ସ୍ୱାସ୍ଥ୍ୟ କାର୍ଡଧାରୀଙ୍କୁ ମିଳିବ କୋଭିଡ ସହାୟତା । ୧୦୦୦ ଟଙ୍କା ପାଇବେ ପ୍ରତ୍ୟେକ ହିତାଧିକାରୀ ।

461

କନକ ବ୍ୟୁରୋ: ପଞ୍ଚାୟତ ଭୋଟ ପୂର୍ବରୁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ । କୋଭିଡ ସହାୟତା ପାଇଁ ସ୍ୱାସ୍ଥ୍ୟ କାର୍ଡଧାରୀଙ୍କୁ ହଜାରେ ଟଙ୍କା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୭ ଦିନ ଭିତରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅର୍ଥ ପହଞ୍ଚାଇବାକୁ କୁହାଯାଇଛି ।

ତେବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ରାଜ୍ୟ ଯୋଗାଣ ନିଗମକୁ ଲେଖିଥବା ଚିଠିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିବା ସମସ୍ତ ହିତାଧିକାରୀଙ୍କୁ କୋଭିଡ ସହାୟତା ଦେବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ କାର୍ଡ ପିଛା ହିତାଧିକାରୀ ପାଇବେ ଏକ ହଜାର ଟଙ୍କା । ୭ ଦିନ ଭିତରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅର୍ଥ ପହଞ୍ଚାଇବାକୁ କୁହାଯାଇଛି । ଯେଉଁ ହିତାଧିକାରୀ ବିଜୁ ସ୍ମାର୍ଟ କାର୍ଡ ପାଇ ନାହାନ୍ତି ସେମାନେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ରାସନ କାର୍ଡ ଦ୍ୱାରା ମଧ୍ୟ ଏହି ସହାୟତା ପାଇପାରିବେ ।

ଏହି ପୂରା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୩୫୦ କୋଟି ଟଙ୍କା । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏହାକୁ ମାଧ୍ୟମ କରାଯାଉଥିବା ଅଭିଯୋଗ ଉଠିଛି । ଯାହାକୁ ଖଣ୍ଡନ କରିଛି ବିଜେଡି । ତେବେ ନିର୍ବାଚନ ପୂର୍ବରୁ ମନଲୋଭା ଯୋଜନା କିଛି ନୂଆ କଥା ନୁହେଁ । ୨୦୦୯ ପୂର୍ବରୁ ୨ ଟଙ୍କିଆ ଚାଉଳ, ୨୦୧୪ ପୂର୍ବରୁ ଟଙ୍କିକିଆ ଚାଉଳ, ୨୦୧୯ ପୂର୍ବରୁ କାଳିଆ ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡ ଏହାର ଗୋଟିଏ ଗୋଟିଏ ଉଦାହରଣ । ହେଲେ ନିର୍ବାଚନ ସର୍ବସ୍ୱ ଆଭିମୁଖ୍ୟ ଓ ଏହାଦ୍ୱାରା ସାଧିତ ହେଉଥିବା ଲକ୍ଷ୍ୟର କେବେ ସମୀକ୍ଷା ହେଉଛି କି ନାହିଁ, ସେନେଇ ସରକାରୀ ଆଭିମୁଖ୍ୟ ସ୍ପଷ୍ଟ ନୁହେଁ ।

ୟୁପିରେ ନିର୍ବାଚନ ଆଗକୁ ଥିବା ବେଳେ ୟୁପିର ୧୬ ଲକ୍ଷ ମହିଳାଙ୍କୁ ଉପକୃତ ହେଲାଭଳି ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୋଦି । ଆଉ ସେହି ସମାନ ସ୍ଥିତି ଓଡିଶାରେ । ୩୫୦ କୋଟିର ଫଣ୍ଡ, କରୋନା ସହାୟତା ନାଁରେ ଏକ ନିର୍ବାଚନୀ ମାଷ୍ଟରଷ୍ଟ୍ରୋକ ଏଥିରେ କୈାଣସି ଦ୍ୱିମତ ନାହିଁ । ତେବେ ପ୍ରଶ୍ନ ଉଠୁଛି,

  • ଘରର ପ୍ରତି ସଦସ୍ୟଙ୍କୁ ୧୦୦୦ ଟଙ୍କା ମିଳିବ ନା ପରିବାରକୁ?
  • ଯଦି ସମସ୍ତ ହିତାଧିକାରୀ ଅର୍ଥାତ୍ ୩.୫ କୋଟି ଲୋକଙ୍କୁ ଦିଆଯିବ, ତେବେ ଆବଶ୍ୟକ ହେବ ୩୫୦୦ କୋଟି । ତେବେ କେଉଁ ଆଧାରରେ ୩୫୦ କୋଟି ରଖାଯାଇଛି?
  • କେଉଁ ମାଧ୍ୟମରେ ହିତାଧିକାରୀଙ୍କୁ ଏହି ଅର୍ଥ ଦିଆଯିବ?
  • ସମସ୍ତ ହିତାଧିକାରୀଙ୍କୁ ଟଙ୍କା ମିଳିବ, ନା ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି, ଗ୍ରାମୀଣ ଭୋଟରଙ୍କୁ ବଣ୍ଟାଯିବ?