁ ନିର୍ଦେଶ ଦେଇଛନ୍ତି । ପରୀକ୍ଷା ସରିବା କ୍ଷଣି ମାର୍ଚ୍ଚ ୩ୟ ସପ୍ତାହରୁ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ଆରମ୍ଭ ହେବ ।

ଏଥରକ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଯିବ। ମୂଲ୍ୟାୟନ ହୋଇଥିବା ଓ ମୂଲ୍ୟାୟନ ହେବାକୁ ଥିବା ଉତ୍ତର ଖାତା, ମାର୍କ ଫୁଏଲ୍‌, ପରୀକ୍ଷକଙ୍କ ରିପୋର୍ଟ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହୁଥିବା ଷ୍ଟ୍ରଙ୍ଗ୍‌ ରୁମ୍‌ରେ ସିସିଟିଭି ଲାଗିବ । ସମସ୍ତ ମୂଲ୍ୟାୟନ ଗୃହରେ ସିସିଟିଭି ଲାଗିବାକୁ ବାଧ୍ୟତାମୂଳକ । ସିସିଟିଭି ଫୁଟେଜ୍‌ଗୁଡ଼ିକୁ ସଂରକ୍ଷିତ କରି ରଖାଯିବ। ଭବିଷ୍ୟତରେ କୌଣସି ଅଭିଯୋଗ ଆସିଲେ ତାହାର ଯାଞ୍ଚ ହେବ । ସିସିଟିଭି ବ୍ୟବସ୍ଥାରେ ଇଣ୍ଟରନେଟ୍‌ ସଂଯୋଗ ରହିବା ନିହାତି ଆବଶ୍ୟକ । ଏହାଦ୍ବାରା ମୂଲ୍ୟାୟନ ସମୟରେ ପରିଷଦ କାର୍ଯ୍ୟାଳୟରେ ବି ମନିଟରିଂ କରାଯାଇପାରିବ ।

ସେହିପରି ମାର୍ଚ୍ଚ ୭ରୁ ୩୦ ମଧ୍ୟରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ହେବାକୁ ଥିବାରୁ ପରୀକ୍ଷା ପରିଚାଳନା ହବ୍‌ଗୁଡ଼ିକ ଫେବ୍ରୁଆରି ୨୩ ସୁଦ୍ଧା ମରାମତି କରିବାକୁ କୁହାଯାଇଛି । ଆବଶ୍ୟକତା ଅନୁଯାୟୀ ହବ୍‌ଗୁଡ଼ିକୁ ମରାମତି କରିବା, ସ୍ବଚ୍ଛତା ବଜାୟ ରଖିବା, ସିସିଟିଭି ଲଗାଇବା, ସୁରକ୍ଷା ବଢ଼ାଇବା ପାଇଁ ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନର ସହଯୋଗ ନେବାକୁ କୁହାଯାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ସୁରକ୍ଷାକର୍ମୀ ନିଯୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି ।