ଆୟାରଙ୍କୁ ନେଇ ସସପେନ୍ସ : ଶୁକ୍ରବାର ସକାଳୁ ରାତି ଯାଏଁ ଅଭିଜିତ୍ ଆୟାର ଥାନାରେ ହାଜର ହେବା ନେଇ ଲାଗି ରହିଲା ଚର୍ଚ୍ଚା, ୧୧ ତାରିଖ ଯାଏଁ ମାଗିଲେ ସମୟ

37

କନକ ବ୍ୟୁରୋ : ଆସନ୍ତା ୧୧ ତାରିଖରେ ହାଜର ହେବେ ଅଭିଜିତ୍ ଆୟର । ଏନେଇ ପୁରୀ ପୋଲିସକୁ ଇମେଲ ଜରିଆରେ ଜଣାଇଛନ୍ତି ଆୟାରଙ୍କ ଓକିଲ । ବିଶ୍ୱପ୍ରସିଦ୍ଧ କୋଣାର୍କ ଓ ଜଗନ୍ନାଥ ମନ୍ଦିର ନେଇ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର କୋଣାର୍କ ଥାନାରେ ହାଜର ହେବା ପାଇଁ ଭୁବନେଶ୍ୱରରେ ପହଚିଂଥିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଏନେଇ କିିଛି ସ୍ପଷ୍ଟ ହୋଇପାରିନଥିଲା ।

କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରୀୟଦର୍ଶୀ କହିଛନ୍ତି, ଆୟାର ଆସିବା ନେଇ ତାଙ୍କ ପାଖରେ କିଛି ଖବର ନାହିଁ । ସେପଟେ ୧୧ ତାରିଖରେ ବିଧାନସଭା ଗୃହ କମିଟିରେ ହାଜର ହେବା ପାଇଁ ଆୟାରଙ୍କୁ ସମନ ହୋଇଛି । ହସମଜା ଆଳରେ କୋଟି କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେବା ଏବଂ ଐତିହ୍ୟ କିର୍ତୀରାଜିର ଭର୍ସନା କରିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି । ବେଲ୍ ଆବେଦନ କରି ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିବା ଅଭିଜିତଙ୍କୁ ସୁରକ୍ଷା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସୁପ୍ରିମକୋର୍ଟ ଆୟାରଙ୍କ ଜାମିନ ଆବେଦନ ଖାରଜ କରିଥିଲେ ।

କୋଣାର୍କ ମନ୍ଦିର ସଂପର୍କରେ ଏକ ଅଶାଳୀନ ମତ ଥିବା ଭିଡିଓ ପୋଷ୍ଟ କରିଥିଲେ ଅଭିଜିତ୍ । ଯାହାକୁ ଟ୍ୱିଟରରେ ପୋଷ୍ଟ କରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଭିଡିଓଟି ଧର୍ମୀୟ ଭାବନାକୁ ଆଘାତ ଦେବା ସହ ସାଂପ୍ରଦାୟିକ ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗରେ ଗତ ୨୦ ତାରିଖରେ ଦିଲ୍ଲୀ ନିରାମୁଦ୍ଦିନ୍ ଅଂଚଳରୁ ଅଭିଜିତଙ୍କୁ ଗିରଫ କରିଥିଲା ଓଡ଼ିଶା ପୁଲିସ୍ । ହେଲେ ଦିଲ୍ଲୀର ସାକେତ କୋର୍ଟ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଥିଲେ । ତଦନ୍ତରେ ସହଯୋଗ କରିବା ପାଇଁ ସେପଟେମ୍ବର ୨୮ ତାରିଖରେ କୋଣାର୍କ ଥାନାରେ ହାଜିର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଅଭିଜିତ୍ ଥାନାରେ ହାଜର ହୋଇନଥିଲେ । କୋଣାର୍କ ଓ ଜଗନ୍ନାଥ ମନ୍ଦିର ନେଇ ଅଭିଜିତ ଆୟାର ଅଶାଳୀନ ମନ୍ତବ୍ୟ ଦେବା ପରେ ସମଗ୍ର ରାଜ୍ୟରେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା ।