ଆଜି ସଂସଦରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍-୨୦୧୯ । ଉଭୟ ସଦନରେ ଗୃହିତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ସହଯୋଗ ଲୋଡିଛି ବିଜେପି

ବିଜେଡି ସମର୍ଥନ କରିବା ସମ୍ଭାବନା

126

କନକ ବ୍ୟୁରୋ: ଆଜି ଲୋକସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ -୨୦୧୯ । ଗୃହମନ୍ତ୍ରୀ ଅମିତ୍ ଶାହା  ଆଜି ଅପରାହ୍ଣରେ ଏହି ବିଲକୁ ଆଗତ କରିବେ । ଏହା ପରେ ଏହି ବିଲ୍ ଉପରେ ଆଲୋଚନା ହେବ । ଏହି ବିଲ ଲାଗୁ ହେଲେ ଦେଶରେ ବେଆଇନ ଭାବେ ରହୁଥିବା ବାହାର ଦେଶର ନାଗରିକ ଦେଶରୁ ବିଦା ହେବେ । ଏହା ସହିତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନର ଅଣମୁସଲିମ୍ ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।

ସଂଶୋଧିତ ବିଲରେ ଥିବା ବ୍ୟବସ୍ଥା ଅନୁଯାୟୀ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନରେ ନିର୍ଯାତିତ ହୋଇ ଭାରତ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ଏହି ବିଲକୁ ଗୃହିତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ସହ ଶାସକ ଦଳ ବିଜେପି ଆଲୋଚନା କରିବା ସହ ସମର୍ଥନ ପାଇଁ ସହଯୋଗ ଲୋଡିଛି । ବିଜେଡିର ମଧ୍ୟ ସହଯୋଗ ଲୋଡିଛି ଭାରତୀୟ ଜନତା ପାର୍ଟି । ତେବେ ବିଜେଡିର ଆଭିମୁଖ୍ୟ କଣ ରହିବ ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ଏହି ବିଲକୁ ବିରୋଧ କରି ତେଜିବାରେ ଲାଗିଛି ଆନ୍ଦୋଳନ । ଉତରପୂର୍ବାଂଚଳ ରାଜ୍ୟଗୁଡିକରେ ଜୋରଦାର ପ୍ରତିବାଦ ଆରମ୍ଭ ହୋଇଯାଇଛି । ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଏହାକୁ ବିରୋଧ କରୁଛନ୍ତି । ଏହି ବିଲ୍ ଆଇନରେ ପରିଣତ ହେଲେ ଆସାମ ରାଜିନାମା ୧୯୮୫ ବ୍ୟବସ୍ଥାର କୌଣସି ପ୍ରାସଙ୍ଗିକତା ରହିବ ନାହିଁ । ଏହି ରାଜିନାମାରେ ଯେ କୌଣସି ଧର୍ମର ଅପ୍ରବାସୀମାନଙ୍କୁ ଦେଶରୁ ତଡିବା ଲାଗି ୧୯୭୧ ମସିହା ମାର୍ଚ୍ଚ ୨୪ ତାରିଖକୁ ଶେଷ ଦିବସ ଭାବେ ଧରାଯାଇଛି । ଏହି ବିଲକୁ ବିରୋଧ କରି ଉତରପୂର୍ବ ଛାତ୍ର ସଂଗଠନ ଆସନ୍ତାକାଲି ବନ୍ଦ୍ ଡାକରା ଦେଇଛି ।