ଅଭିଯୋଗ ଶୁଣିଲେ ନାହିଁ ପ୍ରଶାସନିକ ଅଧିକାରୀ କି ରାଜନେତା: ବାଧ୍ୟ ହୋଇ ଚାନ୍ଦା ଆଦାୟ କରି କାଠ ପୋଲ ବନେଇଲେ ଗାଁ ଲୋକ

113

କନକ ବ୍ୟୁରୋ: ଗାଁ ସମସ୍ୟା ବୁଝିଲା ନାହିଁ ପ୍ରଶାସନ । ବାରମ୍ବାର ଗୁହାରି କରି ନିରାସ ହେଲେ ଗ୍ରାମବାସୀ । ଶେଷରେ ବର୍ଷା ହେବା ଆଗରୁ ନିଜ ଉଦ୍ୟମରେ ନିଜ ଗାଁକୁ କାଠ ପୋଲ ତିଆରି କରିଛନ୍ତି । ପୋଲ ତିଆରି ପାଇଁ ଶ୍ରମଦାନ କରିବା ସହ ଅର୍ଥଦାନ ମଧ୍ୟ କରିଛନ୍ତି । ନିଜ ନିଜ ଭିତରେ ୨ ଲକ୍ଷ ଟଙ୍କା ଚାନ୍ଦା ଆଦାୟ କରିଛନ୍ତି । ଏଭଳି ପୋଲ ତିଆରି କରି ପ୍ରଶାସନର ପାରିବା ପଣିଆକୁ ଉପହାସ କରିଛନ୍ତି ବିତଶାଳୀ ଜିଲ୍ଲା କେନ୍ଦୁଝର ତେଲକୋଇ ବ୍ଲକର ଦାମୋଦରଗୌଣୀ ଗ୍ରାମବାସୀ । ଏହି ଗାଁକୁ ଦୁଇ ଭାଗ କରିଛି ହନୁମନ୍ତିଆ ନାଳ । ନାଳ ସେପଟେ ମୁଳ ଗାଁ ରହିଥିବା ବେଳେ ମଝିସାହି, ଦଣ୍ଡାହୁଳି ଓ ମାଝିସାହି ରହିଛି । ବର୍ଷା ଦିନେ ନାଳରେ ପାଣି ହୋଇଗଲେ ଏହି ୩ଟି ସାହିର ପ୍ରାୟ ଦେଢ ଶହ ପରିବାର ଘରୁ ବାହାରି ପାରନ୍ତି ନାହିଁ । ଜୁନ୍ରୁ ଜାନୁଆରୀ ମାସ ଯାଏଁ ସଦର ମହୁକମା ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିବାକୁ ପଡେ । ତେଣୁ ହନୁମନ୍ତିଆ ନାଳ ଉପରେ ଏକ ପୋଲ ତିଆରି କରିବାକୁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ଯାଏଁ ସମସ୍ତଙ୍କୁ ଗୁହାରି କରିଛନ୍ତି ଗ୍ରାମବାସୀ । ହେଲେ କେହି ଶୁଣିଲେ ନାହିଁ, ତେଣୁ ବର୍ଷା ଆଗରୁ ନିଜ ପାଇଁ ବ୍ୟବସ୍ଥା କରିଛନ୍ତି ଗ୍ରାମବାସୀ । ସିମେଂଟ ଖୁଂଟ, ଲୁହା ତାର, ବାଉଁଶ ଓ କାଠ ସାହାଯ୍ୟରେ ପୋଲ ତିଆରି କରିଛନ୍ତି ଦାମୋଦରଗୌଣୀ ଗ୍ରାମବାସୀ ।