ସୀମାରେ ସିପାହୀଙ୍କୁ ନିମ୍ନ ମାନର ଖାଦ୍ୟ ପ୍ରସଙ୍ଗ : ଆସିଲା ବିଏସଏଫର କୋର୍ଟ ଅଫ ଇନକ୍ୱାରୀ ରିପୋର୍ଟ

29

କନକ ବ୍ୟୁରୋ : ଯବାନଙ୍କ ଅଭିଯୋଗର ସଫେଇ ରଖିଲା ବିଏସଏଫ । ପ୍ରାଥମିକ ତଦନ୍ତ ପରେ ଡାଲିରେ ଅଳ୍ପ ଜିରା ଓ ପିଆଜ ପଡିଥିବା କହିଲା ସୀମା ସୁରକ୍ଷା ବଳ । ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆଣିଥିଲେ ବିଏସଏଫ କନଷ୍ଟେବଳ ତେଜ ବାହାଦୂର । ଏହାପରେ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିଲା । ବିଏସଏଫ କ୍ୟାମ୍ପରେ ଅର୍ଦ୍ଧସାମରିକ ବଳ ଡିଆଇଜିଙ୍କ ନେତୃତ୍ୱରେ ତଦନ୍ତ କରିବା ପରେ ଏଭଳି ରିପୋର୍ଟ ଦିଆଯାଇଛି ।

ଡାଲିରେ ଛୁଂକ ଦେବା ପାଇଁ ସେଦିନ ବିଏସଏଫ କ୍ୟାମ୍ପରେ ଜିରା ଓ ପିଆଜ ଉପଲବ୍ଧ ନଥିବାରୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଯବାନ ଜଣକ ଅଭିଯୋଗ ଆଣିଥିଲେ ବୋଲି କୋର୍ଟ ଅଫ୍ ଇନକ୍ୱାରିରେ କୁହାଯାଇଛି । ତେବେ ଦୁଇ ତିନି ଦିନ ଧରି ବେସ୍ କ୍ୟାମ୍ପରେ ଜିରା ଉପଲବ୍ଧ ନଥିଲା ଓ ଯେଉଁଦିନ ଏହି ଅଭିଯୋଗ ଆସିଲା ସେହି ଦିନ ହିଁ ବେସ୍ କ୍ୟାମ୍ପରେ ଜିରା ପହଂଚାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରେ କୁହାଯାଇଛି ।

ଏପରିକି ଡାଲିକୁ ବାଦ୍ ଦେଇ ମେନ୍ୟୁରେ ଅଲଗା ଖାଦ୍ୟ ସାମଗ୍ରୀ ମଧ୍ୟ ଥିଲା କିନ୍ତୁ ସେ ନେଇ ତେଜପାଲ କୌଣସି ଅଭିଯୋଗ ଆଣିନାହାନ୍ତି । ଆସନ୍ତା କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଆସିବ ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି । ଅଭିଯୋଗ କରାଯାଇଥିବା ଦିନ ମେନ୍ୟୁରେ ରୁଟି, ତରକାରୀ, ଆଚାର ଓ କଫି ବ୍ରେକଫାଷ୍ଟରେ ଦିଆଯାଇଥିଲା । ଏହାପରେ ମଧ୍ୟାହ୍ନ ଭୋଜନରେ ରୁଟି, ଭାତ, ଡାଲି ଓ ଫଳ ଏବଂ ରାତ୍ରି ଭୋଜନରେ ରୁଟି, ଭାତ, ମୁଗଡାଲି, ତରକାରୀ ଓ ମାଛ ଦିଆଯାଇଥିବା ବୋଲି ପ୍ରାଥମିକ ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

ଏପରିକି ତେଜ ବାହାଦୂରଙ୍କ ଅଭିଯୋଗକୁ ବେସ୍ କ୍ୟାମ୍ପରେ ନିୟୋଜିତ ଅନ୍ୟ ଯବାନମାନେ ମଧ୍ୟ ସମର୍ଥନ କରୁନଥିବା ବିଏସଏଫ କହିଛି । ସେପଟେ ଜାନୁୟାରୀ ୩୧ତାରିଖରେ ଇଚ୍ଛାଧିନ ଅବସର ଗ୍ରହଣ ପରେ ସେ ଘରକୁ ଫେରିବାର ଥିଲା । କିନ୍ତୁ ତେଜ ବାହାଦୂରଙ୍କ ଇଚ୍ଛାଧିନ ଅବସରକୁ ବିଏସଏଫ ଅଗ୍ରାହ୍ୟ କରିଦେଇଛି ।

ଘଟଣାର ତଦନ୍ତ ଚାଲୁଥିବାରୁ ସେ ଚାକିରୀରୁ ଅବସର ଗ୍ରହଣ କରିପାରିବେ ନାହିଁ ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି । ସୀମାରେ ନିୟୋଜିତ ଯବାନଙ୍କୁ ଅତି ନିମ୍ନ ମାନର ଖାଦ୍ୟ ପରସା ଯାଉଥିବା ନେଇ ତେଜ ବାହାଦୂରଙ୍କ ଭିଡିଓ ଭାଇରାଲ ହୋଇଥିଲା । ଏପରିକି ସୀମା ସୁରକ୍ଷା କରୁଥିବା ଯବାନଙ୍କୁ ଅନେକ ସମୟରେ ଭୋକ ଉପବାସରେ ଶୋଇବାକୁ ପଡୁଥିବା ମଧ୍ୟ ସେ ଅଭିଯୋଗ ଆଣିଥିଲେ  ।