ଅଞ୍ଜଳୀ ମୃତ୍ୟୁ ମାମଲା : ସବୁ ସତ ଓଗାଳିଲେ ଅଭିଯୁକ୍ତ, ଜାଣନ୍ତୁ ହତ୍ୟା ନା ଦୁର୍ଘଟଣା ?

1,620

କନକ ବ୍ୟୁରୋ : ଦିଲ୍ଲୀର କଞ୍ଝାୱାଲା ଠାରେ ନୂଆବର୍ଷ ରାତିରେ ହୋଇଥିବା ଦୁର୍ଘଟଣାକୁ ନେଇ ସମସ୍ତ ସତ ମାନିଛନ୍ତି କାରରେ ଥିବା ଅଭିଯୁକ୍ତମାନେ । ଗିରଫ ହୋଇଥିବା ଅଭିଯୁକ୍ତମାନେ ଜେରାବେଳେ ପୋଲିସ ସାମ୍ନାରେ ଘଟଣାର ସବୁ ସତ କହିଛନ୍ତି । ସେମାନେ ମାନିଛନ୍ତି କି ସେମାନେ ଜାଣିଥିଲେ ଦୁର୍ଘଟଣା ପରେ କାରତଳେ ଅଞ୍ଜଳୀ ଫଶିରହିଛି । ହେଲେ ଭୟରେ ସେମାନେ ଗାଡି ନଅଟକାଇ ଆଗକୁ ଆଗକୁ ଯାଇଥିଲେ । ଏହି କ୍ରମରେ ସେମାନେ ଗାଡିକୁ ଗୋଟିଏ ରାସ୍ତାରେ ନନେଇ ଏପଟ ସେପଟ କରିଥିବା କଥା ମଧ୍ୟ ମାନିଛନ୍ତି ।

ଅଭିଯୁକ୍ତମାନଙ୍କୁ ପଚରା ଉଚରା ବେଳେ ସେମାନେ କହିଛନ୍ତି କି, ସେମାନଙ୍କର ଡର ଥିଲା କି ଅଞ୍ଜଳୀ କାର ତଳୁ ଯଦି ବାହାରକୁ ବାହାରି ଯାଉଛି ତେବେ ତାଙ୍କ ଉପରେ ହତ୍ୟା ମାମଲା ରୁଜୁ ହୋଇପାରେ । ଏହି କାରଣରୁ ଦୁର୍ଘଟଣା ପରେ ଅଞ୍ଜଳୀ କାର ତଳେ ଫଶି ରହିଥିଲେ ବି ନା ସେମାନେ ଗାଡି ଅଟକାଇଥିଲେ ନା ଅଞ୍ଜଳୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।

ସେମାନେ କହିଛନ୍ତି କି, ଦୁର୍ଘଟଣା ପରେ ସେମାନେ ଭୟଭୀତ ହୋଇପଡିଥିଲେ । ଏଣୁ ଗାଡିକୁ ଏପଟ ସେପଟ କରି ଅନେକ ବୁଲାଇଥିଲେ । ଏହାସହ କେତେବେଳେ ଅଞ୍ଜଳୀ କାର ତଳୁ ବାହରିଯିବ ତାହାକୁ ଅପେକ୍ଷା କରିଥିଲେ । ଏହାସହ ଅଭିଯୁକ୍ତମାନେ ପ୍ରଥମେ ପୋଲିସକୁ କହିଥିଲେ କି କାର ଭିତରେ ଉଚ୍ଚସ୍ୱରରେ ମ୍ୟୁଜିକ ବାଜୁଥିବାରୁ ତାଙ୍କୁ କିଛି ଶୁଭାଯାଇ ନଥିଲା । ହେଲେ ଏବେ ଏହା ମିଥ୍ୟା ବୋଲି ସ୍ୱୀକାର କରିଛନ୍ତି ଅଭିଯୁକ୍ତମାନେ । ସେମାନେ ପୋଲିସକୁ ଭ୍ରମିତ କରିବାକୁ ଏଭଳି କହିଥିବା କଥା ମଧ୍ୟ ସ୍ୱୀକାର କରିଛନ୍ତି ।

ସେପଟେ ଏହି ମାମଲାରେ ମୋଟ ୭ ଜଣ ଗିରଫ ହୋଇଥିବା ବେଳେ ୨ ଜଣଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସପ୍ତମ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ଅଂକୁଶଙ୍କୁ ଶନିବାର ଦିନ ରୋହିଣୀ କୋର୍ଟ ୨୦ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି ।