ଦିଲ୍ଲୀରେ ମାଓ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ଓଡ଼ିଶାକୁ ନେଇ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାଓ ଅଧୁଷିତ ଅଞ୍ଚଳକୁ ବିକାଶର ରାସ୍ତା ଦେଖାଇବାକୁ ନବୀନଙ୍କ ପ୍ରୟାସ ।

577

କନକ ବ୍ୟୁରୋ : ଦିଲ୍ଲୀରେ ମାଓ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ମାଓ ଦମନ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ବସିଥିବା ଏହି ବୈଠକରେ ୩ଟି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମାଲକାନଗିରି-ନବରଙ୍ଗପୁରକୁ ରେଳ ସଂଯୋଗ କରିବାକୁ ଦାବି ଉଠାଇଛନ୍ତି ନବୀନ । ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ପଦକ୍ଷେପ ନେଲେ ମାଗଣାରେ ଜମି ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ନବୀନ । ଏହାଛଡା ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ଅଧା ଖର୍ଚ୍ଚ କରିବାକୁ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାଛଡା ମାଓ ଅଧୁଷିତ ଅଞ୍ଚଳରେ ଟେଲିଫୋନ୍ ସେବା ଓ ବ୍ୟାଙ୍କିଂ ସେବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଅଧିକାଂଶ ମାଓ ଅଞ୍ଚଳରେ ଏବେ ସୁଦ୍ଧା ଟେଲିଫୋନ ଓ ବ୍ୟାଙ୍କିଂ ସେବା ପହଞ୍ଚି ପାରନି । ତେଣୁ ଏହି ସମସ୍ୟାର ସମାଧାନ କରିବା ଦିଗରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ନବୀନ ।