ବିଜେଡିର ବୟକଟ୍ : ମହାନଦୀ ଯୁଦ୍ଧରେ ଓଡିଶା ଦୁଇଭାଗ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଯୁଦ୍ଧରେ ଓଡିଶା ଦୁଇଭାଗ । ଗୋଟିଏ ପଟେ ବିଜେଡି ଅନ୍ୟପଟେ ବାକି ସବୁ ବିରୋଧୀ । ପୁରା ବିରୋଧୀଙ୍କ ସମାଗମକୁ ଖାତିର କଲାନି ବିଜେଡି । ମହନଦୀ ସମସ୍ୟାର ସମାଧାନ ଖୋଜିବା ପାଇଁ ବିରୋଧୀ ଦଳ ନେତା ଡକାଇଥିବା ସର୍ବଦଳୀୟ ବୈଠକକୁ ବୟକଟ୍ କରିଛି ଶାସକ ବିଜେଡି । ହେଲେ ଅନ୍ୟ ସବୁ ବିରୋଧୀ ଦଳ ଚଳାଇଲେ ମହାନଦୀ ମନ୍ଥନ । ବିଜେଡିକୁ ବି ସମାଲୋଚନା ମଧ୍ୟକଲେ । ମହାନଦୀ ଟ୍ରିବୁନାଲ ଗଠନ କରିବାକୁ ସମସ୍ତେ ଏକମତ ହେଲେ । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ସର୍ବଦଳୀୟ ବୈଠକରେ ଡାକିବା ପାଇଁ ପୁଣି ଥରେ ସୁଯୋଗ ଦେବାକୁ ବୈଠକରେ ସ୍ଥିର ହୋଇଛି । କାରଣ ଶାସକ ଦଳ ଯୋଗ ନ ଦେବାରୁ କେନ୍ଦ୍ର ଉପରେ ସଠିକ ଭାବରେ ଚାପ ପଡିବ ନାହିଁ ବୋଲି ବରିଷ୍ଠ ନେତା ଅନୁଭବ କରିଛନ୍ତି ।

ଅନ୍ୟପଟେ ବୈଠକରେ ନିଆଯାଇଥିବା କିଛି ପ୍ରସ୍ତାବ ଉପରେ ନଜର ପକାନ୍ତୁ : –

୭ ଦିନ ମଧ୍ୟରେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି । ଅଗଷ୍ଟ ୧୦ ତାରିଖରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ । ୧୯୮୩ ମସିହାର ତତ୍କାଳୀନ ମଧ୍ୟପ୍ରଦେଶ ସରକାର ସହ ହୋଇଥିବା ଚକ୍ତିନାମା ଆଧାରରେ ଜଏଂଟ କଂଟ୍ରୋଲ କମିଟି ଗଠନ ହେବ । ଏହା ସହ କେନ୍ଦ୍ର ସରକାରଙ୍କୁ ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ରାଜ୍ୟ ସରକାର ଦେବେ ଦାବି ପତ୍ର । ଏହା ସହ ମହାନଦୀ ସଂପର୍କିତ ଶ୍ୱେତପତ୍ର ଜାରି କରିବା ।

ବିରୋଧୀ ଦଳ ନେତାଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ କିନ୍ତୁ ନିଜେ ପିସିସି ସଭାପତି ଯୋଗ ଦେଲେ ନାହିଁ। ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ବି ରହିଲେ ଅନୁପସ୍ଥିତ । ହେଲେ ଏ ସବୁ ଭିତରେ ମହାନଦୀ ଯୁଦ୍ଧରେ ସତେ ଯେମିତି ଦୁଇ ଭାଗ ହୋଇ ଯାଇଥିଲା ଓଡିଶା। ଗୋଟାଏ ପଟେ ବିଜେଡି ତ ଅନ୍ୟପଟେ ସବୁ ବିରୋଧୀ ।