ମୋବାଇଲ ରେଡ଼ିଏସନରୁ ରକ୍ଷା କରିବ ବେଲପତ୍ର : ଓଡ଼ିଆ ପୁଅ ଆୟୁଷ ତିଆରି କଲେ ବେଲପତ୍ର କଭର୍

1,107

କନକ ବ୍ୟୁରୋ : ମୋବାଇଲ ରେଡ଼ିଏସନରୁ ରକ୍ଷା କରିବ ବେଲପତ୍ର । ବେଲପତ୍ରରେ ତିଆରି ହେବ ମୋବାଇଲ କଭର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମୋବାଇଲରୁ ବାହାରୁଥିବା ରେଡିସନରୁ ବଂଚିବା ପାଇଁ ଏଭଳି ଏକ ବିକଳ୍ପ ବାହାର କରିଛନ୍ତି ୧୭ ବର୍ଷର ଓଡିଆ ପୁଅ ଆୟୁଷ ଆଚାର୍ଯ୍ୟ । ଦୀର୍ଘ ତିନି ବର୍ଷରୁ ଅଧିକ ଦିନ ଧରି ମୋବାଇଲ ରେଡିଏସନର ପ୍ରତିକାର ବାହାର କରି ବିଫଳ ହେବା ପରେ ଶେଷରେ ସଫଳତା ପାଇଛନ୍ତି ଆୟୁଷ ।

ପ୍ରାୟ ୨୫୦ ଲୋକଙ୍କୁ ନେଇ ମୋବାଇଲ ରେଡ଼ିଏସନ୍ ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ସର୍ଭେ କରିବା ପରେ ଏପରି ଏକ ନିଆରା କଭର ତିଆରି କରିବା କଥା ଆୟୁଷଙ୍କ ମୁଣ୍ଡକୁ ଜୁଟିଲା । ୨/୩ ବର୍ଷ ଲଗାତାର ପରିଶ୍ରମ ପରେ ବି ସେ ସଫଳ ହୋଇପାରୁନଥିଲେ । ସାଧାରଣ ଲୋକ ବ୍ୟବହାର କଲାପରି ତଥା ଇକୋ ଫ୍ରେଣ୍ଡଲି ମାଟେରିଆଲରେ ମୋବାଇଲ କଭର ତିଆରି କରିବାକୁ ଚାହୁଁଥିଲେ ଆୟୁଷ । ଶେଷରେ ତାଙ୍କର ଅନବରତ ପରିଶ୍ରମ ସଫଳ ହେଲା । ବେଲପତ୍ରକୁ ବ୍ୟବହାର କରି ରେଡ଼ିଏସନ ରୋକୁଥିବା ମୋବଇଲ କଭର ତିଆରି କଲେ ।

ଏବେ ତାଙ୍କ ଦ୍ୱାରା ଉଦଭାବନ ହୋଇଥିବା ବେଲପତ୍ରରେ ମୋବାଇଲ କଭର ପରୀକ୍ଷାଗାରକୁ ଯାଇଛି । କମ ମୂଲ୍ୟରେ ଭାରତୀୟ ବଜାରରେ ଏହା ଉପଲବ୍ଧ ହୋଇ ପାରିବ ବୋଲି କହିଛନ୍ତି ଆୟୁଷ । ବିଶ୍ୱ ବଜାରରେ ଆଂଟି ରେଡ଼ିଏସନ ମୋବାଇଲ କଭର ପାଂଚ ହଜାର ଟଙ୍କାରୁ ଅଧିକ ଦାମରେ ମିଳୁଥିବା ବେଳେ ଏହି ବେଲପତ୍ରରେ ତିଆରି ମୋବାଇଲ କଭର ଭାରତୀୟ ବଜାରରେ ୩୦ ଟଙ୍କାରେ ମିଳିପାରିବ । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ମୋବାଇଲ କଭର ଭାରତୀୟ ବଜାରରେ ପ୍ରବେଶ କରିବ ବୋଲି ଆଶା ରଖିଛନ୍ତି ଆୟୁଷ ।