କୁନି ପିଲାର ବିରାଟ ଦାନ । ବର୍ଷେ ୯ ମାସ ବୟସରେ ଅଙ୍ଗଦାନ କରି ଅମର ବାଲେଶ୍ୱରର ପ୍ରତ୍ୟୁଷ ପାଣିଗ୍ରାହୀ ।

222

କନକ ବ୍ୟୁରୋ: ଦୁନିଆ କଣ ଜାଣିବା ଆଗରୁ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇଛି କୁନି ପୁଅ ପ୍ରତ୍ୟୁଷ ପାଣିଗ୍ରାହୀ । ସେ ସିନା ଯାଇଛି, ହେଲେ ଯାହା ଦେଇଯାଇଛି, ତାହା ସବୁ ଦିନ ପାଇଁ ମନେରହିବ । ମାତ୍ର ବର୍ଷେ ୯ ମାସର ଛୁଆ, ୩-୩ଟି ଅଙ୍ଗଦାନ କରି ଉଦାହରଣ ପାଲଟିଛନ୍ତି ବାଲେଶ୍ୱର ସୋରର ପ୍ରତ୍ୟୁଷ ପାଣିଗ୍ରାହୀ । ପୁଅର ଏଭଳି ଦାନ ପାଇଁ ଗର୍ବ କରିବେ ନା, ପୁଅକୁ ହରାଇ ଦୁଃଖ କରିବେ କିଛି ବୁଝି ପାରୁନାହାନ୍ତି ବାପା ଗୌରୀଶଙ୍କର ପାଣିଗ୍ରାହୀ ଏବଂ ମାଆ ଶର୍ମିଷ୍ଠା ପାଣିଗ୍ରାହୀ ।

  • ସାନ ସିନା ଦାନ ତା ମହାନ
  • ଅଙ୍ଗ ଦାନ କରି ଆଦର୍ଶ ପାଲଟିଲେ ପ୍ରତ୍ୟୁଷ

ଜନ୍ମର ୪ ମାସ ପରେ ମସ୍ତିଷ୍କରେ ସମସ୍ୟା ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପ୍ରତ୍ୟୁଷ । ଦୀର୍ଘଦିନର ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରିଥିଲେ । ଆଉ ପ୍ରତ୍ୟୁଷ ମୃତ୍ୟୁରେ ଭାଙ୍ଗି ପଡିଥିବା ବାପାମାଆ ପୁଅକୁ ଅମର କରିବା ପାଇଁ ଅଙ୍ଗଦାନର ନିଷ୍ପତି ନେଇଥିଲେ ବାପା-ମାଆ । ଭୁବନେଶ୍ୱରରୁ ଗ୍ରୀନ କରିଡରେ ଦିଲ୍ଲୀ, ହାଇଦ୍ରାବାଦ ଓ ଚେନ୍ନାଇ ଯାଇଛି ପ୍ରତ୍ୟୁଷର କିଡନୀ, ହାର୍ଟ ଓ ଲିଭର । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଶିଶୁର ଶରୀରରେ ପ୍ରତିରୋପଣ ହେବ ଲିଭର । ସେହିଭଳି ହାଇଦ୍ରାବାଦର ଜଣେ ଶିଶୁର ଶରୀରରେ କିଡନୀ ଓ ଚେନ୍ନାଇରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଶିଶୁ ଶରୀରରେ ଲାଗିବ ପ୍ରତ୍ୟୁଷର ହାର୍ଟ ।

ପ୍ରତ୍ୟୁଷ ପାଣିଗ୍ରାହୀ ପ୍ରାୟ ଦେଢବର୍ଷ ହସପିଟାଲ ବେଡରେ ରହିଥିଲା । ବେଡରେ ହସି ହସି ବାପା ବୋଲି ଡାକୁଥିଲା । ମାଆଙ୍କ ଫୋନରେ ରିଲ୍ସ କରୁଥିଲା । ପ୍ରତ୍ୟୁଷଙ୍କ ମୃତଦେହ ହସପିଟାଲରୁ ବାହାରିବା ବେଳେ ହସପିଟାଲର ପରିସରରେ ତାଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଛି ।