ପୁନଃ-ଅବସ୍ଥାପିତ ହେବା ପରେ ପ୍ରଥମ ଦିନରେ ଆଲୋକ ବର୍ମା ବଡ଼ ପଦକ୍ଷେପ ! ନାଗେଶ୍ୱର ରାଓଙ୍କ ଆଦେଶକୁ କଲେ ବାତିଲ,୧୦ ଅଧିକାରୀଙ୍କ ହୋଇଥିଲା ବଦଳି

205

କନକ ବ୍ୟୁରୋ : ଆକ୍ସନ ମୁଡରେ ଆଲୋକ ବର୍ମା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ମୁଖ୍ୟ ପଦରେ ପୁନଃ ଅବସ୍ଥାପିତ ହୋଇଥିବା ଆଲୋକ ବର୍ମା ଗତକାଲି ଦାୟିତ୍ୱ ଗ୍ରହଣ କରିବା ପ୍ରରେ କେତେକ ବଡ ପଦକ୍ଷେପ ନେଇଛନ୍ତି । ପୂର୍ବ ଅନ୍ତରୀଣ ମୁଖ୍ୟ ଏମ. ନାଗେଶ୍ୱର ରାଓଙ୍କ ଦ୍ୱାରା କରାଯାଇଥିବା ବଦଳି ଆଦେଶଗୁଡିକୁ ବର୍ମା ବାତିଲ କରିଦେଇଛନ୍ତି । ବର୍ମାଙ୍କ ଟିମରେ ଥିବା ୧୦ଜଣ ଅଧିକାରୀଙ୍କୁ ନାଗେଶ୍ୱର ରାଓ ବଦଳି କରିଥିଲେ ।

ବର୍ମାଙ୍କୁ ପୁନଃ ଦାୟିତ୍ୱ ମିଳିଥିଲେ ମଧ୍ୟ ସେ କୌଣସି ବଡ ନିଷ୍ପତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଏବଂ ପ୍ରଧାନବିଚାରପତିଙ୍କୁ ନେଇ ଗଠିତ ଚୟନ କମିଟିର ନିଷ୍ପତି ପରେ ହିଁ ବର୍ମା ତାଙ୍କର ସ୍ୱାଭାବିକ କାର୍ଯ୍ୟ କରିପାରିବେ ବୋଲି କୋର୍ଟ ସ୍ପଷ୍ଟକରିଥିଲେ । କମିଟି ଏ ବାବଦରେ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବେ । ଆସନ୍ତା ୩୧ତାରିଖରେ ବର୍ମାଙ୍କ କାର୍ଯ୍ୟକାଳ ଶେଷ ହେବ ।

ବର୍ମା ୩୧ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ କି ନାହିଁ ତାହା ଚୟନ କମିଟି ବୈଠକରେ ନିଷ୍ପତି ନିଆଯିବାକୁ ଥିବାବେଳେ ପ୍ରଧାନବିଚାରପତି ରଞ୍ଜନ ଗୋଗଇ ଏହି ବୈଠକରୁ ଓହରି ଯାଇଛନ୍ତି । ବୈଠକରେ ଯୋଗ ଦେବାକୁ ସେ ଜଷ୍ଟିସ୍ ଏ.କେ, ସିକ୍ରିଙ୍କ ନାମକୁ ସୁପାରିଶ୍ କରିଛନ୍ତି । ଚୟନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ଓ ବିରୋଧୀଦଳ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ ଉପସ୍ଥିତ ରହିବେ । ତେବେ ଖଡଗେ ମଧ୍ୟ ଏହି ବୈଠକରେ ଯୋଗଦେବାକୁ ଅଧିକ ସମୟ ଲୋଡିଥିବା ଜଣାପଡିଛି ।