ଗଛ କାଟି ଦେବା ପରେ ଭୋ ଭୋ କାନ୍ଦିଲା ୯ବର୍ଷର ଝିଅ: ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ; ‘ଗ୍ରୀନ ଆମ୍ବାସଡର’ ବନାଇଦେଲେ ମଣିପୁର ମୁଖ୍ୟମନ୍ତ୍ରୀ

327

କନକ ବ୍ୟୁରୋ: ଗଛ କାଟି ଦେବା ପରେ ଭୋ ଭୋ କାନ୍ଦିଲା ୯ବର୍ଷର ଝିଅ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଏହାପରେ ୯ବର୍ଷୀୟ ଝିଅକୁ ଗ୍ରୀନ ଆମ୍ବାସଡର ବନାଇଦେଲେ ମଣିପୁର ମୁଖ୍ୟମନ୍ତ୍ରୀ । ମଣିପୁର କାକଚିଙ୍ଗ ଜିଲ୍ଲାରେ ରହୁଥିବା ଚତୁର୍ଥ ଶ୍ରେଣୀର ଛାତ୍ରୀ ଭେଲେନଟିନା ନିଜ ଘର ପାଖ ଦେଇ ଯାଇଥିବା ନଦୀ ତଟରେ ଦୁଇଟି ଗଛ ଲଗାଇଥିଲେ । ପ୍ରାୟ ୪ରୁ ୫ବର୍ଷ ପୂର୍ବେ ଏହି ଦୁଇଟି ଗଛ ଲଗାଇଥିଲେ ଭେଲେନଟିନା ଏବଂ ଏହି ଗଛ ସହିତ ତାଙ୍କର ବେଶ ଆତ୍ମୀୟତା ରହିଥିଲା । କିନ୍ତୁ ନଦୀ ନିକଟରେ କେନାଲ ନିର୍ମାଣ ପାଇଁ ପ୍ରଶାସନ ଏହି ଦୁଇଟି ଗଛକୁ କାଟି ପକାଇଥିଲା ।

ଭେଲେନଟିନା ସ୍କୁଲ ଯାଇଥିବା ସମୟରେ ଏହି ଦୁଇଟି ଗଛ କଟା ହୋଇଯାଇଥିଲା । ଯାହାପରେ ସେ ଘରକୁ ଫେରି ଏହା ଜାଣିବା ପରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ଏବଂ ନିଜ ଦାଦାଙ୍କୁ ଏନେଇ ଅଭିଯୋଗ କରିଥିଲେ । ସେ ଲଗାଇଥିବା ଦୁଇଟି ଗଛ ତାଙ୍କଠୁ ବି ଅଧିକ ଉଚ୍ଚ ହୋଇଯାଇଥିଲେ ବୋଲି ଭେଲେନଟିନା କାନ୍ଦି କାନ୍ଦି କହିଥିଲେ । ଏହି ଦୁଇଟି ଗଛ ବଦଳରେ ସେ ୨୦ଟି ଗଛ ଲଗାଇବେ ବୋଲି ମଧ୍ୟ କହିଥିଲେ ।

ଏହି ଭିଡିଓକୁ ତାଙ୍କୁ ଦାଦା ସୋସିଆଲ ମିଡିଆରେ ସେୟାର କରିଥିଲେ ଯାହା ସାଙ୍ଗେ ସାଙ୍ଗେ ଭାଇରାଲ ହେବାକୁ ଲାଗିଥିଲା । ଏବଂ ଏହି ଭିଡିଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂହଙ୍କ ନିକଟରେ ବି ପହଂଚିଯାଇଥିଲା । ଯାହାପରେ ତାଙ୍କୁ ରାଜ୍ୟର ଗ୍ରୀନ ଆମ୍ବାସଡର ବନାଯାଇଛି । ଏନେଇ ଟ୍ୱିଟ କରି ମଣିପୁର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ବୃକ୍ଷରୋପଣ ପାଇଁ ଲୋକଙ୍କୁ ସଚେତନ କରିବେ ଭେଲେନଟିନା ।