ଝୁଲାପୋଲ ଦୁର୍ଘଟଣାକୁ ନେଇ ପ୍ରଶ୍ନ ? ବିରୋଧୀ ଆଣିଲେ ଏଭଳି ଅଭିଯୋଗ

95

କନକ ବ୍ୟୁରୋ : ଗୁଜରାଟ ମୋରବୀର ମଚ୍ଛୁ ନଦୀ ଉପରେ ପ୍ରାୟ ୧୪୫ବର୍ଷ ଧରି ରହିଥିଲା ଏହି ଝୁଲାପୋଲ । ଦୀର୍ଘ ବର୍ଷ ପୁରୁଣା ଏହି ପୋଲକୁ ମରାମତି କରାଗଲା ଓ ଲୋକଙ୍କ ପାଇଁ ଖୋଲା ବି ଗଲା । କିନ୍ତୁ ରବିବାର ଯେଉଁ ବଡ ଧରଣର ଦୁର୍ଘଟଣା ଏଠାରେ ଘଟିଗଲା ତାକୁ ହୁଏତ କେହିବି କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ । କିଏ ଏବେ ବି ଘଟଣାସ୍ଥଳରେ ନିଜ ସର୍ମ୍ପକୀୟଙ୍କୁ ଖୋଜୁଛି ତ ପୁଣି କିଏ ହସ୍ପିଟାଲ ଚାରିପଟେ ଘୁରିବୁଲୁଛି । ଘଟଣାସ୍ଥଳରେ କେଉଁଠି ଶିଶୁଙ୍କ ଜୋତା ପଡିରହିଛି, ତ ପୁଣି କେଉଁଠି ମୃତ୍ୟୁର ଫାଶରେ ପଡିଥିବା ଲୋକଙ୍କ ପୋଷାକ ଖଣ୍ଡ ମିଳୁଛି । ଏଭଳି ଚିତ୍ର ମନକୁ ଯେତିକ ଆନ୍ଦୋଳିତ କରୁଛି ସେତିକି ପ୍ରଶ୍ନ ମଧ୍ୟ ଉଠାଉଛି । ସତେ ଯେମିତି ମୁହୁର୍ତକ ମଧ୍ୟରେ ବଦଳିଯାଇଛି ଚିତ୍ର ଭାଗ୍ୟ । ଯେଉଁ ଝୁଲାପୋଲ ସ୍ଥାନୀୟ ବାସିନ୍ଦାଙ୍କ ଏକ ପ୍ରମୁଖ ବାଟ ସାଜିଥିଲା ଏବେ ଖଣ୍ଡବିଖଣ୍ଡିତ ହୋଇ ପଡି ରହିଛି ଓ ସେହି କାଳ ସଂଧ୍ୟାରେ କାହାଣୀ ବଖାଣୁଛି । ଛଟପୂଜାର ଶେଷ ଦିନ ଅର୍ଥାତ ରବିବାର ସଂଧ୍ୟା ସମୟରେ ଯେଉଁ ଦୁର୍ଘଟଣା ଘଟିଗଲା ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

ଝୁଲାପୋଲ ଦୁର୍ଘଟଣାକୁ ନେଇ ପ୍ରଶ୍ନ:
• ବିନା ଫିଟନେସରେ କିଭଳି ପୋଲ ଖୋଲାଗଲା?
• କ୍ଷମତାଠୁ ଅଧିକ ଲୋକଙ୍କୁ ଯିବା ପାଇଁ କିଏ ଅନୁମତି ଦେଲା?
• ୭ମାସ ପୂର୍ବରୁ ମରାମତି ପାଇଁ ବନ୍ଦ କରାଯାଇଥିଲା?
• ପ୍ରଶ୍ନ ଉଠୁଛି ମରାମତି ପରେ କିଭଳି ଦୁର୍ଘଟଣା ହେଲା?
• ଏହା କେବଳ ଏକ ଦୁର୍ଘଟଣା ଥିଲା ନା ମରାମତି କାମରେ କିଛି ଘୋଟାଲା ହୋଇଛି?
• ଟିକେଟ ମାତ୍ରାରୁ ଅଧିକ ବିକ୍ରି କିଭଳି କରାଗଲା?

ମଚ୍ଛୁ ନଦୀ ଉପରେ ନିର୍ମିତ ଝୁଲାପୋଲ ଛିଡିବା ଘଟଣା ପୂରା ଦେଶକୁ ସ୍ତବ୍ଧ କରିଛି । ଯଦି ଇତିହାସ ଉପରେ ନଜର ପକାଇବା ୧୯୭୯ ମସିହାରେ ମଛୁ ଡ୍ୟାମ ଭାଙ୍ଗିଥିଲା । ଡ୍ୟାମ ଭାଙ୍ଗିବା ପରେ ମୋରବୀ ଓ ଏହାର ଆଖପାଖ ଅଂଚଳ ବନ୍ୟା ପାଣିରେ ଭାସିଯିବା ସହ ପ୍ରାୟ ୧୫ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ପାଣି ଶୁଖିବା ପରେ ସ୍ଥାନୀୟ ଅଂଚଳରେ କୁଢ କୁଢ ଶବ ଦେଖିବାକୁ ମିଳିଥିଲା । ଏହି ସମୟରେ ଉଦ୍ଧାରକାରୀ ଓ ସ୍ୱାସ୍ଥ୍ୟସେବା ଦଳ ଏଠାରେ ପହଁଚିବାପରେ ଭୟାନକ ରୋଗରେ ଆକ୍ରାନ୍ତ ମଧ୍ୟ ହୋଇଥିଲେ ଏବେ ଇତିହାସର ପୁନରାବୃତି ହୋଇଛି କିନ୍ତୁ ଏଥରକ ଘଟଣା କେବଳ ଏକ ଦୁର୍ଘଟଣା ଥିଲା ନା ଦୁର୍ନିତିର ଫଳ ଥିଲା ଏହାକୁ ନେଇ ପ୍ରଶ୍ନ ଉଠୁଛି ।

ଆଖି ପିଛୁଳାକେ ଛିଡିଗଲା ଝୁଲାପୋଲ ଓ ଚାଲିଗଲା ଦେଢଶହରୁ ଅଧିକ ଲୋକଙ୍କ ଜୀବନ । ଏବେବି ଗଭୀର ନଦୀ ଭିତରେ ଚାଲିଛି ଅନେକଙ୍କ ଖୋଜ୍ । ଦୁର୍ଘଟଣା ମାମଲାରେ କଂଟ୍ରାକ୍ଟରଙ୍କ ସମେତ ୯ଜଣଙ୍କୁ ଗିରଫ କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାର ମୃତକଙ୍କ ଏବଂ ଆହତଙ୍କ ପାଇଁ ସାହାଯ୍ୟ ରାଶି ଘୋଷଣା କରିଛନ୍ତି । ତଥାପି ଯେଉଁମାନେ ଏହି ଦୁର୍ଘଟଣାରେ ନିଜର ପ୍ରିୟ ପରିଜନଙ୍କୁ ହରାଇଛନ୍ତି ସେମାନଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତର କିଏ ଦେବ, ସରକାର ନା ପ୍ରଶାସନ ।