ଚୀନ ମାଟିରେ ପାକିସ୍ତାନକୁ କଡା ଜବାବ ! ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦକୁ ନିନ୍ଦା

43

କନକ ବ୍ୟୁରୋ : ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦକୁ କଡା ଭାଷାରେ ନିନ୍ଦା । ଦୁନିଆରେ ଯେଉଁଠି ବି ଆତଙ୍କବାଦ କାର୍ଯ୍ୟକଳାପ ରହିଛି ସବୁଠୁ ମୂଳପୋଛ କରିବାକୁ ନିଆଗଲା ନିଷ୍ପତି । ଆଉ ଏହାସହ ଭାରତକୁ ପୁଣିଥରେ କୁଟନୈତିକ ବିଜୟ ମିଳିଥିବା ବେଳେ ଚୀନ ମାଟିରୁ ପାକକୁ ଲାଗିଛି ଶକ୍ତ ଧକ୍କା ।

ଚୀନରେ ଚାଲିଛି ୯ମ ବ୍ରିକ୍ସ ସମ୍ମିଳନୀ । ଯେଉଁଥିରେ ଭାରତ ମଧ୍ୟ ବ୍ରିକ୍ସ ଦେଶମାନଙ୍କ ସହ ସାମିଲ ହୋଇଛି । ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଠାଇଥିଲେ ଆତଙ୍କବାଦ ପ୍ରସଙ୍ଗ । ଯାହାକୁ ନେଇ ପ୍ରତିକ୍ରିୟା ରଖିଥିଲେ ପାଂଚ ବ୍ରିକ୍ସ ଦେଶ । ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ଏକ ସ୍ୱରରେ କଡା ଭାଷାରେ ନିନ୍ଦା କରିଥିଲେ ଆତଙ୍କବାଦର । ସାରା ଦୁନିଆରୁ ଆତଙ୍କବାଦର ବିଲୋପ ପାଇଁ ବି ପ୍ରସ୍ତାବ ଗ୍ରହଣ କରାଯାଇଛି । ଯଦିଓ ଏଥିରେ ସିଧାସଳଖ ପାକିସ୍ତାନର ନାଁ ନିଆଯାଇନି କିନ୍ତୁ ପରୋକ୍ଷରେ ଆତଙ୍କବାଦର ବିଲୋପ ପାଇଁ ସତର୍କ କରାଯାଇଛି ।

ବ୍ରିକ୍ସ ଦେଶମାନଙ୍କ ତରଫରୁ ଜାରୀ କରାଯାଇଥିବା ଘୋଷଣାପତ୍ରରେ ସାରା ବିଶ୍ୱର ସୁରକ୍ଷା ନେଇ ଚିନ୍ତାବ୍ୟକ୍ତ କରାଯାଇଛି । ଏପରିକି ଦୁନିଆସାରା ଯେଉଁଠି ବି ଆତଙ୍କବାଦ କାର୍ଯ୍ୟକଳାପ ହେଉଛି ତାହା ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଲସ୍କର ଇ ତୋଇବା, ଜୈସ ଇ ମହମ୍ମଦ, ତାଲିବାନ, ଆଇଏସଆଇଏଲ, ଅଲକାୟଦା ଭଳି ୧୦ଟି ଆତଙ୍କବାଦୀ ସଂଗଠନ ନେଇ ଆଲୋଚନା ହୋଇଛି ।

ଘୋଷଣାପତ୍ରରେ ସ୍ଥାନ ପାଇଥିବା ୧୦ଟି ଆତଙ୍କବାଦୀ ସଂଗଂନ ମଧ୍ୟରକୁ କିଛି ଏମିତି ସଂଗଠନ ରହିଛି ଯାହାର ପାକିସ୍ତାନ ସହ ସିଧାସଳଖ ସଂପର୍କ ରହିଥିବା କୁହାଯାଉଛି । ଲଗାତର ଭାବେ ଚୀନ ଓ ପାକିସ୍ତାନ ମଧ୍ୟରେ ସଂପର୍କ ବୃଦ୍ଧି ପାଉଥିବାରୁ ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗରେ ଚୀନର ଭୁମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏପରିକି ପୂର୍ବରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆତଙ୍କବାଦ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖୁନଥିବା ବେଳେ ନିଜ ମାଟିରେ ବ୍ରିକ୍ସ ଦେଶମାନଙ୍କ ସହ ମିଶି ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ପାଇଁ ପ୍ରସ୍ତୁତ ଥିବାରୁ ଏହାକୁ ଭାରତର ଏକ ବଡ କୁଟନୈତିକ ସଫଳତା ବୋଲି କୁଟନୈତିଜ୍ଞ ମାନେ ମତ ଦେଇଛନ୍ତିି ।

ସେପଟେ ଚୀନ ମାଟିରେ ଭାରତକୁ ଭବ୍ୟ ସ୍ୱାଗତ କରାଯାଇଛି । ଡୋକଲାମରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହୁଥିବା ବେଳେ ମୋଦିଙ୍କୁ ଭିନ୍ନ ଢ଼ଙ୍ଗରେ ସ୍ୱାଗତ କରାଯାଇଥିଲା । ପ୍ରସିଦ୍ଧ ଗଜଲ ଗାୟକ ଜଗଜୀତ ସିଂଙ୍କ କଣ୍ଠରେ ହୋଠୋ ସେ ଛୁଲୋ ତୁମ କେ ସାଥ ଗୀତରେ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା । ଯଦିଓ ଏହି ଗୀତ ସହ ସ୍ୱାଗତ ଉତ୍ସବର କୌଣସି ସମ୍ବନ୍ଧ ନାହିଁ ବୋଲି କୁହାଯାଇଛି କିନ୍ତୁ ଚୀନ ମାଟିରେ ମୋଦିଙ୍କୁ ଏପରି ସ୍ୱାଗତ ପ୍ରଭାବଶାଳୀ ହେବ ବୋଲି କୁହାଯାଉଛି ।

ତେବେ ବ୍ରିକ୍ସ ସମ୍ମିଳନୀରେ ସୁରକ୍ଷା ପ୍ରସଙ୍ଗ ଉଠାଇ ମୋଦି କହିଛନ୍ତି ଶାନ୍ତି, ସୁରକ୍ଷା ଓ ବିକାଶ ପାଇଁ ସବୁ ଦେଶ ଅନ୍ୟଦେଶକୁ ସହଯୋଗ କରିବା ଜରୁରୀ । ହିନ୍ଦୁସ୍ତାନର ଯୁବକ ଦେଶର ବଡ ଶକ୍ତି ବୋଲି କହିଛନ୍ତି ମୋଦି । ଗରିବୀ ସହ ଲଢ଼ାଇ ଓ ପରିମଳ ଉପରେ ଭାରତ ଧ୍ୟାନ ଦେଉଥିବା ମୋଦି କହିଛନ୍ତିି ।

ଅନ୍ୟପଟେ ଚୀନ ରାଷ୍ଟ୍ରପତି ଜୀନପିଙ୍ଗ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ଆର୍ଥିକ ଓ ବୈଷୟିକ ସହଯୋଗ ପ୍ରସଙ୍ଗ ଉଠାଇଛନ୍ତି । ଏନେଇ ଚୀନ ୭.୬ କୋଟି ଡଲାର ସହଯୋଗ କରିବା ପାଇଁ ମଧ୍ୟ ଘୋଷଣା କରିଛି । ଏହାଛଡା ନବ ବିକାଶ ବ୍ୟାଙ୍କର ପରିଯୋଜନା ପାଇଁ ୪୦ଲକ୍ଷ ଡଲାର ସହଯୋଗ କରିବା ନେଇ ବି ଘୋଷଣା କରିଛି ଚୀନ । ସେହିପରି ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ବିକାଶ ପାଇଁ ବ୍ରିକ୍ସ ସମୂହକୁ ଆହ୍ୱାନ କରିଛି ଚୀନ । ଏହାଦ୍ୱାରା ସମସ୍ତେ ଲାଭବାନ ହେବେ ବୋଲି ରାଷ୍ଟ୍ରପତି ଜିନପିଙ୍ଗ କହିଛନ୍ତି ।

ଗୋଟିଏ ପଟେ ଗୁରୁତ୍ୱପୂର୍ଣ୍ଣ ବ୍ରିକ୍ସ ସମ୍ମିଳନୀ ଚାଲିଥିବା ବେଳେ ଅନ୍ୟପଟେ ଭାରତ-ଋଷ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟ୍ଟୀନଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି । ପ୍ରତିରକ୍ଷା, ସୁରକ୍ଷା ଓ ବାଣିଜ୍ୟ ସଂପର୍କରେ ଉଭୟ ନେତା ଆଲୋଚନା କରିଛନ୍ତି ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୀନରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଚୀନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କୁ ଚୀନରେ ଔପଚାରିକ ସ୍ୱାଗତ କରା ଯାଇଥିବା ବେଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଫଳପ୍ରଦ ହେବ ବୋଲି ଅନୁମାନ କରାଯାଉଛି । ଡୋକଲାମରେ ଉଭୟ ଦେଶ ମୁହାଁମୁହିଁ ପରିସ୍ଥିତିରେ ଥିବା ବେଳେ ଯୁଦ୍ଧକୁ କଳ୍ପନା କରାଯାଉଛି । କିନ୍ତୁ କୁଟନୈତିକ ସ୍ତରରେ ଏହି ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତିି ମୋଦି । ଯୁଦ୍ଧରେ ଦୁଇଦେଶ ସହ ସାରା ବିଶ୍ୱ ପ୍ରଭାବିତ ହେବ, ତେଣୁ ମୋଦି ଶାନ୍ତିି ଓ ସୁରକ୍ଷା ପାଇଁ କୁଟନୀତି ଆପଣାଇବେ ବୋଲି ମତପ୍ରକାଶ ପାଇଛି । ତେବେ ଦୁଇନେତାଙ୍କ ଆଲୋଚନା ଉପରେ ସମସ୍ତଙ୍କର ନଜର ରହିଛି ।