ବାସ୍ତବରେ କେଉଁ ରୋଗରେ ପୀଡିତ ଅଛନ୍ତି ଜେଟଲି? ଯେଉଁ କାରଣରୁ ମୋଦିଙ୍କଠାରୁ ବି ରହୁଛନ୍ତି ଦୂରେଇ, ଚିଠି ଜରିଆରେ କରୁଛନ୍ତି ଆଲୋଚନା

610

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ଓ ରକ୍ତ ସଂଚାଳନ ଠିକ୍ ରହିଛି ବୋଲି ମେଡିକାଲ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିବୃତିରେ ଦର୍ଶାଯାଇଛି । ସେ ଆହୁରୀ ୨ରୁ ୩ଦିନ ଏମ୍ସରେ ଜେଟଲୀ ରହିବେ ବୋଲି ସୂଚନା ମିଳିଛି । କାର୍ଡିଓଲୋଜି ଓ ନେଫ୍ରୋଲୋଜି ବିଭାଗର ଏକ ମିଳିତ ଡାକ୍ତରୀ ଟିମ୍ ଜେଟଲୀଙ୍କ ଚିକିତ୍ସା କରୁଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଜେଟଲୀଙ୍କୁ ଶନିବାର ଦିନ ୧୧ଟାରୁ ଏମ୍ସରେ ଭର୍ତି କରାଯାଇଛି । ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍ସରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ଫେରିଯାଇଛନ୍ତି ପ୍ରଧାନମନ୍ତ୍ରୀ । ବାଚସ୍ପତି ଓମ୍ ବିର୍ଲା, ଗୃହମନ୍ତ୍ରୀ ଅମିତ୍ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏମ୍ସରେ ପହଁଚି ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି ।

ତେବେ ଏସବୁ ମଧ୍ୟରେ ଏମ୍ସ ତରଫରୁ କୁହାଯାଇଛି କି, ବର୍ତ୍ତମାନ ଜେଟଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଚଳିତ ବର୍ଷ ମଇ ମାସରେ ବି ଜେଟଲି ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ପୂର୍ବରୁ ବି ଅନେକ ଥର ଏମ୍ସରେ ଭର୍ତ୍ତି ହୋଇସାରିଛନ୍ତି । ୧୪ ମଇ ୨୦୧୮ରେ ଏମ୍ସରେ ତାଙ୍କ କିଡନୀ ପ୍ରତ୍ୟାରୋପଣ ହୋଇଥିଲା । ଏଥିପାଇଁ ଡାକ୍ତରଙ୍କର ଏକ ଟିମ୍ ବାହାର ମେଡିକାଲରୁ ଆସିଥିଲେ । ତେବେ କୁହାଯାଉଛି କି,  କିଡନୀ ପ୍ରତ୍ୟାରୋପଣ ସମୟରେ ହାୟର କରାଯାଇଥିବା ଡାକ୍ତରୀ ଟିମରେ ଏମ୍ସର ନେଫ୍ରିଲାଜି ବିଭାଗର ଜଣେ ହେଲେ ବି ଡାକ୍ତର ଉପସ୍ଥିତ ନଥିଲେ । ଜାନୁଆରୀ ୨୦୧୯ରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ସାରକୋମା(ପଂଜରା)ରେ ସଫ୍ଟ ଟିସ୍ୟୁ ମିଳିଥିଲା । ଯାହାକୁ ନେଇ ତାଙ୍କୁ ନ୍ୟୁୟର୍କର ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥିଲା । ଏହାପରେ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ଅବନତି ଘଟିଛି ।  ତେବେ ଡାକ୍ତରଙ୍କ କହିବା ପରେ ଦୀର୍ଘ ଦିନ ଧରି ଜେଟଲି ଆଇସୋଲେସନରେ ରହି ଆସୁଛନ୍ତି ।

ଏପରିକି ଜେଟଲିଙ୍କୁ ବାହାରେ ବେଶି ବୁଲା ଚଲା ନକରିବାକୁ ମଧ୍ୟ ବାରଣ କରାଯାଇଛି । ଯେଉଁ କାରଣରୁ ନିକଟରେ ହୋଇଥିବା ଲୋକସଭାରେ ନିର୍ବାଚନରେ ପ୍ରାର୍ଥୀ ନହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଜେଟଲି କହିଥିଲେ । ଆଉ ସେବେଠାରୁ ଅରୁଣ ଜେଟଲି  ଆଇସୋଲେସନରେ ରହିଆସୁଛନ୍ତି । ତେବେ ଜେଟଲି ତାଙ୍କ ପରିବାର ସଦସ୍ୟ ଏବଂ ବାନ୍ଧୁବାନ୍ଧବଙ୍କୁ ଛାଡି ଦେଲା ପରେ ଅନ୍ୟ କୌଣସି ବି ବ୍ୟକ୍ତିଙ୍କ ସହ ଦେଖାସାକ୍ଷାତ୍ କରୁନାହାଁନ୍ତି । ଏହାଛଡା ୨୦୧୪ରେ ଅରୁଣ ଜେଟଲିଙ୍କ ଗ୍ୟାଷ୍ଟ୍ରିକ୍ ସର୍ଜରି ବି ହୋଇସିରିଛି । ମଧୂମେହ ରୋଗରେ ବି ଜେଟଲି ଦୀର୍ଘ ଧରି ଆକ୍ରାନ୍ତ ଅଛନ୍ତି ।

ମୋଦିଙ୍କ ୨.୦ କ୍ୟାବିନେଟରେ ସାମିଲ ହେବାକୁ ବି ମନା କରିଦେଇଥିଲେ ଜେଟଲି

ଗତ ଦୀର୍ଘ ଦିନ ଧରି ଅରୁଣ ଜେଟଲି ଅସୁସ୍ଥ ଅଛନ୍ତି । ଯେଉଁ କାରଣରୁ ସେ ଚଳିତ ବର୍ଷ ଲୋକସଭାରେ ନିର୍ବାଚନ ମଧ୍ୟ ଲଢିନଥିଲେ । ସେ ମୋଦିଙ୍କ ଦ୍ୱିତୀୟ ଇନିଂସ ସରକାରର କ୍ୟାବିନେଟରେ ମଧ୍ୟ ସାମିଲ ହେବାକୁ ମନା କରିଦେଇଥିଲେ । ଜେଟଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିକୁ ନିଜ ଟୁଇଟର ପେଜରେ ସେୟାର କରି ଲେଖିଥିଲେ କି, ‘ଗତ ୧୮ ମାସରୁ ମୁଁ ଅସୁସ୍ଥ ଅଛି । ମୋର ସ୍ୱାସ୍ଥ୍ୟ ଖରାପ ଅଛି, ତେଣୁ ମୋତେ ମନ୍ତ୍ରୀ କରିବାର ବିଚାର କରନ୍ତୁ ନାହିଁ ।’