୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ! ୯୫ ଜଣିଆ ଭାରତୀୟ ଦଳ (ଓଡ଼ିଶାରୁ ଦୂତି, ଶ୍ରାବଣୀ, ଜଉନା, ଅମିୟ ଓ ପୂର୍ଣ୍ଣିମା)

71

କନକ ବ୍ୟୁରୋ : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଜୁଲାଇ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଶେଷରେ ଭାରତୀୟ ଦଳ ଘୋଷିତ ହୋଇଛି । ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ) ବୁଧବାର ପ୍ରକାଶ କରିଥିବା ୯୫ ଜଣିଆ ଭାରତୀୟ ଦଳରେ  ୪୮ ଜଣ ପୁରୁଷ ଥିଲା ବେଳେ ୪୭ ଜଣ ମହିଳା ସ୍ଥାନ ପାଇଛନ୍ତି ।  ଭାରତୀୟ ଦଳରେ ଓଡ଼ିଶାର ୫ ଜଣ ଖେଳାଳି (ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, ଅମିୟ କୁମାର ମଲ୍ଲିକ, ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ୍‌) ଅଛନ୍ତି ।

ସେଥିମଧ୍ୟରୁ ଚାରିଜଣ ମହିଳା ଥିଲା ବେଳେ ମାତ୍ର ଜଣେ ପୁରୁଷ ରହିଛନ୍ତି । ଅନେକ ଜାତୀୟ ପ୍ରତିଯୋଗିତାରେ ଓ୍ଵାନ୍‌-ଟୁ ଫିନିସ୍‌ ପାଇଥିବା ଶ୍ରାବଣୀ ନନ୍ଦ ଏବଂ ଦୂତି ଚାନ୍ଦ ୧୦୦ ଏବଂ ୨୦୦ ମିଟର ମହିଳା ସହ ୪ ଗୁଣା ୧୦୦ ମିଟର ରିଲେରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିଭଳି ଜଉନା ମୁର୍ମୁଙ୍କୁ ୪୦୦ ମିଟର ବାଧା ଦୌଡ଼ ଏବଂ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ହେପ୍ଟାଥଲନରେ ଦେଖିବାକୁ ମିଳିବ । ଏକମାତ୍ର ପୁରୁଷ ତାରକା ଅମିୟ କୁମାର ମଲ୍ଲିକ ୧୦୦ ଓ ୨୦୦ ମିଟର ସହ  ୪ ଗୁଣା ୧୦୦ ମିଟର ରିଲେରେ ନିଜ ଯାଦୁ ଦେଖାଇବେ ।

ପାଞ୍ଚ ଜଣ ଯାକ ଘରୋଇ ଖେଳାଳି ଏବେ ଭଲ ଲୟରେ ଥିବାରୁ ରାଜ୍ୟକୁ ଏଥର ପ୍ରଥମ ଥର ପାଇଁ ୪ରୁ ଅଧିକ ପଦକ ଆସିବାର (୨,୦୦୦ ମସିହାରେ ରଚିତା ପଣ୍ଡା (ମିସ୍ତ୍ରୀ) ଏବଂ ଅନୁରାଧା ବିଶ୍ୱାଳ ଦୁଇଟି ଲେଖାଏଁ ଚାରିଟି ପଦକ ଜିତିଥିଲେ) ସମ୍ଭାବନା ରହିଛି । ପ୍ରକାଶ ଯୋଗ୍ୟ ଯେ ଭାରତୀୟ ଦଳ ଘୋଷଣା ନେଇ ହେଉଥିବା ଅହେତୁକ ବିଳମ୍ବ ବିଷୟରେ ବୁଧବାର ସମ୍ବାଦରେ ଖବର ପ୍ରକାଶ ପାଇଥିଲା । ଭାରତୀୟ ଦଳରେ ଏଥର ଅନେକ ତାରକା ଖେଳାଳି ଥିଲା ବେଳେ ଗତଥରଠାରୁ ଏଥର ଭାରତ ଅଧିକ ପଦକ ଜିତିବ ବୋଲି ଏଏଫ୍‌ଆଇ ସଭାପତି ଆଦିଲ ସୁମେରିଓ୍ଵାଲା ଆଶା ପ୍ରକାଶ କରିଛନ୍ତି ।

ସେହିଭଳି ଘରୋଇ ଦଳର ପ୍ରଦର୍ଶନ ଦେଶରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଖେଳର ମାନ ବଢ଼ାଇବ ବୋଲି ସେ କହିଛନ୍ତି । ଦଳ ଘୋଷଣା ସହ ଏଏଫ୍‌ଆଇ ପ୍ରକାଶ କରିଥିବା ପ୍ରେସ୍‌ ବିଜ୍ଞପ୍ତିରେ ସୁମେରିଓ୍ଵାଲା କହିଛନ୍ତି ଯେ ଏସୀୟ ପ୍ରତିଯୋଗିତା ପୂର୍ବରୁ ଆମ ଖେଳାଳିମାନେ ଲଗାତାର ଭଲ ପ୍ରଦର୍ଶନ କରି ଆସୁଛନ୍ତି । ମୁଁ ଭାବୁଛି ସେମାନେ ଭୁବନେଶ୍ୱରରେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବେ । ମୁଁ ସ୍ଥିର ନିଶ୍ଚିତ ଯେ ଚୀନର ଉହାନଠାରେ ଜିତିଥିବା ୧୩ ପଦକଠାରୁ ଏଥର ସେମାନେ ଅଧିକ ପଦକ ଜିତିବେ ।

ଆମ ଦଳରେ ବହୁ ଅଭିଜ୍ଞ ଖେଳାଳି ଥିଲା ବେଳେ କେତେକ ପ୍ରତିଭାବାନ ନବାଗତ ଖେଳାଳି ଅଛନ୍ତି । ନିଜେ ଜଣେ ଅଲିମ୍ପିଆନ୍‌ ଥିବା ସୁମେରିଓ୍ଵାଲା ଓଡ଼ିଶାର ତିନି ତାରକା ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଏବଂ ଅମିୟ ମଲ୍ଲିକ ପଦକ ମଞ୍ଚରେ ଠିଆ ହେବେ ବୋଲି ଆଶା କରିଛନ୍ତି । ତା’ ସହ ଜାଭେଲିନ୍‌ ତାରକା ନୀରଜ ଚୋପ୍ରା, ଅନୁ ରାଣୀ, ଲମ୍ବ ଡିଆଁ ତାରକା ଅଙ୍କିତ ଶର୍ମା, ଷ୍ଟିପଲଚେଜ୍‌ ରାଣୀ ସୁଧା ସିଂହ ଏବଂ ଧାବିକା ନିର୍ମଳାଙ୍କ ସହ ୪ ଗୁଣା ୪୦୦ ମହିଳା ରିଲେ ଦଳ ପଦକ ଜିତିବାର ଅଧିକ ସମ୍ଭାବନା ଥିବା ସେ ମତ ପ୍ରକାଶ କରିଛନ୍ତି ।

ଭାରତୀୟ  ପୁରୁଷ- ୧୦୦ ଓ ୨୦୦ ମିଟର: ଅମିୟ କୁମାର ମଲ୍ଲିକ। ୪୦୦ ମିଟର: ମହମ୍ମଦ ଆନସ, ଅମୋଜ ଜ୍ୟାକବ, ଅରୋକିଆ ରାଜୀବ । ୮୦୦ ମିଟର: ଜିନସନ ଜନସନ, ବିଶମ୍ବର କିଓଲକର । ୧୫୦୦  ମିଟର: ଅଜୟ କୁମାର ସରୋଜ, ସିଦ୍ଧାନ୍ତ ଅଧିକାରୀ । ୫,୦୦୦ ମିଟର: ଜି ଲକ୍ଷ୍ମଣନ୍‌, ମୁରଲୀ କୁମାର ଗଭିତ । ୧୦,୦୦୦ ମିଟର: ଜି ଲକ୍ଷ୍ମଣନ୍‌, ଗୋପୀ ଥୋନାକଲ, କାଳିଦାସ ହିରାଭେ । ୩୦୦୦ ମିଟର ଷ୍ଟିପଲଚେଜ୍‌: ନବୀନ କୁମାର, ଦୁର୍ଗା ବାହାଦୁର ବୁଦ୍ଧ । ୧୧୦ ମିଟର ବାଧାଦୌଡ଼: ସିଦ୍ଧାନ୍ତ ଥିଙ୍ଗାଲୟ, ପ୍ରେମ୍‌ କୁମାର ।

୪୦୦ ମିଟର ବାଧାଦୌଡ଼: ଏମ୍‌ ପି ଜବିର, ଟି ସନ୍ତୋଷ କୁମାର , ଦୁର୍ଗେସ କୁମାର ପାଲ। ପୋଲ ଭଲ୍ଟ: ଏସ୍‌ ସିବା । ଉଚ୍ଚ ଡିଆଁ: ବି ଚେତନ, ଅଜୟ କୁମାର। ଲମ୍ବ ଡିଆଁ: ଅଙ୍କିତ ଶର୍ମା, ଏସ୍‌ଇ ସମିର, ସିଦ୍ଧାର୍ଥ ମୋହନ ନାଏକ । ଟ୍ରିପଲ ଜମ୍ପ: ଅର୍ପିନ୍ଦର ସିଂହ, ୟୁ କାର୍ତ୍ତିକ । ସଟଫୁଟ୍‌: ତେଜିନ୍ଦର ପାଲ ତୁର, ଯସଦୀପ ସିଂହ ଢିଲୋନ, ଓମ୍‌ ପ୍ରକାଶ ସିଂହ କରହାନା । ଡିସ୍‌କସ୍‌ ଥ୍ରୋ: ବିକାଶ ଗୌଡା, ଧର୍ମରାଜ ଯାଦବ, କିର୍ପାଲ ସିଂହ । ହାମର ଥ୍ରୋ: ନୀରଜ କୁମାର। ଜାଭଲିନ୍‌ ଥ୍ରୋ: ନୀରଜ ଚୋପ୍ରା, ଦେବୀନ୍ଦର ସିଂହ କାଙ୍ଗ, ଅଭିଷେକ ସିଂହ ।

ଡେକାଥଲନ: ଜଗତାର ସିଂହ, ଅଭିଷେକ ସେଟ୍ଟୀ । ୪ ଗୁଣା ୧୦୦ ରିଲେ: ଅମିୟ କୁମାର ମଲ୍ଲିକ, ଜ୍ୟୋତି ଶଙ୍କର ଦେବନାଥ, ଅନୁରୂପ ଜନ୍‌, ଭିକେ ଏଲକିଆ ଦସନ, ପ୍ରବୀଣ ମୁଥୁକୁମାରନ୍‌, ଚିନ୍ତା ସୁଧାକର । ୪ ଗୁଣା ୪୦୦ ରିଲେ: ମହମ୍ମଦ ଆନସ, ଅମୋଜ ଜାକୋ, ଅରୋକିଆ ରାଜୀବ, ସଚି ରବୀ, ମୋହନ କୁମାର, କୁଞ୍ଜୁ ମହମ୍ମଦ । ଭାରତୀୟ ମହିଳା: ୧୦୦ ଓ ୨୦୦ ମିଟର: ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ । ୪୦୦ ମିଟର: ନିର୍ମଳା, ଏମ୍‌ଆର ପୁଭାମ୍ମା, ଜିସ୍ନା ମାଥ୍ୟୁ । ୮୦୦ ମିଟର: ଟିଣ୍ଟୁ ଲୁକା, ଅର୍ଚନା ଆଧବ, ଲିଲି ଦାସ । ୧୫୦୦ ମିଟର: ମୋନିକା ଚୌଧୁରୀ ।

୫୦୦୦ ମିଟର: ଏଲ୍‌ ସୁରିୟା, ସଂଜିବନୀ ଯାଦବ । ୧୦,୦୦୦ ମିଟର: ଏଲ୍‌ ସୁରିୟା, ସଂଜିବନୀ ଯାଦବ, ମୀନୁ । ୩୦୦୦ ମିଟର ଷ୍ଟିପଲ ଚେଜ୍‌: ସୁଧା ସିଂହ, ପାରୁଲ ଚୌଧୁରୀ । ୧୦୦ ମିଟର ବାଧାଦୌଡ଼: ନୟନା ଜେମ୍ସ । ୪୦୦ ମିଟର ବାଧାଦୌଡ଼: ଅନୁ ଆର, ଜଉନା ମୁର୍ମୁ, ଏମ୍‌ ଅର୍ପିତା । ପୋଲ ଭଲ୍ଟ: କେଏମ୍‌ ସଂଗୀତା । ଉଚ୍ଚଡିଆଁ: ସହାନା କୁମାରୀ, ସ୍ୱପ୍ନା ବର୍ମନ। ଲମ୍ବ ଡିଆଁ: ନୟନା ଜେମ୍ସ, ନୀନା ଭି, ଜି କାର୍ତ୍ତିକା । ଟ୍ରିପଲ ଜମ୍ପ: ଏନ୍‌ ଭି ସିନା, ଜୟଲିନ ମୁରଲୀ ଲୋବୋ ।

ସଟ୍‌ପୁଟ୍‌: ମନପ୍ରୀତ କୌର ବଲ, ସୀମା ପୁନିଆ, ହିମାନୀ ସିଂହ। ହାମର ଥ୍ରୋ: ସରିତା ଆର ସିଂହ, ଗୁଞ୍ଜନ ସିଂହ । ଜାଭଲିନ୍‌ ଥ୍ରୋ: ଅନୁ ରାଣୀ, ପୁନମ ରାଣୀ ସିଂହ, ସୁମନ ଦେବୀ । ହେପ୍ଟାଥଲନ: ସ୍ୱପ୍ନା ବର୍ମନ, ପୁର୍ଣ୍ଣିମା ହେମ୍ବ୍ରମ୍‌, ଲିକ୍‌ସି ଯୋସେଫ । ୪ ଗୁଣା ୧୦୦ ରିଲେ: ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, ମର୍ଲିନ ଯୋସେଫ, ରୀନା ଜର୍ଜ, ରୁମା ସର୍କାର, ହିମଶ୍ରୀ ରଏ  । ୪ ଗୁଣା ୪୦୦ ରିଲେ: ନିର୍ମଳା, ଏମ୍‌ଆର ପୁଭାମ୍ମା, ଜିସ୍ନା ମାଥ୍ୟୁ, ଜିକେ ବିଜୟ କୁମାରୀ, ସରିତା ବେନ୍‌ ଗାଏକ୍ୱାଡ୍‌ ଓ ଦେବଶ୍ରୀ ମଜୁମଦାର ।

୭ ଖେଳାଳିଙ୍କୁ ସର୍ତ୍ତମୂଳକ ସ୍ଥାନ ଭାରତୀୟ ଦଳରେ ୭ ଜଣ ଖେଳାଳିଙ୍କୁ ସର୍ତ୍ତମୂଳକ ସ୍ଥାନ ଦିଆ ଯାଇଛି । ଏମାନେ ଭୁବନେଶ୍ୱରଠାରେ ନିଜ ସୁସ୍ଥତାର ପ୍ରମାଣ ଦେବେ । ସେଥିରେ ଉତ୍ତୀର୍ଣ୍ଣ ହେବା ପରେ ଯାଇ ପଡ଼ିଆକୁ ଓହ୍ଲାଇବାର ସୁଯୋଗ ପାଇବେ । ଏହି ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ବାଧାଦୌଡ଼ ତାରକା ନୟନା ଜେମ, ଟ୍ରିପଲ ଜମ୍ପର ଜୟଲିନ ମୁରଲୀ ଲୋବୋ, ଡିସ୍‌କସ୍‌ ଖେଳାଳି ବିକାଶ ଗୌଡ଼ା, ଲମ୍ବ ଡିଆଁ ତାରକା ସିଦ୍ଧାର୍ଥ ମୋହନ ନାଏକ, ଟ୍ରିପଲ ଜମ୍ପର ୟୁ କାତ୍ତିକ, ବାଧାଦୌଡ଼ ଖେଳାଳି ସିଦ୍ଧାର୍ଥ ଥିଙ୍ଗଲୟା ଓ ଡିସକସ୍‌ ତାରକା ସୀମା ପୁନିଆ । ଏମାନଙ୍କ ମଧ୍ୟରୁ ନୟନା, ଜୟଲିନ, ବିକାଶ, ସିଦ୍ଧାର୍ଥ ମୋହନ ନାୟକ, ସୀମା ଏବଂ କାର୍ତ୍ତିକ ୩୦ ତାରିଖରେ ସୁସ୍ଥତା ପରୀକ୍ଷା ବା ଫିଟ୍‌ନେସ୍‌ ଟ୍ରାଏଲ୍ସର ସମ୍ମୁଖୀନ ହେବେ। ଅନ୍ୟ ପକ୍ଷରେ ସିଦ୍ଧାର୍ଥ ଥିଙ୍ଗଲୟା ଜୁଲାଇ ୨ ତାରିଖରେ ନିଜ ସୁସ୍ଥତା ପ୍ରମାଣ ଦେବେ ।