ଏଥର ଜଳେଶ୍ୱର ଜିତିବ କିଏ? ତିନି ପ୍ରମୁଖ ରାଜନୈତିକ ଦଳର ଲଢେଇ । ପ୍ରତିଶ୍ରୁତି ଦେଉଛନ୍ତି ବିଜେଡି-ବିଜେପି ଓ କଂଗ୍ରେସ ପ୍ରାର୍ଥୀ

91

କନକ ବ୍ୟୁରୋ: ଓଡିଶାର ଏକ ସଚେତନ ଓ ଗୁରୁତ୍ୱପୁର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ଜଳେଶ୍ୱର । ଏହି ନିର୍ବାଚନ ମଣ୍ଡଳୀରେ ରାଜନୈ÷ତିକ ବାତାବରଣ ସବୁ ସମୟରେ ସରଗରମ ହୋଇ ରହିଥାଏ । ଶେଷ ପର୍ଯ୍ୟାୟରେ ଜୁନ ୧ରେ ଏଠାରେ ମତଦାନ କରାଯିବ । ସେଥିପାଇଁ ଚାଲିଛି ଜୋରଦାର ପ୍ରଚାର । ଅଭିନେତା, ଅଭିନେତ୍ରୀ, ଷ୍ଟାର ପ୍ରଚାରକ ଏବଂ କେନ୍ଦ୍ରୀୟ ନେତା ଜଳେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ଭୋଟ ଭିକ୍ଷା ।

  • କିଏ ଜିତିବ ଜଳେଶ୍ୱର?
  • କାହାକୁ ବାଛିବେ ଜଳେଶ୍ୱର ଜନତା?

ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ରହିଛି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ନିର୍ବାଚନ ମଣ୍ଡଳୀ । ଏଠାରେ ବିଜେଡି ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଜଳେଶ୍ୱର ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରାଧାନଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିଭଳି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସଙ୍କୁ ପୁଣି ଦୋହରାଇଛି । ଭୋଟରଙ୍କୁ ଅକୃଷ୍ଟ କରିବା ପାଇଁ ରୋଡ-ସୋ କରିବା ସହିତ ଘରଘର ବୁଲି ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି ସମସ୍ତ ପ୍ରାର୍ଥୀ ।

ବିଜେଡି-ବିଜେପି ଅଭିନେତା-ଅଭିନେତ୍ରୀଙ୍କୁ ନେଇ ପ୍ରଚାର କରୁଥିବା ବେଳେ କଂଗ୍ରେସ କୌଣସି ଷ୍ଟାର ପ୍ରଚାରକ ବିନା ପ୍ରଚାର କରୁଛନ୍ତି । କଂଗ୍ରେସ ପୂର୍ବରୁ କରିଥିବା ବିକାଶ ଏବଂ ଗରିବ ଲୋକଙ୍କ ହକ ପାଇଁ ଜାରି ରଖିଥିବା ଲଢେଇକୁ ଅସ୍ତ୍ର କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି ସୁଦର୍ଶନ ଦାସ ।

ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ରହିଛି ୭ଟି ବିଧାନସଭା ନିର୍ବାଚନ ମଣ୍ଡଳି । ଜଳେଶ୍ୱର ମଣ୍ଡଳି ବସ୍ତା ବ୍ଲକର ୧୪ଟି ପଞ୍ଚାୟତ, ଜଳେଶ୍ୱରରେ ୨୧ଟି ପଞ୍ଚାୟତ ରହିଛି । ୨୦୧୪ ଓ ୧୯ ନିର୍ବାଚନରେ  ବିଜେଡିର ବାଜିମାତ କରିଥିଲା । ଏଥର ଜୁନ୍ ୧ରେ ଜଳେଶ୍ୱରର ୨ ଲକ୍ଷ ୫୧ ହଜାର ୬୮୬ ଭୋଟର କାହାକୁ ଭରସା କରୁଛନ୍ତି, ତାହା ଜୁନ୍ ୪ରେ ଜଣାପଡିବ ।