ଅଗ୍ନିପଥ ଯୋଜନାକୁ ବିରୋଧ ଭିତରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ। ସ୍ଥଳସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। 

500

କନକ ବ୍ୟୁରୋ :  ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଜାରି ରହିଥିବା ବେଳେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଗ୍ନିପଥ ଯୋଜନାର ନାଁ ନନେଇ ମୋଦୀ କହିଛନ୍ତି ଅନେକ ଯୋଜନା ପ୍ରଥମରୁ ଠିକ୍ ଲାଗିନପାରେ କିନ୍ତୁ ଭବିଷ୍ୟତରେ ଏହା ଦେଶ ନିର୍ମାଣରେ ସାହାଯ୍ୟ କରେ ।

ସୋମବାର ମହିନ୍ଦ୍ରା କମ୍ପାନୀର ପ୍ରତିଷ୍ଠାତା ତଥା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ଆରପିଜିି ଏଣ୍ଟରପ୍ରାଇଜେସର ସିଇଓ ହର୍ଷ ଗୋୟେଙ୍କା ଏବଂ ଶ୍ରୀଶ୍ରୀ ରବିଶଙ୍କରଙ୍କ ଟୁଇଟ କରିଛନ୍ତି । ଏ ସମସ୍ତ ବ୍ୟକ୍ତି କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ସମର୍ଥନ କରିଛନ୍ତି । ଆଉ ୪ ବର୍ଷ ଚାକିରି ଶେଷ ପରେ ନିଜ ନିଜ କମ୍ପାନୀରେ ଚାକିରି ପାଇଁ ସୁଯୋଗ ଦେବେ ବୋଲି କହିଛନ୍ତି । ଅନ୍ୟପଟେ ରବିଶଙ୍କର କହିଛନ୍ତି, ସିଙ୍ଗାପୁରର ଏବଂ ସୁଇଜରଲ୍ୟାଣ୍ଡରେ ଏପରି ବ୍ୟବସ୍ଥା ରହିଛି । ସେଠାରେ ଦେଶ ପାଇଁ ବର୍ଷେ କି ଦୁଇ ବର୍ଷ ସେନାରେ କାମ କରିବା ଅନିର୍ବାଯ୍ୟ ରହିଥିବା ବେଳେ ଭାରତର ଏହି ବ୍ୟବସ୍ଥା ତାଠୁ ଭଲ ବୋଲି କହି ଅଗ୍ନିପଥ ଯୋଜନାକୁ ସମର୍ଥନ କରିଛନ୍ତି ।

ଅଗ୍ନିପଥ ଯୋଜନାକୁ ବିରୋଧ କରି ସୋମବାର ଭାରତ ବନ୍ଦ ଡାକରା ଦେଇଥିଲେ ବିଭିନ୍ନ ସଂଗଠନ । ଓଡିଶାରେ ଏହାର ବିଶେଷ ପ୍ରଭାବ ପଡିନଥିବା ବେଳେ ଦେଶରେ ପାଖାପାଖି ୫ ଶହ ଟ୍ରେନ ବାତିଲ ହୋଇଛି । ଅନ୍ୟପଟେ ଇଏ ହେଉଛି ଦିଲ୍ଲୀରେ ଟ୍ରାଫିକ ଜାମର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଯେଉଁଠି ଅଗ୍ନିପଥ ପାଇଁ ରାସ୍ତାଜାମ ସହିତ ଟ୍ରାଫିକରେ ଭିଡ ଦେଖିବାକୁ ମିଳିଛି ।

ଏହାରି ଭିତରେ ସୋମବାର ଇଣ୍ଡିଆନ୍ ଆର୍ମି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ ଜୁଲାଇରୁ ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ । ଯେଉଁଥିରେ ଅଷ୍ଟମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାସ କରିଥିବା ପିଲା ବିଭିନ୍ନ ପଦ ପାଇଁ ଆବେଦନ କରିପାରିବେ ।