ସମ୍ମାନର ସିଟକୁ ନେଇ ସମରସଜ୍ଜା । ଘମାସାନ ହେଲାଣି ଶେଷ ପର୍ଯ୍ୟାୟ ନିର୍ବାଚନ । ଫୋକସରେ ଚାନ୍ଦବାଲି, ନିମାପଡ଼ା, ବଡ଼ଚଣା

317

କନକ ବ୍ୟୁରୋ: ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ହଟ୍ ସିଟ୍ ଉପରେ ଏବେ ସାରା ଓଡିଶାର ନଜର । କାରଣ ଏହି ଆସନ ଦଖଲ ପାଇଁ ଆରମ୍ଭ ହୋଇଗଲାଣି ସମରସଜ୍ଜା । ସରିଥିବା ୧୦୫ ବିଧାନସଭା ଆସନର ନେତା ଏବେ ଏହି ଅଞ୍ଚଳରେ ଡେରା ପକାଇ ପ୍ରଚାର କରୁଛନ୍ତି । ହେବାକୁ ଥିବା ୪୨ ବିଧାନସଭା ଆସନ ମଧ୍ୟରେ ଏଭଳି କିଛି ଆସନ ଅଛି ଯାହା ବିଜେଡି ଓ ବିଜେପି ସମ୍ମାନର ପ୍ରଶ୍ନ ପାଲଟିଛି । 

ଚାନ୍ଦବାଲି- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ଆସନରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଆଗକୁ ବିଜେପିର ଶୀର୍ଷ ନେତା ମନମୋହନଙ୍କ ପାଇଁ ମଧ୍ୟ ପ୍ରଚାର କରିବେ । ତାଙ୍କୁ ଟକ୍କର ଦେଉଛନ୍ତି ଦୁଇଦୁଇ ଥରର ବିଧାୟକ ତଥା ବିଜେଡିି ଯୁବ ସଭାପତି ବ୍ୟୋମକେଶ ରାୟ । କୁହାଯାଉଛି ଏଠି ହାଇଭୋଲଟେଜ ଲଢେଇ ହେବାକୁ ଯାଉଛି । ଚାନ୍ଦବାଲି ଗଡ ସମ୍ଭାଳିବାକୁ ଅନେକ ବିଧାୟକଙ୍କୁ ମୈଦାନକୁ ଛାଡିଛି ବିଜେଡି । କିନ୍ତୁ ପୂର୍ବରୁ ୨୦୧୪ ଓ ୨୦୧୯ ନିର୍ବାଚନରେ ଏହି ଆସନରୁ ପରାଜୟର ସାମ୍ନା କରିଛନ୍ତି ମନମୋହନ । ରାଜ୍ୟ ସଭାପତି ଥିବାରୁ ତାଙ୍କ ପାଇଁ ସମ୍ମାନ ପାଲଟିଛି ଚାନ୍ଦବାଲି ଆସନ ।ନିମାପଡା– ଜଗତସିଂହପୁର ସଂସଦୀୟ କ୍ଷେତ୍ରର ନିମାପଡାରେ ଆର-ପାର ଲଢେଇ ଚାଲିଛି । ସମୀର ଦାସ ବିଜେଡି ଛାଡି ବିଜେପିରେ ମିଶିବା ପରେ ପୂରା ରାଜନୈତିକ ଚିତ୍ର ବଦଳିଯାଇଛି । ତେଣୁ ଏବେ ଏହି ଆସନ ବିଜେଡି- ବିଜେପି ପାଇଁ ସମ୍ମାନର ସିଟ୍ ପାଲଟିଛି । ଏଠାରେ ବିଜେପି- ବିଜେଡିର ମାଳ ମାଳ ନେତା ଡେରା ପକାଇଛନ୍ତି । ବିଜେଡିର ଦିଲ୍ଲୀପ ନାୟକ ଓ ବିଜେପିର ପ୍ରଭାତି ପରିଡାଙ୍କ ମଧ୍ୟରେ ବିଗ୍ ଫାଇଟ ହେଉଛି । ଉଭୟକୁ ଚେକ୍ ଦେବାକୁ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ଦମ୍ ଦେଖାଉଛନ୍ତି ।ବଡଚଣା- ହେଭିଓ୍ୱେଟ୍ ଅମର ଶତପଥୀଙ୍କ ଟିକେଟ କାଟି ବଡଚଣାରେ ଗ୍ଲାମର କାର୍ଡ ଖେଳିଛି ବିଜେଡି । କିନ୍ତୁ ମୈଦାନରେ ବଡ ଲଢେଇର ସାମ୍ନା କରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ । କାରଣ ୨୦୧୯ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ହାରିଥିଲେ ବର୍ତ୍ତମାନର ବିଜେପି ପ୍ରାର୍ଥୀ ଅମର ନାୟକ । ବିଜେଡି ଓ ବିଜେପିର ବଛା ବଛା ନେତା ବଡଚଣା ଗଡ ଜଗିଛନ୍ତି ଏହି ଆସନ ଦଖଲ ପାଇଁ ।