ଶୀତରେ ଥରୁଛି ସାରା ଦେଶ । ଉତ୍ତରଭାରତରେ ଅସମ୍ଭାଳ ଥଣ୍ଡା, ଦିଲ୍ଲୀରେ ୨ ଡିଗ୍ରୀ ତଳକୁ ଖସିଲା ପାରଦ

151

କନକ ବ୍ୟୁରୋ: ଉତ୍ତରଭାରତରେ ଥଣ୍ଡାର ଥାର୍ଡ ଡିଗ୍ରୀ । ଦିଲ୍ଲୀ ଏନସିଆର ସମେତ ପୁରା ଉତ୍ତର ପଶ୍ଚିମ ଭାରତରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଲଗାତାର ପାରଦ ଖସୁଥିବା ରେକର୍ଡ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଦିଲ୍ଲୀ ସମେତ ଉତ୍ତର ଭାରତ କିଛି ଅଞ୍ଚଳରେ ଅରେଞ୍ଜ ଆଲର୍ଟ ଜାରି କରିଛି । ଆଗକୁ ଆହୁରି ଘନ କୁହୁଡ଼ି, ଥଣ୍ଡା ଓ ଶୀତ ଲହରି ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ଆଜି ସକାଳୁ ସକାଳୁ ଦିଲ୍ଲୀରେ ଘନ କୁହୁଡ଼ି ହେବା ସହ ଥଣ୍ଡା ଅନୁଭୂତ ହେଉଥିଲା । ଆଜି ଦିଲ୍ଲୀର ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୯ ଡିଗ୍ରୀ ସେଲିସିୟସ, ଆୟାନାଗରରେ ୨ ଦଶମିକ ୬ ଡିଗ୍ରୀ ସେଲସିୟସ, ଲୋଡି ରୋଡରେ ୨. ୮ ଡିଗ୍ରୀ ସେଲସିୟସ ରେକର୍ଡ କରିଥିବା ବେଳେ ପାଲମରେ ୫ ଦଶମିକ ୨ ଡିଗ୍ରୀ ତାପମାତ୍ରା ରହିଛି । ଘନ କୁହୁଡ଼ି ପାଇଁ ବିଳମ୍ବରେ ଚାଲିଛି ୪୨ଟି ଟ୍ରେନ ।

ରାଜ୍ୟରେ ଆଗାମୀ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ଆସନ୍ତା ଦୁଇ ଦିନ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଆଂଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି । ଏଥିପାଇଁ ରାଜ୍ୟର ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୋଳ ଓ ଢେଙ୍କାନାଳରେ ଶୀତ ଲହରି ଜାରି ହୋଇପାରେ । ତେଣୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ରିଲିଫ କମିସନର କହିଛନ୍ତି । ଭୋର ସମୟରେ ଘରୁ ନବାହାରିବାକୁ, ସକାଳୁ ସକାଳୁ, ବାଇକ କିମ୍ବା ଖୋଲା କାରରେ ଯାତାୟତ ନକରିବାକୁ ପରାମର୍ଶ ଦିଆଯାଇଛି । ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପରିଧାନ କରିବାକୁ, ଗୃହପାଳିତ ପଶୁଙ୍କୁ ଖୋଲା ସ୍ଥାନରେ ନରଖି ଛାତ ତଳେ ରଖିବାକୁ କୁହାଯାଇଛି ।

ଶୀତରେ ଥରୁଛି କନ୍ଧମାଳ । କିଛି ଦିନର ବ୍ୟବଧାନ ପରେ ପୁଣି ଥଣ୍ଡା ଫେରିଛି । ଦୁଇ ଦିନପରେ ୪ରୁ ୫ ଡିଗ୍ରୀ ପାରଦ ଖସିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଜିଲ୍ଲାର ଦାରିଙ୍ଗବାଡିରେ ତୁଷାରପାତ ହେଉଛି । ଜିଲ୍ଲାର ଜି.ଉଦୟଗିରି, ବାଲିଗୁଡା,ବେଲଘର ଓ ଫୁଲବାଣୀର ତାପମାତ୍ରା ୫ରୁ ୭ ଡିଗ୍ରୀ ତଳକୁ ଖସି ଆସିଛି ।