ଓଡ଼ିଶା ଏମ୍ସ ପାଇଁ ଖୁସିଖବର ! ସ୍ୱଚ୍ଛତାରେ ସାରା ଦେଶରେ ଦୁଇ ନମ୍ବରରେ ରହିଲା ଭୁବନେଶ୍ୱର ଏମ୍ସ

29

କନକ ବ୍ୟୁରୋ : ଓଡ଼ିଶା ଏମ୍ସ ପାଇଁ ଖୁସିଖବର । ସ୍ୱଚ୍ଛତା ବା ସଫାସୁତରା ପାଇଁ ଦେଶର ବି ଶ୍ରେଣୀର ହସ୍ପିଟାଲ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଭୁବନେଶ୍ୱର ଏମ୍ସ । ଆଉ ଏଥିପାଇଁ ଭୁବନେଶ୍ୱର ଏମ୍ସକୁ ୧ କୋଟି ଟଙ୍କା ପୁରସ୍କାର ଦିଆଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା କୟାକଳ୍ପ ପୁରସ୍କାର ଯୋଜନା ଅନୁଯାୟୀ ଏହି ଟଙ୍କା ମିଳିବ ।

ସ୍ୱଚ୍ଛତା ପାଇଁ ଆବଶ୍ୟକୀୟ ମାପଦଣ୍ଡ ଆଧାରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଖାସକରି ଡାକ୍ତରଖାନାର ସ୍ୱଚ୍ଛତା, ସଫେଇ ବ୍ୟବସ୍ଥା, ସ୍ୱାସ୍ଥ୍ୟରକ୍ଷା, ସଂକ୍ରମଣ ନିୟନ୍ତ୍ରଣକୁ ଲକ୍ଷ୍ୟ କରି ଚୟନ କରାଯାଇଥାଏ । ଆଉ ଏଥିପାଇଁ ହସ୍ପିଟାଲର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଏ ଓ ବି ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ହସ୍ପିଟାଲରେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ସେହିଭଳି ସ୍ୱାସ୍ଥ୍ୟରକ୍ଷା ଓ ସଂକ୍ରମଣ ନିୟନ୍ତ୍ରଣକୁ ପୋତ୍ସାହନ ଦେବା ସହ ହସ୍ପିଟାଲ ପରିସରକୁ ସ୍ୱଚ୍ଛ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ଏକ ସୁତ୍ର ଅନୁଯାୟୀ, ଏହି ପୁରସ୍କାର ଏଭଳି ଏକ ସମୟରେ ମିଳିଛି ଯେତେବେଳେ ଏହି ସଂସ୍ଥାନ ସ୍ୱଚ୍ଛତା ପାଖୱାଡା ଉତ୍ସବ ମନାଉଛି । ଗତ ଏପ୍ରିଲ ୧୧ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଗାୟତ୍ରୀ ମିଶ୍ରା ସ୍ୱଚ୍ଛତା ପଯ୍ୟବେକ୍ଷକ ଭାବେ ଭୁବନେଶ୍ୱର ଏମ୍ସ ପରିଦର୍ଶନ କରିଥିଲେ । ଏହି ସଂସ୍ଥାନର ସ୍ୱଚ୍ଛ ପରିବେଶ ଦେଖି ଗାୟତ୍ରୀ ମିଶ୍ରା ବେଶ ଖୁସି ବ୍ୟକ୍ତ କରିଥିଲେ । ଭୁବନେଶ୍ୱର ଏମ୍ସକୁ ଏଭଳି ସଫଳତା ମିଳିବା ପଛରେ ସଂସ୍ଥାନର ନିର୍ଦ୍ଦେଶକ ଡାକ୍ତର ଗୀତାଞ୍ଜଳୀ ବଟମାନବାନେ ସଫେଇ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଏହାର ଶ୍ରେୟ ଦେଇଛନ୍ତି ।