ସିରିୟା ଉପରେ ୧୧୪୦ କୋଟି ଟଙ୍କାର କ୍ରୁଜ ମିସାଇଲ ପକାଇଲା ଆମେରିକା ! ଗୋଟିଏ ବୋମାର ଦାମ ୯.୫ କୋଟି

41

ସିରିୟା ଉପରେ ଏବେ ଆମେରିକା ନେତୃତ୍ୱରେ ଯେଉଁଭଳି ଭାବେ ଆକାଶମାର୍ଗରୁ ଆକ୍ରମଣ କରାଯାଉଛି ତାହା ଏବେ ପୂରା ବିଶ୍ୱବାସୀଙ୍କୁ ଆତଙ୍କିତ କରିଛି । ଆମେରିକା ନେତୃତ୍ୱରେ ବ୍ରିଟେନ ଓ ଫ୍ରାନ୍ସ ସିରିୟା ଉପରେ ଘନଘନ ମିସାଇଲ ଆକ୍ରମଣ କରୁଛନ୍ତି । ତେବେ ଏହି ଆକ୍ରମଣ ପାଇଁ ଆମେରିକା ଏବେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛି । ଶନିବାର ଗୋଟିଏ ଦିନରେ ହିଁ ଆମେରିକା ସିରିଆ ଉପରେ ମିସାଇଲ ଆକ୍ରମଣ କରି ୧୧୪୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଛି । ସିରିୟାରେ ଉପରେ ଟମହ୍ୱର୍କ କ୍ରୁଜ ମିସାଇଲ ଦ୍ୱାରା ଆକ୍ରମଣ କରୁଛି ଆମେରିକା ।

ସବୁଠୁ ବଡ କଥା ହେଲା, ପ୍ରତି ଟମହ୍ୱର୍କ କ୍ରୁଜ ମିସାଇଲର ମୂଲ୍ୟ ପାଖାପାଖି ୯.୫ କୋଟି ଟଙ୍କା । ଏହି ହିସାବରେ ଦେଖିବାକୁ ଗଲେ ଆମେରିକା ଏବେ ସିରିୟା ଉପରେ ଆକ୍ରମଣ କରି ପାଖାପାଖି ୧୧ ଆରବ ଖର୍ଚ୍ଚ କରିସାରିଲାଣି । ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଅଧିକାରୀଙ୍କ କହିବା ଅନୁଯାୟୀ, ସିରିୟା ଉପରେ ପ୍ରାୟ ୧୦୦ରୁ ୧୨୦ କ୍ରୁଜ ମିସାଇଲ ଆକ୍ରମଣ କରିଛି ଆମେରିକା । ଗତବର୍ଷ ୫୯ଟି ଟମହ୍ୱର୍କ କ୍ରୁଜ ମିସାଇଲ ସିରିୟା ଉପରେ ପକାଇଥିଲା ଆମେରିକା ।

ସିରିୟା ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବୟାନ ଜାରି କହିଛନ୍ତି, ଯେତେବେଳ ଯାଏଁ ସିରିୟା ସରକାର ରାସାୟନିକ ଆକ୍ରମଣ ବନ୍ଦ ନ କରିଛନ୍ତି ସେତେବେଳ ଯାଏଁ ଆକ୍ରମଣ ଜାରି ରହିବ । ଆମେରିକା ଏହି ଆକ୍ରମଣ ପାଇଁ ବି-୧ ବମ୍ବର୍ସ, ଟର୍ଣ୍ଣାଡୋ ଜେଟ ଓ ଯୁଦ୍ଧପୋତ ବ୍ୟବହାର କରୁଛି । ଯେଉଁ ସ୍ଥାନରେ ସିରିୟା ସରକାର ରାସୟାନିକ ଅସ୍ତ୍ର ଠୁଳ କରୁଛନ୍ତି ଆମେରିକା ଖୋଜି ଖୋଜି ସେଠାରେ ଆକ୍ରମଣ କରୁଛି । ତେବେ ସିରିୟା ଉପରେ ଆକ୍ରମଣ ପରେ ଆମେରିକା ଓ ଋଷ ସର୍ମ୍ପକ ଆହୁରି ତିକ୍ତ ହୋଇଯାଇଛି ।