ଗରିବ ଗଙ୍ଗାରାମଙ୍କ କହାଣୀ । ପ୍ରବଳ ଥଣ୍ଡାରୁ ପ୍ରାଣ ହରାଇଲେ ପତ୍ନୀ, ଭିକ ମାଗି ଶେଷକୃତ୍ୟ କଲେ ସ୍ୱାମୀ ।

152

କନକ ବ୍ୟୁରୋ: ଏ ହାଡ଼ଭଙ୍ଗା ଜାଡ଼ କାହାର ଘର ଭାଙ୍ଗିପାରେ , କାହାର ହୃଦୟ ଭାଙ୍ଗିପାରେ ଆଉ କାହାର ସଂସାର ଉଜାଡ଼ିପାରେ!! ତାହା ୟୁପିର ଶାହାଜାହାଁପୁର ଘଟଣା ବୟାନ କରୁଛି । ପ୍ରବଳ ଥଣ୍ଡା ପଡ଼ିବାରୁ ପ୍ରାଣ ହରାଇଲେ ପତ୍ନୀ, ଗରୀବ ସ୍ୱାମୀ ପାଖରେ ପଇସା ନାହିଁ ବୋଲି ଭିକ ମାଗି ମାଗି ସ୍ତ୍ରୀର ଶେଷକୃତ୍ୟ କରିଛନ୍ତି ସ୍ୱାମୀ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ୟୁପି ଶାହାଜାହାଁପୁର ବୁଜୁର୍ଗ ଗାଁର ଗରିବ ଚାଷୀ ଗଙ୍ଗାରାମ । ୪୮ ବର୍ଷୀୟ ପତ୍ନୀ ଗୀତା ଦେବୀ ଅସହ୍ୟ ଥଣ୍ଡା କାରଣରୁ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ସ୍ୱାମୀ ଗଙ୍ଗାରାମ । ଏପରିକି ତାଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଯୋଗୁଁ ସେ କମ୍ବଳ, ଚାଦର ମଧ୍ୟ କିଣିପାରୁ ନାହାନ୍ତି । ମାଟିରେ ମସିଣା ପାରି ଛପର ଘରେ ଶୋଇପଡ଼ନ୍ତି । ନିଜ ଗରିବୀର ଟ୍ୟାଗ୍ ଦେଖାଇବାକୁ ଅନେକ ଥର ପ୍ରଶାସନକୁ କହିଲା ପରେ ମଧ୍ୟ ତାଙ୍କୁ ସରକାରୀ ସ୍ତରରେ କୌଣସି ସହାୟତା ମିଳୁନଥିଲା । ଏହାରି ଭିତରେ ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଲା, ଗତ ୬ ତାରିଖ ଦିନ ସ୍ତ୍ରୀ ଆରପାରିକୁ ଚାଲିଗଲେ ।

ସତରେ ଯୋଜନା ଯେମିତି ତାଙ୍କ ପାଇଁ ସାତ ସପନ ପାଲଟିଛି, ଆଉ ଏହାରି ଭିତରେ ପତ୍ନୀଙ୍କୁ ହରାଇବା ତାଙ୍କ ଯନ୍ତ୍ରଣାକୁ ଦୁଇଗୁଣା କରିଦେଇଛି । ପାଖରେ ଟଙ୍କାଟିଏ ନଥିବାରୁ ଶବର ଅନ୍ତିମସଂସ୍କାର ପାଇଁ ବାରଦୁଆର ହାତ ପାତିଛନ୍ତି ସ୍ୱାମୀ । ଅସହାୟତାର ଆଖିରେ ଲୁହ ଲହୁ ଝରାଇ ବୁଲି ବୁଲି କହୁଛନ୍ତି, ବାବୁ ପଇସା ଦିଅ ସ୍ତ୍ରୀ ମୁହଁରେ ନିଆଁ ଦେବି । ସଭ୍ୟ ସମାଜର କିଛି ଶିକ୍ଷିତ ଓ ଦୟାଳୁ ବ୍ୟକ୍ତି ଗରିବ ଗଙ୍ଗାରାମଙ୍କୁ ସାହାଯ୍ୟ କରିଛନ୍ତି, ଶେଷର ଭିକ ମାଗି ନିଜ ସ୍ତ୍ରୀ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ଗଙ୍ଗାରାମ ।

ଏପଟେ ଗଙ୍ଗାରାମଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଶାହାଜାହାଁପୁର ଜିଲ୍ଲା ପ୍ରଶାସନ । ସରକାରୀ ବାବୁ କହିଛନ୍ତି କି, ଗରିବ ଗଙ୍ଗାରାମଙ୍କୁ ଘର ମିଳିନାହିଁ ସତ କିନ୍ତୁ ତାଙ୍କ ପତ୍ନୀଙ୍କ ଜୀବନ ଥଣ୍ଡା ନୁହେଁ ଅନ୍ୟ କୌଣସି କାରଣରୁ ହୋଇଛି ।