ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଶେଷ। ଶକ୍ତି ପ୍ରଦର୍ଶନ କଲା ବିଜେଡି, ଅବନ୍ତୀଙ୍କ ପାଇଁ ଭୋଟ ମାଗିଲେ ବର୍ଷା ପ୍ରିୟଦର୍ଶନୀ।

119

କନକ ବ୍ୟୁରୋ: ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳର ହେଭିୱେଟ ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଶେଷ ଦିନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ବିଜେଡି ପାଇଁ ପ୍ରଚାର କରିଥିବାବେଳେ ପିଙ୍କି ପ୍ରଧାନ ବିଜେପି ପାଇଁ ପ୍ରଚାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଧର୍ମେନ୍ଦ୍ର ପ୍ରଧାନ ଶେଷ ଦିନରେ ପୁଣି ଥରେ ପ୍ରଚାର କରି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ।

ଧାମନଗର ଉପନିର୍ବାଚନ ପାଇଁ ଶେଷ ଦିନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଓହ୍ଲାଇଥିଲା ବିଜେଡି । ବର୍ଷାଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ନଥିଲେ ବି ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତାଙ୍କୁ ପ୍ରଚାରରେ ସାମିଲ କରିଛି ଦଳ । ବିଜେଡିର ରୋଡସୋରେ ସାମିଲ ହେବା ସହ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ସେ ଭୋଟ ମାଗିଛନ୍ତି । ବର୍ଷାଙ୍କୁ ଦେଖିବା ପାଇଁ ସବୁଠି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଲୋକପ୍ରିୟ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ଭିଡ ଜମାଇଥିଲେ । ସେହିପରି ଅଭିନେତା ଆକାଶ ଦାସ ନାୟକ ଓ ଦଳୀୟ ବହୁ ହେଭିୱେଟ୍ ଅବନ୍ତୀଙ୍କ ପାଇଁ ପ୍ରଚାର କରିଛନ୍ତି ।

ବିଜେପି ପାଇଁ ଅଭିନେତ୍ରୀ ପିଙ୍କି ପ୍ରଧାନ, ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସମେତ ବହୁ ହେଭିୱେଟ୍ ଗାଁ ଗାଁ ବୁଲି ପଦଯାତ୍ରା କରି ଦଳୀୟ ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରିଛନ୍ତି । ପିଙ୍କି ପ୍ରଧାନ ଘର ଘର ବୁଲି ପ୍ରଚାର କରୁଥିବାବେଳେ ପଦଯାତ୍ରା କରିବା ସମୟରେ ଯୁବତୀମାନେ ତାଙ୍କ ସହ ସେଲଫି ନେଉଥିବା ଦେଖାଯାଇଛି । ସାଧାରଣ ଲୋକ ତାଙ୍କୁ ଦେଖିବା ପାଇଁ ଗହଳି ଲଗାଇଥିବା ଦେଖିବାକୁ ମିଳିଛି ।

୨୦୧୯ ନିର୍ବାଚନରେ ମାତ୍ର ୭ହଜାର ଭୋଟ ପାଇଥିଲେ ବି ଏଥର ଭଲ ପ୍ରଦର୍ଶନ କରିବାକୁ ଅଂଟା ଭିଡିଛି କଂଗ୍ରେସ । ଦଳୀୟ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ସହ ଶେଷ ଦିନରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ ରୋଡ ସୋ କରିଛନ୍ତି । ବିଭିନ୍ନ ଗାଁକୁ ଯାଇ ଭୋଟ ଦେବାକୁ ଅପିଲ କରିଛନ୍ତି । ସ୍ୱାଧୀନ ପ୍ରାଥୀ ରାଜୁ ଦାସ ବି ରୋଡ କରିବା ସହ ବିଭିନ୍ନ ସ୍ଥାନରେ ସଭା କରି ଧାମନଗରର ସ୍ୱାଭିମାନ ପାଇଁ ଭୋଟ ଦେବାକୁ ଅପିଲ କରିଛନ୍ତି । ପ୍ରଚାର ଶେଷ ହୋଇଥିଲେ ବି ଆଜିଠୁ ଅସଲ ଖେଳ ଆରମ୍ଭ ହେବ । ଅନ୍ଧାର ଭିତରେ ପ୍ରାର୍ଥୀଙ୍କ ପାଇଁ ଅନ୍ଧାରୀ ବିଜେ କରିବେ ସେମାନଙ୍କ ସମର୍ଥକ ।