ଆନ୍ଧ୍ର ସିଣ୍ଡ୍ରୋମ୍ ବନାମ ଶଶୀକଳା ସିଣ୍ଡ୍ରୋମ୍ । ବିଜେଡି-ବିଜେପି ଭିତରେ ତେଜିଲା ବୟାନବାଜି । ଆନ୍ଧ୍ର ସିଣ୍ଡ୍ରୋମ କଟାକ୍ଷ ଉପରେ ବର୍ଷିଲେ ପୃଥ୍ୱୀରାଜ ହରିଚନ୍ଦନ ।

134

କନକ ବ୍ୟୁରୋ: କାଲି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଭୋଟ୍ ପଡିବ । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ସେମି-ଫାଇନାଲ ବୋଲି ବିଚାର କରାଯାଉଛି । ତେଣୁ ରାଜ୍ୟରେ ରାଜନୈତିକ ଉଷ୍ମତା ତୀବ୍ର ହେବାରେ ଲାଗିଛି । ଗୋଟିଏ ରାଜନୈତିକ କ୍ୟାମ୍ପରୁ ଆସୁଥିବା ବୟାନର ଆଉ ଗୋଟିଏ ରାଜନୈତିକ କ୍ୟାମ୍ପରୁ ଉତ୍ତର ରଖାଯାଉଛି । ହେଲେ ଏହାରି ଭିତରେ ଚର୍ଚ୍ଚା ବଢାଇଛି ରାଜନୀତିରେ ଶଶିକଳା ସିନଡ୍ରୋମ୍ ଓ ଆନ୍ଧ୍ର ସିନଡ୍ରୋମ୍ ।

  • ଶଶୀକଳା ସିଣ୍ଡ୍ରୋମ୍ ବନାମ ଆନ୍ଧ୍ର ସିଣ୍ଡ୍ରୋମ୍
  • ବିଜେଡି-ବିଜେପି ଭିତରେ ତେଜିଲା ବୟାନବାଜି

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନଙ୍କୁ ଆନ୍ଧ୍ର ମଡେଲର କଥା କହି କଟାକ୍ଷ କରିଥିଲା ବିଜୁ ଜନତା ଦଳ । ଏହାର ଜବାବରେ ବିଜେଡି ଉପରେ ବର୍ଷିଛନ୍ତି ପୃଥୀରାଜ । କେବଳ ଆନ୍ଧ୍ର ନୁହେଁ, ଭାରତର ଯେକୌଣସି ସ୍ଥାନରୁ ତାଙ୍କ ନାମରେ ଭ୍ରଷ୍ଟାଚାରର ପ୍ରମାଣ ଯଦି ଅଛି ଲୋକଙ୍କ ଆଗରେ ରଖିବାକୁ ବିଜେଡି ସୁପ୍ରିମୋଙ୍କୁ ଆହ୍ୱାନ କରିଛନ୍ତି ପୃଥ୍ୱୀରାଜ । ପ୍ରମାଣ ଦେବାରେ ଯଦି ଯୋଗ୍ୟତା ନାହିଁ , ତେବେ ସାତ ଦିନ ଭିତରେ ବିଜେଡି କ୍ଷମାପ୍ରାର୍ଥନା କରୁ ନହେଲେ ମାନହାନୀ ମକଦ୍ଦମା କରିବି ବୋଲି ଚେତାବନୀ ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ।

ସେ ଆହୁରି କହିଛନ୍ତି ମୁଁ ଏବଂ ମୋ ବାପାଙ୍କ ସଚୋଟ୍ଟତା ଏବଂ ଅଖଣ୍ଡତା ନେଇ ସାରା ଓଡିଶାରେ ଚର୍ଚ୍ଚା ହୁଏ , ଭ୍ରଷ୍ଟାଚାରର କଳା ଦାଗ ଆମ ପରିବାରରେ ଲାଗି ନାହିଁ, ଏକଥାକୁ ବୋଧହୁଏ ବିଜେଡି ଭୁଲିଯାଇଛି । କାରଣ ଯିଏ ଭ୍ରଷ୍ଟାଚାରର ଚଷମା ପିନ୍ଧିଥାଏ ତାକୁ ସବୁ ନେଳିଆ, ହଳଦିଆ ଦେଖାଯାଇଥାଏ ବୋଲି ପୃଥୀରାଜ ହରିଚନ୍ଦନ କହିଛନ୍ତି ।

ସୋମବାର ବିଜୁ ଜନତା ଦଳକୁ ଟାର୍ଗେଟ କରିଥିଲେ ପୃଥୀରାଜ କହିଥିଲେ ରାଜ୍ୟ ଶାସନ ନବୀନ ବାବୁଙ୍କ ନିୟନ୍ତ୍ରଣରେ ନାହିଁ । ତାମିଲନାଡୁ ମଡେଲର ଉଦାହରଣ ଦେଇ କହିଥିଲେ, ସ୍ୱର୍ଗତ ଜୟଲଳିତାଙ୍କର ଯେତେବେଳେ ଅସୁସ୍ଥତା ଆସିଥିଲା, ସେତେବେଳେ ଶାସନ ଡୋରୀ ଅନ୍ୟମାନେ ସମ୍ଭାଳି ଥିଲେ, ବର୍ତମାନ ଓଡିଶାରେ ସେହିଭଳି ସ୍ଥିତି ହୋଇଯାଇଛି । ତେବେ ଏହାକୁ କାଉଣ୍ଟର କରି ବିଜେଡି ପୃଥ୍ୱୀରାଜଙ୍କ ବିରୁଦ୍ଧରେ ଆନ୍ଧ୍ର ମଡେଲର ଉପଖ୍ୟାନ ମାଧ୍ୟମରେ ସଂଗୀନ ଅଭିଯୋଗ ଆଣିଥିଲା । ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦରେ ସଦସ୍ୟ କରାଇଦେବା ଲାଗି କୋଟି କୋଟି ଟଙ୍କା ଆଦାୟ କରିଛନ୍ତି । ଏହି କେଳେଙ୍କାରୀକୁ ନେଇ ଫୌଜଦାରୀ ମାମଲା ହେବାକୁ ଯାଉଛି ଏବଂ ସଂପୃକ୍ତ ଲୋକ ଖୁବଶୀଘ୍ର ଗିରଫ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।

ତେବେ ଝାରସୁଗୁଡା ଉପ-ନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶଶୀକଳା ସିଣ୍ଡ୍ରୋମ ଉପାଖ୍ୟାନ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ବିଜେଡି ଏବଂ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଥିଲା ବୟାନବାଜି ।