ଅଡୁଆରେ ଆମ ଆଦମୀ ପାର୍ଟିର ମନ୍ତ୍ରୀ ସତେନ୍ଦ୍ର ଜୈନ , ମହାଠକ ସୁକେଶ ଚନ୍ଦ୍ର ଆଣିଲା ବଡ ଅଭିଯୋଗ

81

କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ମନି ଲଡ୍ରିଂ ମାମଲାରେ ବର୍ତମାନ ତିହାର ଜେଲରେ ଥିବା ସତେନ୍ଦ୍ର ଜୈନଙ୍କ ଉପରେ ବଡ ଅଭିଯୋଗ ଆଣିଛି ମହାଠକ ସୁକେଶ ଚନ୍ଦ୍ରଶେଖର । ଇଏ ସେହି ସୁକେଶ ଯିଏ ୨ଶହ କୋଟି ମନିଲଡ୍ରିଂ ମାମଲାରେ ଏବେ ମଣ୍ଡୋଲି ଜେଲରେ ବନ୍ଦୀ ରହିଛି । ଦିଲ୍ଲୀ ଉପରାଜ୍ୟପାଳ ବି କେ ସକସେନା ନିକଟକୁ ଏକ ଅଭିଯୋଗପତ୍ର ଲେଖିଛି ସୁକେଶ   । ଏହି ଚିଠିକୁ ନେଇ ଏବେ ଦିଲ୍ଲୀ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ମୁହାଁମୁହିଁ ।

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସୁକେଶର ଚିଠି:
ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସେ ୨୦୧୫ ମସିହାରୁ ଚିହ୍ନିଛି । ସତ୍ୟେନ୍ଦ୍ର ବାରମ୍ବାର ତାଙ୍କ ଠାରୁ ଟଙ୍କା ଦାବି କରୁଥିଲେ । ଅନେକ ଥର ଚାପ ପକାଇ ତାଙ୍କଠୁ ମୋଟା ଅଙ୍କର ଅର୍ଥ ନେଉଥିଲେ । ସତ୍ୟେନ୍ଦ୍ରଙ୍କ ଜଣେ ସର୍ମ୍ପକୀୟ ମଧ୍ୟ ସୁକେଶଙ୍କ ନିକଟରୁ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି । ୨୦୧୭ ମସିହାରେ ତିହାର ଜେଲରେ ଥିବା ସମୟରେ ସତ୍ୟେନ୍ଦ୍ର ବହୁବାର ସୁକେଶଙ୍କୁ ଭେଟିବାକୁ ଆସିଥିଲେ । ତାଙ୍କ ବ୍ୟକ୍ତିଗତ ସଚିବଙ୍କ ନିର୍ଦ୍ଦେଶରେ ତାଙ୍କୁ ଜେଲରେ ଅନେକ ସୁବିଧା ମିଳିଛି । ଯାହା ପାଇଁ ସତ୍ୟେନ୍ଦ୍ର ମାସିକ ୨କୋଟି ଟଙ୍କା ଦାବି କରିଥିଲେ । ଆପ ମନ୍ତ୍ରୀ ସତେନ୍ଦ୍ର ଜୈନ ସୁରକ୍ଷା ଦେବା ବଦଳରେ ତାଙ୍କଠୁ ୫୦କୋଟି ଟଙ୍କା ଲାଂଚ ନେଇଛନ୍ତି । ରାଜ୍ୟସଭାକୁ ପଠାଇବା ସୁକେଶ ପ୍ରତିଶ୍ରୁତି ଦେଇଥିଲେ ଜୈନ୍ । ଜେଲ ପ୍ରଶାସନଙ୍କ ଦ୍ୱାରା ବାରମ୍ବାର ଧମକ ଚମକ ଦିଆଯାଉଥିଲା   । ଦୟାକରି ଏହାର ତଦନ୍ତ କରନ୍ତୁ ।

ଅନ୍ୟପଟେ ସୁକେଶର ଏହି ଚିଠିକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ମାମଲାରେ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି । ଠକ ଘରେ ଠକେଇ ହୋଇଗଲା ଏବଂ ଠକର ନାମ ସୁକେଶ ଚନ୍ଦ୍ରଶେଖର ଓ ଆମଆଦମି ପାର୍ଟି ବୋଲି ସେ କହିଛନ୍ତି ।

ସୁକେଶ ଚନ୍ଦ୍ରଶେଖର ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ୧୦ କୋଟି ଦେଇଥିବା ଦାବିକୁ କେଜ୍ରିୱାଲ ମିଥ୍ୟା ଅଭିଯୋଗ କହିଛନ୍ତି । ମୋରବି ଦୁର୍ଘଟଣାର ଧ୍ୟାନ ହଟାଇବାକୁ ବିଜେପି ସୁକେଶ ଚନ୍ଦ୍ରଶେଖରଙ୍କ ଏକ କାହାଣୀ କରିଛି । ଏବଂ ସୁକେଶଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଲାଇବାକୁ ବିଜେପି ଚେଷ୍ଟା କରୁଥିବା କେଜ୍ରିୱାଲ କହିଛନ୍ତି ।

ଅନ୍ୟପଟେ ଜ୍ୟାକଲିନ ଓ ନିଜର ସମ୍ପର୍କକୁ ନେଇ ସଫେଇ ଦେଇଛନ୍ତି ଠକ ସୁକେଶ । ଜ୍ୟାକଲିନଙ୍କର ଏହି ଠକେଇରେ କୈାଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ସୁକେଶ । ଏଥିରେ ସେ ଜ୍ୟାକଲିନଙ୍କୁ ବଂଚାଇବାକୁ ଚେଷ୍ଟା କରିଥିବାର ସ୍ପଷ୍ଟ ଅନୁମାନ କରାଯାଉଛି ବୋଲି ଚର୍ଚ୍ଚା ହେଉଛି । ଗତ ୭ମାସ ହେବ ମନି ଲଡ୍ରିଂ ମାମଲରେ ସତ୍ୟେନ୍ଦ୍ର ଜୈନ ତିହାର ଜେଲରେ ବନ୍ଦୀ ଅଛନ୍ତି । ସେପଟେ ୨ଶହ କୋଟି ଅର୍ଥ ହେରଫେର ମାମଲାରେ ସୁକେଶଚନ୍ଦ୍ର ଦିଲ୍ଲିର ମଣ୍ଡୋଲିରେ ଜେଲରେ ରହିଛି ।