ସିମୁଳିଆ ପୁରୁଷୋତମପୁରରେ ଚାଞ୍ଚଲ୍ୟ । ଘର ଭିତରୁ ମିଳିଲା ଦମ୍ପତ୍ତିଙ୍କ ମୃତଦେହ । ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ସନ୍ଦେହ

518

କନକ ବ୍ୟୁରୋ: ମାଟି କାନ୍ଥରେ ଦାଉ ଦାଉ ଝଟକୁଛି ବିବାହ ଚିତା । ଏପଟେ କିନ୍ତୁ ଏ ଦୁନିଆରୁ ସବୁଦିନ ପାଇଁ ଲିଭି ଯାଇଛି ଏଇ କାନ୍ଥରେ ଲେଖା ହୋଇଥିବା ଦୁଇଟି ନାଁ । ଶେଷ ନିଶ୍ୱାସ ନେଇ ସାରିଛି ସଂସାର ଗଢିବାର ଗୋଟିଏ ସୁନ୍ଦର ସ୍ୱପ୍ନ । ଯେମିତି ଆରମ୍ଭ ହେଉହେଉ ସରିଯାଇଛି ମନୋଜ ଓ ଶୁଭଙ୍କ ବୈବାହିକ ସଂପର୍କ । ସାଙ୍ଗ ହୋଇ ମୃତ୍ୟୁର ଶେଜରେ ଶୋଇପଡିଛନ୍ତି ନବ ଦମ୍ପତି । ଶୋଇବା ଘରେ ପଡିଛି ସ୍ୱାମୀ-ସ୍ତ୍ରୀ ମୃତଦେହ । ରବିବାର ଅପରାହ୍ନରେ ନବ-ଦମ୍ପତିଙ୍କ ଏଭଳି ଅବସ୍ଥା ଦେଖି ନିର୍ବାକ ହୋଇଯାଇଛନ୍ତି ପରିବାର ଲୋକ ଓ ସଂପର୍କୀୟ ।

  • ନବ ଦମ୍ପତିଙ୍କ ମୃତ୍ୟୁ ରହସ୍ୟ
  • ଆତ୍ମହତ୍ୟା ନା ଆଉ କିଛି?

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତମପୁରରେ ଏଭଳି ଅଭାବନୀୟ ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ପାର୍ବତୀପୁର ଗାଁରେ ଘର ଭିତରୁ ମନୋଜ ମହାକୁଡ ଓ ସସ୍ମିତା ମହାକୁଡ ମୃତଦେହ ମଳିବା ପରେ ଏହା ଆତ୍ମହତ୍ୟା ନା ଆଉ କିଛି, ତାହା ତ ସ୍ପଷ୍ଟ ହୋଇନାହିଁ । ପୁଲିସ ଦମ୍ପତିଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ଏହାର ପ୍ରକୃତ କାରଣ ଜାଣିବା ପାଇଁ ଚେଷ୍ଟା ଚଳାଇଛି ।

ସଂପର୍କୀୟଙ୍କ କହୁଛନ୍ତି ଏହା ପାରିବାରିକ କଳହର କରୁଣ ପରିଣତି । ବର୍ଷେ ତଳେ ପ୍ରେମ ବିବାହ କରିଥିଲେ ମନୋଜ ଓ ଶୁଭ । ସମ୍ବଲପୁରରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ ମନୋଜ, ଘରେ ଶାଶୁ ଶ୍ୱଶୁରଙ୍କ ପାଖରେ ରହୁଥିଲେ ଶୁଭ । ମନୋଜ ଛୁଟିରେ ଘରକୁ ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ଦୁହେଁ ବିଦ୍ୟୁତ୍ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସିମୁଳିଆ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି ।