ଖସିପଡିଲା ବଦ୍ରିନାଥରୁ ହରିଦ୍ୱାର ଆସୁଥିବା ହେଲିକପଟର ! ଚିଫ ଇଂଜିନିୟର ମୃତ, ୨ ପାଇଲଟ ଓ ୫ ଯାତ୍ରୀ ସୁରକ୍ଷିତ

26

କନକ ବ୍ୟୁରୋ : ଖସିପଡିଲା ହେଲିକପ୍ଟର । ତୀର୍ଥଯାତ୍ରୀଙ୍କୁ ନେଇ ବଦ୍ରିନାଥରୁ ହରିଦ୍ୱାର ଆସୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ହେଲିକପ୍ଟର କ୍ରାସ ହେବା ଯୋଗୁଁ ଘଟଣାସ୍ଥଳରେ ଜଣେ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ଯାତ୍ରୀକ ତ୍ରୁଟି ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ପୁଲିସ ଦୁର୍ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଆଜି ସକାଳେ ତୀର୍ଥ ଯାତ୍ରୀଙ୍କୁ ନେଇ ବଦ୍ରିନାଥରୁ ଟେକ୍ ଅଫ କରିବା ମାତ୍ରେ ହେଲିକପ୍ଟରଟି ତଳକୁ ଖସି ପଡିଥିଲା ।

ଦୁର୍ଘଟଣା ପରେ ହେଲିକପ୍ଟରରୁ ବାହାରିବା ସମୟରେ ବ୍ଲେଡରେ ଆଘାତ ଯୋଗୁ ଚିଫ୍ ଇଞ୍ଜିନିୟର ବିକ୍ରମ ଲାମ୍ବାଙ୍କ ମୃତ୍ୟୁ ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି । ତେବେ ଦୁଇ ପାଇଲଟ ସାମାନ୍ୟ ଆହତ ହୋଇଥିବାବେଳେ ପାଂଚ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଗଢୱାଲ କମିଶନର ବିନୋଦ ଶର୍ମାଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତରାଖଣ୍ଡ ମୁଖ୍ୟ ସଚିବ ଏସ୍ ରାମସ୍ୱାମୀ । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ମୁମ୍ବାଇର କ୍ରିଷ୍ଟାଲ ଏଭିଏସନ କମ୍ପାନୀର ବୋଲି ଜଣାପଡିଛି ।