ଘନୀଭୂତ ହେବାରେ ଲାଗିଛି ସୁଦୃଶ୍ୟ ଲଘୁଚାପ । ଆସନ୍ତାକାଲି ସୁଦ୍ଧା ନେଇପାରେ ବାତ୍ୟାର ରୂପ । ଏପଟେ ବଢୁଛି ତାତି, ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡ଼ିଶା ।

5,925

କନକ ବ୍ୟୁରୋ: ସୁଦୃଶ୍ୟ ଲଘୁଚାପର ରୂପ ନେଇଛି ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆସନ୍ତାକାଲି ଏହା ଭୀଷଣ ସାମୁଦ୍ରିକ ଝଡର ରୂପ ନେଇପାରେ । ତେବେ ବାତ୍ୟାର ଗତିପଥ ବାଙ୍ଗଲାଦେଶ ଓ ମିଆଁମାର ଆଡକୁ ମୁହାଁଇପାରେ ବୋଲି ଆଇଏଡି ତାର ଆକଳନରେ କାଏମ ରହିଛି । ତେବେ ଗୋଟିଏ ପଟେ ସମୁଦ୍ର ଭିତରେ ଦାନା ବାନ୍ଧୁଛି ବାତ୍ୟା ତ ଏପଟେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାତି ବଢ଼ିବାରେ ଲାଗିଛି । ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ତାପମାତ୍ରା ବଢ଼ିବାରେ ଲାଗିଛି ।

  • ଘନୀଭୂତ ହେଉଛି ସୁଦୃଶ୍ୟ ଲଘୁଚାପ କ୍ଷେତ୍ର
  • ଆସନ୍ତାକାଲି ନେଇପାରେ ବାତ୍ୟାର ରୂପ
  • ୧୨ ତାରିଖରେ ଦିଗ ବଦଳାଇବା ଆଶଙ୍କା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ସୁଦୃଶ୍ୟ ଲଘୁଚାପର ରୂପ ନେଇଛି । ଏହା ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହେବା ପରେ ୧୦ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସମୁଦ୍ର ଭିତରେ ବଳ ଗୋଟାଇ ୧୧ ତାରିଖକୁ ଭୀଷଣ ସାମୁଦ୍ରିକ ଝଡ଼ ଏବଂ ୧୨ ତାରିଖକୁ ନେଇପାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ । ଏହି ସମୟରେ ବାତ୍ୟା ରିକର୍ଭ କରିବା ସମ୍ଭାବନା ରହିଛି । ଅର୍ଥାତ୍ ଦିଗ ବଦଳାଇ ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ଓ ମିଆଁମାର ମୁହାଁ ହୋଇପାରେ ବାତ୍ୟା ।

  • ବାତ୍ୟା ଆସୁଛି, ତାତି ବଢୁଛି
  • ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେଉଛି ରାଜ୍ୟ

ଗୋଟିଏ ପଟେ ସମୁଦ୍ର ଭିତରେ ଦାନା ବାନ୍ଧୁଛି ବାତ୍ୟା । ଅନ୍ୟପଟେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାତି ବଢ଼ିବାରେ ଲାଗିଛି । ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ତାପମାତ୍ରା ବଢ଼ିବାରେ ଲାଗିଛି । ୪-୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତନ ହେବା ସମ୍ଭାବନା ନଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୪ ଦିନ ଯାଏଁ କିଛି ଅଞ୍ଚଳରେ ଗରମ ଓ ସହ ଗୁଳିଗୁଳି ଅନୁଭୂତ ହେବା ସମ୍ଭାବନା ରହିଛି ।

ଏପଟେ ବିଭିନ୍ନ ମଡେଲର ଆକଳନ ଅନୁସାରେ ବାଂଲାଦେଶ ଓ ମିଆଁମାର ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି । ଓଡ଼ିଶା ଉପରେ ସେତେଟା ପ୍ରଭାବ ପଡିବ ନାହିଁ ବୋଲି କୁହାଯାଉଛି ।