ବାଜପେୟୀଙ୍କ ସେହି ଗୋଟିଏ ନିଷ୍ପତି । ଯାହା ବଦଳାଇ ଦେଇଥିଲା ନରେନ୍ଦ୍ର ମୋଦିଙ୍କ ଭାଗ୍ୟ

45

ଶୂନରୁ ସରକାର । ବିଜେପିକୁ ଶୂନ୍ୟରୁ ଶିଖରରେ ପହଞ୍ଚାଇଥିବା ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଇହଧାମ ତ୍ୟାଗ କରିଛନ୍ତି ସତ କିନ୍ତୁ ଭବିଷତ୍ୟ ପାଇଁ ଏକ ନୂଆ ପିଢୀ ମଧ୍ୟ ପ୍ରସ୍ତୁତ କରିଥିଲେ ଯାହାଙ୍କ ହାତରେ ଆଜି ଭାରତର ଶାସନ ଡୋରି ରହିଛି । କେବଳ କେନ୍ଦ୍ର ନୁହେଁ ବରଂ ୨୦ରୁ ଉଦ୍ଧ୍ୱର୍ ରାଜ୍ୟରେ କ୍ଷମତାରେ ରହିଛି ବିଜେପି । ଆଉ ସେଥିପାଇଁ ତ ବାଜପେୟୀଙ୍କୁ ବିଜେପିର ଭୀଷ୍ମ ପିତାମହ କୁହାଯାଏ । ଆଉ ସେଥିପାଇଁ ତ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ବଡ ବଡ କାର୍ଯ୍ୟକ୍ରମରେ ନିଜର ଭାଷଣରେ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇବାକୁ ଆଦୌ ଭୁଲନ୍ତି ନାହିଁ ।

ମୋଦି ଓ ବାଜପେୟୀଙ୍କ ମଧ୍ୟରେ ଘନିଷ୍ଠ ସର୍ମ୍ପକ ରହିଥିଲା । ଯାହାର ଝଲକ ଅନେକ ସମୟରେ ଦେଖିବାକୁ ମିଳିଛି । ଆଉ ସବୁଠୁ ବଡ କଥା ହେଲା, ଅଟଳ ବିହାରୀ ବାଜପେୟୀଙ୍କ ଗୋଟିଏ ନିଷ୍ପତି ଯୋଗୁଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତିର ଶିଖରରେ ପହଞ୍ଚିବାକୁ ସକ୍ଷମ ହୋଇଛନ୍ତି । ବାଜପେୟୀଙ୍କ ଗୋଟିଏ ନିଷ୍ପତି ବଦଳାଇ ଦେଇଥିଲା ମୋଦିଙ୍କ ଭାଗ୍ୟ । ଆଉ ସାଧାରଣ ବିଜେପି କାର୍ଯ୍ୟକତାରୁ ମୋଦିଙ୍କୁ ମିଳିଥିଲା ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ । କହିବାକୁ ଗଲେ ବାଜପେୟୀ ପ୍ରସ୍ତୁତ କରିଥିବା ରୋଡମ୍ୟାପ ଯୋଗୁଁ ପୁଣିଥରେ ଦେଶର ଶାସନ ଡୋରି ଧରିବାକୁ ସକ୍ଷମ ହୋଇଥିଲା ବିଜେପି ।

ଗୁଜରାଟରେ ୧୯୯୫ ମସିହା ନିର୍ବାଚନରେ ବିଜେପି ପୂର୍ଣ୍ଣ ବହୁମତ ହାସଲ କରି ସରକାର ଗଠନ କରିଥିଲା । ସେତେବେଳେ ନରେନ୍ଦ୍ର ମୋଦି ଓ ଶଙ୍କର ସିଂହ ବାଘେଲାଙ୍କୁ ବାଦ୍ ଦେଇ କେଶୁଭାଇ ପଟେଲଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା । ଆଉ ନରେନ୍ଦ୍ର ମୋଦିଙ୍କୁ ଦଳର କାର୍ଯ୍ୟକ୍ରମ ଦେଖିବା ପାଇଁ ଦିଲ୍ଲୀରୁ ଡାକରା ଆସିଥିଲା । ଏହାପରେ ୧୯୯୮ ମସିହାରେ ପୁଣିଥରେ ଗୁଜରାଟରେ ମଧ୍ୟବର୍ତ୍ତିକାଳୀନ ନିବାର୍ଚନ ହୋଇଥିଲା ଯେଉଁଥିରେ ବିଜେପି ପୁଣିଥରେ ବିପୁଳ ବିଜୟ ସହ ଶାସନକୁ ଆସିଥିଲା । ସେତେବେଳେ ମଧ୍ୟ କେଶୁଭାଇ ପଟେଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।

ତେବେ ୨୬ ଜାନୁଆରୀ ୨୦୦୧ରେ ଭୁମିକମ୍ପ ହେବା ଦ୍ୱାରା ଯେପରି ଗୁଜରାଟର ଚିତ୍ର ବଦଳିଯାଇଥିଲା ଠିକ୍ ସେହିପରି ମୋଦିଙ୍କ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆସିଥିଲା । ଏହି ଭୂମିକମ୍ପ ପୂରା ଗୁଜରାଟକୁ ଧ୍ୱଂସ ବିଧ୍ୱଂସ କରିଦେଇଥିଲା । କିନ୍ତୁ ଏଭଳି ସ୍ଥିତିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିଲେ । ନା ଲୋକଙ୍କୁ ଆବଶ୍ୟକୀୟ ସହାୟତା ମିଳି ପାରୁଥିଲା ନା ଉଦ୍ଧାର କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳନା କରାଯାଉଥିଲା । ଆଉ ଏଥିପାଇଁ ସରକାରଙ୍କ ବିରୋଧରେ ଏକ ହାୱା ସୃଷ୍ଟି ହେଲା । ଯାହାର ଝଲକ ୨୦୦୧ ବିଧାନସଭା ଉପନିର୍ବାଚନରେ ଦେଖିବାକୁ ମିଳିଥିଲା ।

ଆଉ ଏଭଳି ସମୟରେ ରାଜ୍ୟ ବିଜେପି ନେତୃବୃନ୍ଦ କେଶୁଭାଇ ପଟେଲଙ୍କ ବିରୋଧରେ ସ୍ୱର ଉଠାଇବାକୁ ମଧ୍ୟ ପଛାଇନଥିଲେ । ଏପରିକି ଉପନିର୍ବାଚନରେ ପରାଜୟ ପରେ କେଶୁଭାଇଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ସ୍ୱାସ୍ଥ୍ୟ ସମସ୍ୟା ଦେଖାଇ କେଶୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ । କେଶୁଭାଇଙ୍କ ଇସ୍ତଫା ସହ ନରେନ୍ଦ୍ର ମୋଦିଙ୍କ ଭାଗ୍ୟ ଉଦୟ ହୋଇଥିଲା । ଅକ୍ଟୋବର ୨୦୦୧ରେ ଦିଲ୍ଲୀରେ ଏକ ଅନ୍ତିମ ସଂସ୍କାର ସମାରୋହରେ ମୋଦି ଥିବାବେଳେ ହଠାତ ପ୍ରଧାନମନ୍ତ୍ରୀ ଅଫିସରୁ ଫୋନ୍ ଆସିଥିଲା ଓ ତୁରନ୍ତ ଦେଖା କରିବାକୁ କୁହାଯାଇଥିଲା । ସେହି ସମୟରେ କେନ୍ଦ୍ରରେ ଏନଡିଏ ସରକାର ଥିବା ବେଳେ ଅଟଳ ବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ଆଉ ସେହିଦିନ ବାଜପେୟୀଙ୍କୁ ଭେଟିବା ପରେ ନରେନ୍ଦ୍ର ମୋଦି ଗୁଜରାଟ ଅଭିମୁଖେ ଯାତ୍ରା କରିଥିଲେ । କାରଣ ଗୁଜରାଟର ନୂଆ ଶାସନ ଭାର ଦାୟିତ୍ୱ ମୋଦିଙ୍କୁ ହାତରେ ଦେଇଥିଲେ ବାଜପେୟୀ । ଆଉ ତା’ପରର ଘଟଣା ଇତିହାସ ସୃଷ୍ଟି କରିଥିଲା । ଆଉ ଏହାପରେ ଲଗାତାର ୨୦୦୨,୨୦୦୭ ଓ୨୦୧୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହେବାର ସୋଭାଗ୍ୟ ଲାଭ କରିଥିଲେ ମୋଦି । ଆଉ ଏହିଭଳି ଭାବେ ବାଜପେୟୀଙ୍କ ଗୋଟିଏ ନିଷ୍ପତି ବଦଳାଇ ଦେଇଥିଲା ମୋଦିଙ୍କ ଭାଗ୍ୟ ।