ଟ୍ରେନର ଏସି ବଗିରେ ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସିଖବର ! ଏଣିକି ଆଉ ମିଳିବିନି ମଇଳା କମ୍ବଳ, ରେଳବିଭାଗ ନେଲା ବଡ଼ ନିଷ୍ପତି

55

ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ଖାସକରି ଯେଉଁମାନେ ଟ୍ରେନର ଏସି ବଗିରେ ଯାତ୍ରା କରୁଛନ୍ତି । ଏଣିକି ଟ୍ରେନର ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମଇଳା କମ୍ବଳ ଦିଆଯିବ ନାହିଁ । ଏସି କୋଚରେ ଯାତ୍ରୀ ମାନଙ୍କୁ ଦିଆଯାଉଥିବା କମ୍ବଳକୁ ଏଣିକି ମାସକୁ ଦୁଇଥର ଲେଖାଏଁ ସଫା କରାଯିବ । ପୂର୍ବରୁ ଏହା ଦୁଇ ମାସରେ ଥରେ ଲେଖାଏଁ ସଫା କରାଯାଉଥିଲା । ଏହାଛଡ଼ା ରେଳୱେ କମ୍ବଳର ମାନରେ ମଧ୍ୟ ପରିବର୍ତନ କରାଯିବ । ଏପରିକି ଯେଉଁ କମ୍ବଳକୁ ଏବେ ଚାରି ବର୍ଷ ଲେଖାଏଁ ବ୍ୟବହାର କରାଯାଉଛି ତାହାକୁ ୨ ବର୍ଷ ଲେଖାଏଁ ବ୍ୟବହାର କରାଯିବ । ଯାତ୍ରୀଙ୍କୁ ଦିଆଯାଉଥିବା ମଇଳା ଚାଦର, ତକିଆ ଓ କମ୍ବଳକୁ ନେଇ ରେଲୱେ ଉପରେ ବର୍ଷିଥିଲେ ସିଏଜି ।

ରେଲୱେ ବୋର୍ଡ଼ ଦ୍ୱାରା ଏକ ନିର୍ଦ୍ଦେଶାନାମା ଜାରି କରି କୁହାଯାଇଛି ଯେ, ଏସି ବଗିରେ ଯାତାୟତ କରୁଥିବା ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳ ସମ୍ପୂର୍ଣ୍ଣ ଭାବେ ସଫା ଓ କୀଟାଣୁ ମୁକ୍ତ ହେବା ଆବଶ୍ୟକ । ଉଲ ଓ ନାଇଲନ କପଡ଼ାରେ ତିଆରି ହୋଇଥିବା କମ୍ବଳ ଏଣିକି ବ୍ୟବହାର କରାଯିବ । ଏହାର ମୂଲ୍ୟ ଏବେ ବ୍ୟବହାର କରାଯାଉଥିବା କମ୍ବଳ ମୂଲ୍ୟର ଦୁଇଗୁଣ । ଏହି ନୂଆ କମ୍ବଳଟି ୬୦ ପ୍ରତିଶତ ଉଲ ଓ ୧୫ ପ୍ରତିଶତ ନାଇଲନ କପଡ଼ାରେ ତିଆରି ହେବ । ଏହି ନୂଆ କମ୍ବଳର ଓଜନ ମାତ୍ର ୪୫୦ ଗ୍ରାମ ରହିବ ।

ମଇଳା କମ୍ବଳକୁ ନେଇ ରେଲୱେ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ଯାତ୍ରୀ । ତେଣୁ ବାଧ୍ୟ ହୋଇ ରେଳ ବିଭାଗ ଏଭଳି ନିଷ୍ପତି ନେଇଛି । ଦେଶରେ ଚାଲୁଥିବା ସମସ୍ତ ଟ୍ରେନର ଏସି ବଗିର ଯାତ୍ରୀଙ୍କ ପାଇଁ ପ୍ରତ୍ୟେକ ଦିକ ୩.୯୦ ଲକ୍ଷ କମ୍ବଳ ଆବଶ୍ୟକ । ଫାଷ୍ଟ କ୍ଲାସ ଏସିରେ ଯାତ୍ରୀ ମାନେ ବ୍ୟବହାର କରୁଥିବା କମ୍ବଳ ଥରେ ବ୍ୟବହାର କରିବା ପରେ ଏହାର କଭର ବଦଳାଯାଇଥାଏ । କିନ୍ତୁ ଟାୟାର-୨ ଏସି ଓ ଟାୟାର-୩ ଏସି କ୍ଲାସ ପାଇଁ ଏଭଳି ସୁବିଧା ଉପଲବ୍ଧ ନଥାଏ । ତେଣୁ ଏହି ବଗିରେ ଅଧିକାଂଶ ସମୟ ମଇଳା କମଳ ଦେଖିବାକୁ ମିଳିଥାଏ । କମ୍ବଳର ଗୁଣବତ୍ତାରେ ସୁଧାର ଆଣିବା ପରେ ଏହି କମ୍ବଳକୁ ମାସକୁ ୨ ଥର ଲେଖାଏଁ ଧୁଆଯିବ । ଗୋଟିଏ ବର୍ଷ ପରେ ଏହି ପକ୍ରିୟାର ସମୀକ୍ଷା କରାଯିବ ବୋଲି ରେଳ ବିଭାଗ କହିଛି ।