ନକ୍ସଲଙ୍କୁ ସେନାର ଧମକ ! ଏନକାଉଣ୍ଟରରେ ମହିଳା ନକ୍ସଲ ନିହତ, ଆଇଜି କହିଲେ ଆତ୍ମସମର୍ପଣ କର, ନହେଲେ ଦିଆଯିବ ମୃତ୍ୟୁ ।

26

ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପାଇଁ ଚେତାବନୀ ଦେଇଛି ସେନା । ଆତ୍ମସମର୍ପଣ ନକଲେ ନକ୍ସଲଙ୍କୁ ଦିଆଯାଇଛି ଏନକାଉଣ୍ଟର ଧମକ । ଛତିଶଗଡ଼ର ରାଜନନ୍ଦଗାଓ ଜଙ୍ଗଲରେ ବୁଧବାର ଜଣେ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି । ପୁଲିସ କହିବା ଅନୁସାରେ ଜରିନା ନାମରେ ଜଣେ ମହିଳା ନକ୍ସଲକୁ ନିହତ କରାଯାଇଛି । ଆଇଟିବିପି ଓ ଛତିଶଗଡ଼ ପୁଲିସର ଯୁଗ୍ମ ଏନକାଉଣ୍ଟରରେ ୫ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଥିବା ମହିଳା ନକ୍ସଲକୁ ନିହତ କରାଯାଇଥିବା ପୁଲିସ କହିଛି । ଘଟଣାସ୍ଥଳରୁ ଯବାନମାନେ ୨ଟି ବନ୍ଧୁକ ଓ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।

କୋହକା ଥାନା ଅନ୍ତର୍ଗତ କୋଣ୍ଡାଲା ପାହାଡ ନିକଟରେ ନକ୍ସଲ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଦୁର୍ଗ ରେଞ୍ଜ ଆଇଜି ଜି.ପି ସିଂହ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ବର୍ଷା ପାଗ ଯୋଗୁଁ ଅପରେସନର ରଣନୀତି ସଫଳ ହୋଇଛି । ସେ କହିଛନ୍ତି, ଛତିଶଗଡ଼ ପୁଲିସର ଯବାନମାନଙ୍କୁ ଆଉଟ୍ ଅଫ୍ ଟର୍ଣ୍ଣ ପ୍ରମୋସନ, ନକଦି ପୁରସ୍କାର ରାଶି ଓ ଗ୍ୟାଲେଣ୍ଟ୍ରି ମେଡାଲ ଦ୍ୱାରା ସମ୍ମାନୀତ କରାଯିବ । ଆଇ.ଜି ଜି.ପି ସିଂହ ନକ୍ସଲଙ୍କ ନିକଟରେ ଅପିଲ କରିଛନ୍ତି ଯେ, ଆତ୍ମସମର୍ପଣ କରନ୍ତୁ ନହେଲେ ନିହତ କରି ଦିଆଯିବ । ବର୍ଷା ସତ୍ତ୍ୱେ ପୁଲିସ ଏନକାଉଣ୍ଟର ଜାରି ରଖି ସଫଳତା ହାସଲ କରିଛି ।