ସ୍ୱିଜରଲ୍ୟାଣ୍ଡକୁ ଚାଲିଗଲା ଭାରତର ଟଙ୍କା ! କେନ୍ଦ୍ରମନ୍ତ୍ରୀ କହିଲେ, ବିଦେଶରେ ଜମା ହୋଇଥିବା ଟଙ୍କାକୁ କଳାଧନ କାହିଁକି କୁହାଯିବ ?

26

କନକ ବ୍ୟୁରୋ : ସ୍ୱିସ୍ ବ୍ୟାଙ୍କ ମୁହାଁ ଭାରତୀୟ ଜମାକାରୀ । ଭାରତୀୟ ରଜର୍ଭ ବ୍ୟାଙ୍କର କଡା ନିୟମ ସତ୍ୱେ ଗୋଟିଏ ବର୍ଷରେ ସ୍ୱିସ୍ ବ୍ୟାଙ୍କରେ ୫୦ ପ୍ରତିଶତ ବଢ଼ିଛି ଭାରତୀୟଙ୍କ ଜମା ଟଙ୍କା । ଏହାକୁ ନେଇ ମୋଦି ସରକାର ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ କଳାଧନ ଫେରାଇ ଆଣିବା ନାରା ଦେଇ କ୍ଷମତାକୁ ଫେରିଥିବା ସରକାରକୁ ଘେରିବାକୁ ବିରୋଧୀ ପାଇଛନ୍ତି ନୂଆ ସୁଯୋଗ । ତେବେ କଣ ପାଇଁ ଭାରତୀୟ ଜମାକାରୀ ସ୍ୱିସ୍ ବ୍ୟାଙ୍କ୍ ମୁହାଁ ହେଉଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ବିତର୍କ ।

ବିଦେଶରେ ଥିବା କଳାଧନକୁ ଭାରତକୁ ଆଣିବା ନାରା ଦେଇ କ୍ଷମତାକୁ ଆସିଥିଲା ମୋଦି ସରକାର । କଳାଧନ ତ ଆସିଲାନାହିଁ, ବରଂ ବଢି ଚାଲିଛି ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା । କଳାଧନର ଭୂସ୍ୱର୍ଗ କୁହାଯାଉଥିବା ଏହି ବ୍ୟାଙ୍କରେ ୨୦୧୭ରେ ଜମା ହୋଇଛି ୭୦୦୦ କୋଟି ଟଙ୍କା । ଅର୍ଥାତ୍ ୨୦୧୬ରେ ଯେତିକି ଜମା ହୋଇଥିଲା ତାହାଠାରୁ ୫୦ ପ୍ରତିଶତ ଅଧିକ । କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଯଦି ବେଆଇନ ଭାବେ କେହି ଜମା ରଖିଥିବେ, ସେମାନଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ତେବେ ଏହି ଜମା ରାଶିକୁ କଳାଧନ କାହିଁକି କୁହାଯିବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଅର୍ଥମନ୍ତ୍ରୀ ।

ଅନ୍ୟପଟେ କାହିଁକି ଭାରତୀୟମାନେ ବିଦେଶରେ ଟଙ୍କା ରଖିବାକୁ ପସନ୍ଦ କରୁଛନ୍ତି, ଏ ନେଇ ଆରମ୍ଭ ହୋଇଯାଇଛି ତର୍ଜମା । କଳାଟଙ୍କା ଉପରେ ସରକାର କଡ଼ା ନଜର ରଖିଥିବାରୁ ୨୦୧୬ରେ ହ୍ରାସ ପାଇଥିଲା ସ୍ୱିସବ୍ୟାଙ୍କରେ ଜମା । ତେବେ ବିମୁଦ୍ରାୟନ ପରେ ପୁଣି ଥରେ ବଦଳି ଯାଇଛି ସ୍ଥିତି । ପୁଣି ଥରେ ସ୍ୱିସବ୍ୟାଙ୍କ ମାୟାରେ ପଡିଛନ୍ତି ଭାରତୀୟ । ନଜର ପକାଇବା କିଛି ବଡ଼ କାରଣ ଉପରେ ।
– ବିମୁଦ୍ରାୟନ ପରେ ଆୟକର ବିଭାଗ ଓ ଇଡିର ଘନ ଘନ ରେଡ୍
– ଭାରତୀୟ ମୁଦ୍ରା ବ୍ୟବସ୍ଥା ଓ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଉପରେ ସଂଦେହ
– ଏନପିଏ ବୃଦ୍ଧି ଯୋଗୁଁ ଭାରତୀୟ ବ୍ୟାଙ୍କଗୁଡିକ ହରାଉଛନ୍ତି ଆସ୍ଥା
– ଜମାରାଶି ଉପରେ ଆକର୍ଷଣୀୟ ନୁହେଁ ବ୍ୟାଙ୍କଗୁଡିକର ସୁଧହାର

ସେପଟେ କଂଗ୍ରେସ ଅଭିଯୋଗ କରିଛି ଆର୍ଥିକ ପରିଚାଳନାରେ ସରକାର ବ୍ୟର୍ଥ ହୋଇଥିବାରୁ ବୃଦ୍ଧି ପାଉଛି ସ୍ୱିସ୍ ବ୍ୟାଙ୍କରେ ଜମା ।ଜଣେ ଭାରତୀୟ, ବିଦେଶରେ କେତେ ଟଙ୍କା ଜମା କରିପାରିବ ସେ ନେଇ ରହିଛି ରିଜର୍ଭ ବ୍ୟାଙ୍କର କଡ଼ା ନିୟମ । ହେଲେ ନିୟମକୁ ପରୱା ନକରି ଦେଶ ବାହାରକୁ ଚାଲିଯାଉଛି ଭାରତୀୟଙ୍କ ଟଙ୍କା, ଯାହାକୁ ରୋକିବାରେ ଅସମର୍ଥ ହେଉଛନ୍ତି ସରକାର ।