ଏକ ଅଜଣା ଭୟ ଯୋଗୁଁ ଖାଲି କରାଯାଉଛି ହ୍ରଦର ପାଣି ! କ’ଣ ପାଣିରୁ ସଂକ୍ରମଣ ହେଉଛି ମାରାତ୍ମକ ରୋଗ AIDS?

293

କନକ ବ୍ୟୁରୋ : ଏଚ୍ଆଇଭିକୁ ନେଇ ଯେତେ ସଚେତନତା ସୃଷ୍ଟି ହେଉଥିଲେ ସୁଦ୍ଧା ଏହାର କୌଣସି ପ୍ରଭାବ ପଡ଼ୁନି । ଏଚ୍ଆଇଭି ଆକ୍ରାନ୍ତ ରୋଗୀଙ୍କୁ ଏବେ ବି ସାମାଜିକ ଭାବେ ବାସନ୍ଦ କରାଯାଉଛି । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଉନି । ଏପରିକି ଗ୍ରାମରେ ଥିବା ଜଳଭଣ୍ଡାର ଗୁଡ଼ିକରୁ ମଧ୍ୟ ସେମାନଙ୍କୁ ଜଳ ଗ୍ରହଣ କରିବାକୁ ବାରଣ କରାଯାଉଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ମୋରାବରେ ।

ହୁବେଳିଠାରୁ ୩୦ କିମି ଦୂର ଏହି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମରେ ଜଣେ ଏଚ୍ଆଇଭି ଆକ୍ରାନ୍ତ ମହିଳା ଏକ ହ୍ରଦରେ ଡେଇଁପଡ଼ି ଆତ୍ମହତ୍ୟା କରିଦେବାରୁ ଗ୍ରାମବାସୀ ଉକ୍ତ ହ୍ରଦର ପାଣି ଗ୍ରହଣ କରିବାକୁ ନାରାଜ୍ । ୩୬ ଏକର ପରିବ୍ୟାପ୍ତ ଏହି ହ୍ରଦର ନାମ ମୋରାବ୍ । ନାବାଲଗୁଣ୍ଡ ତାଲୁକ୍ରେ ଏହା ସବୁଠାରୁ ବଡ଼ ହ୍ରଦ । ଲୋକମାନଙ୍କ ପାଇଁ ଏହା ଏକମାତ୍ର ପାନୀୟ ଜଳ ଉତ୍ସ।

ଏଚଆଇଭି ଜଳଦ୍ବାରା ବ୍ୟାପେନି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷମାନେ ଗ୍ରାମବାସୀଙ୍କୁ ଯେତେ ବୁଝାଇଲେ ସୁଦ୍ଧା ଗ୍ରାମବାସୀ ବୁ୍ଝିଲେନି । ହ୍ରଦ ଶୁଖାଯିବ ବୋଲି ଅଡ଼ି ବସିଲେ। ଗ୍ରାମ ଠାରୁ ୩ କିମି ଦୂର ମାଲାପ୍ରଭା କେନାଲ୍ରୁ ଗ୍ରାମବାସୀ ପାଣି ପାଇଁ ଯିବାରୁ ଏବେ ପ୍ରଶାସନ ପକ୍ଷରୁ ହ୍ରଦ ଶୁଖାଇବା କାର‌୍ୟ୍ୟ ଆରମ୍ଭ ହୋଇଛି । ମାଲାପ୍ରଭା କେନାଲ୍ରୁ ଜଳ ଏବେ ଏହି ହ୍ରଦରେ ଭର୍ତ୍ତି କରାଯିବ । ନଭେମ୍ବର ୨୯ ତାରିଖରେ ହ୍ରଦରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।