ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ! ମୋଦି ସରକାରଙ୍କ ସଫଳତା ବର୍ଣ୍ଣନା କଲେ ରାମନାଥ କୋବିନ୍ଦ

144

କନକ ବ୍ୟୁରୋ : ସଂସଦରେ ଆରମ୍ଭ ହୋଇଯାଇଛି ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି । ଅଭିଭାଷଣରେ ସେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଛନ୍ତି । ସେପଟେ ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ । ସଂସଦର ଉଭୟ ଗୃହକୁ ସୁରୁଖୁରରେ ଚଳାଇବା ପାଇଁ ସମସ୍ତ ଦଳକୁ ମୋଦି ଅନୁରୋଧ କରିଛନ୍ତି । ସଂସଦରେ ଖୋଲାମନରେ ଆଲୋଚନା ପାଇଁ ମୋଦି ସ୍ୱାଗତ କରିଛନ୍ତି । ସଦନର ସମୟକୁ ସଦୁପଯୋଗ କରିବା ସହ ବିତର୍କରେ ସମସ୍ତ ଦଳ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

– ରାଷ୍ଟ୍ରପତି କହିଛନ୍ତି, କଳାଧନପାଇଁ କଠୋର ଆଇନ ହୋଇଛି । କଳାଧନ ନେଇ କିଛି ଦେଶ ସହ ବୁଝାମଣା ହୋଇଛି କଳାଧନ ଓ ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ ହୋଇଛି

– ମୁଦ୍ରା ଯୋଜାନାରେ ମହିଳାମାନେ ଅଧିକ ଲାଭବାନ୍ ହୋଇପାରିଛନ୍ତି । ୭୩ ପ୍ରତିଶତ ଋଣ କେବଳ ମହିଳାମାନଙ୍କୁ ହିଁ ପ୍ରଦାନ କରାଯାଇଛି । ଏହାବ୍ୟତୀତ ମହିଳା ଶସକ୍ତିକରଣ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି ।

– ଖୁବ ଶୀଘ୍ର ଦେଶର ସମସ୍ତ ଘରକୁ ବିଜୁଳି ସଂଯୋଗ ହେବ । ଆଉ କୌଣସି ବି ପରିବାର ଅନ୍ଧାରରେ ଜୀବନ ଜୀଇଁବେ ନାହିଁ । ନିବେଶରେ ନୂଆ ବିକଳ୍ପରେ ପୁଞ୍ଜି ବଢ଼ାଇବା ପାଇଁ ଜୋର ଦିଆଯାଉଛି ।

– ୨୦୧୪ ପୂର୍ବରୁ ଦେଶ ଘୋର ଅନିଶ୍ଚିତତା ଦେଇ ଗତି କରୁଥିଲା । ଆର୍ଥିକ କ୍ଷେତ୍ରରେ ବି ପ୍ରଗତି ହୋଇଛି । ମେକ ଇନ ଇଣ୍ଡିଆରେ ପ୍ରଭାବ ବି ପରିଲକ୍ଷିତ ହୋଇଛି । ଜିଏସଟି ଯୋଗୁଁ ଲାଗୁହୋଇଛି ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ ବ୍ୟବସ୍ଥା । ଏହାଦ୍ୱାରା କାରବାର କରିବା ବି ସହଜ ହୋଇପାରିଛି । ଲୋକଙ୍କ ମତ ଅନୁସାରେ ଜିଏସଟିରେ ଅନେକ ପରିବର୍ତନ କରାଯାଇଛି ।

– ଦେଶର ବିକାଶରେ କୃଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୃଷକଙ୍କୁ ସହାୟତା ଯୋଗାଇବା ପାଇଁ ଓ ଆୟକୁ ଦୁଇଗୁଣା କରିବା ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି । ଭଲ ଗୁଣବତ୍ତାର ବିହନ, ବୈଜ୍ଞାନିକ ଉପାୟରେ କୃଷି କରିବା ଉପରେ ମଧ୍ୟ କାମ କରାଯାଇଛି । ମୋ ସରକାର ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି ।

– ରାମନାଥ କୋବିନ୍ଦ କହିଛନ୍ତି ସାଧାରଣ ଲୋକଙ୍କ ଦୁଃଖ ବୁଝିବା ପାଇଁ ସରକାର ବିଭିନ୍ନ ସୁବିଧାକୁ ପ୍ରାଥମିକତା ଦେଇଛନ୍ତି । ବିଭିନ୍ନ ଯୋଜନା ଗୁଡ଼ିକୁ ନୂଆ ରୂପ ଦେଇ ଅଭୂତପୂର୍ବ କାମ କରିଛନ୍ତି ।

– ଶୌଚାଳୟ ନଥିବାରୁ ମହିଳା ଓ ଯୁବତୀ ଓ ଝିଅଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡ଼ୁଥିଲା । ଆଉ ଏବେ ୯ କୋଟି ଶୌଚାଳୟ ନିର୍ମାଣ ହୋଇଛି ।

– ଚୁଲିରେ ରୋଷେଇ କରିବା ଯୋଗୁଁ ଝିଅବୋହୁମାନେ ରୋଗରେ ପଡ଼ୁଥିଲେ । କିନ୍ତୁ ମୋ ସରକାରଙ୍କ କାଳରେ ଉଜ୍ଜଳା ଯୋଜନା ଅନୁସାରେ ୬ କୋଟିରୁ ଅଧିକ ଗ୍ୟାସ କନେକ୍ସନ ଦିଆଯାଇଛି ।

– ମୋ ସରକାର ନୂଆ ଭାରତର ସ୍ୱପ୍ନ ଦେଖିଥିଲେ । ୨୦୧୪ ନିର୍ବାଚନ ପୂର୍ବରୁ ଅନିଶ୍ଚିତତା ଭିତରେ ଗତି କରୁଥିଲା ଦେଶ । ମୋ ସରକାର ଆସିବା ପରେ ଏକ ନୂଆ ଭାରତ ଗଢି଼ବାର ସଙ୍କଳ୍ପ ନିଆଯାଇଥିଲା । ସବୁ ଗାଁରେ ଗ୍ୟାସ୍, ସମସ୍ତଙ୍କୁ ଶିକ୍ଷା ଓ ରୋଜଗାର ଦେବାପାଇଁ ମୋଦି ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ।

– ୧୨ ଲକ୍ଷ ବିଦ୍ୟାଙ୍ଗଙ୍କୁ ସହୟତା ଉପକରଣ ଯୋଗାଇ ଦିଅଯାଇଛି । ଶିଶୁମାନଙ୍କ ପ୍ରତି ଅପରାଧ ହ୍ରାସ ପାଇଁ କଡ଼ା ପଦକ୍ଷେପ ନିଆଯାଇଛି । ଗତ ୪ ବର୍ଷରେ ମେଡ଼ିକାଲ ଶିକ୍ଷା ପାଇଁ ୩୧ ହଜାର ଅଧିକ ସିଟ୍ ଯୋଡ଼ାଯାଇଛି ।

– ମୁସଲମାନ୍ ମହିଳାଙ୍କ ପାଇଁ ମୋ ସରକାର ଟ୍ରିପଲ୍ ତଲାକ୍ ବିଲ ଆଣିଛନ୍ତି । ଲୋକସଭାରେ ପାରିତ ହୋଇଛି ଟ୍ରିପଲ୍ ତଲାକ୍ ବିଲ୍ । ନାବାଳିକା ଦୁଷ୍କର୍ମକାରୀଙ୍କ ପାଇଁ ଫାଶୀ ଦଣ୍ଡର ବ୍ୟବସ୍ଥା କରାଯାଇଛି ।

– ଗତ ସାଢ଼େ ୪ବର୍ଷରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିଛି । ଜନଧନ ଯୋଜନାରେ ୩୪ କୋଟି ଲୋକଙ୍କ ଖାତା ଖୋଲାଯାଇଛି । ମହିଳାଙ୍କ ରୋଜଗାର ଉପରେ ଫୋକସ୍ ରହିଛି ।

– ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରର ଓ ଗାଁ ଲୋକଙ୍କୁ ଘର ଯୋଗାଇଦିଆଯାଇଛି । ବର୍ତ୍ତମାନ ସମୟରେ ଘର କିଣାବିକା ସାହାଯ୍ୟ ହୋଇଛି । ମଧ୍ୟବିତ୍ତ ଲୋକଙ୍କ ରୋଜଗାର ବଢ଼ାଇବା ଲକ୍ଷ୍ୟରେ ଅଛନ୍ତି ସରକାର ।