ଓମିକ୍ରନ ପାଇଁ ପରୀକ୍ଷା ହେବ କି ପ୍ରଭାବିତ? ପ୍ରସ୍ତୁତି ଆରମ୍ଭ କଲେଣି BSE ଏବଂ CHSE

226

କନକ ବ୍ୟୁରୋ: ଗତବର୍ଷ କରୋନା ଯୋଗୁଁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ହୋଇପାରି ନଥିଲା । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମୂଲ୍ୟାୟନ କରାଯାଇଥିଲା । ଚଳିତ ବର୍ଷ କରୋନାର ନୂଆ ପ୍ରଜାତି ଓମିକ୍ରନ, ତୃତୀୟ ଲହର ଆଣିବା ଆଶଙ୍କା ସୃଷ୍ଟି ହେବା ପରେ ଏବେ ପରୀକ୍ଷାକୁ ନେଇ ଚିନ୍ତା ବଢ଼ିଛି । ତେଣୁ ଯଦି ବି ତୃତୀୟ ଲହର ଆସେ ଓ ପରୀକ୍ଷା ହୋଇନପାରେ ତେବେ କିଭଳି ମୂଲ୍ୟାୟନ କରାଯିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଏସଇ ଓ ସିଏଚଏସଇ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚିଠିରେ; ସମ୍ଭାବ୍ୟ ତୃତୀୟ ଲହର ବେଳେ ପରୀକ୍ଷା ପାଇଁ ପରିଷଦର ପ୍ରସ୍ତୁତି କିଭଳି ସେନେଇ ସଂକେତ ଦେଇଛି । ଚିଠିରେ ଉଚ୍ଚ ମାଧ୍ୟମିକ କଲେଜଗୁଡିକକୁ ତୃତୀୟ  ତ୍ରୈମାସିକ ପରୀକ୍ଷା ଜାନୁଆରୀ ୧୦ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ମାସରେ ଯଦି ତୃତୀୟ ଲହର କାରଣରୁ ସାମ୍ଭାବ୍ୟ ଯୁକ୍ତ ଦୁଇର ମୁଖ୍ୟ ପରୀକ୍ଷା ବାତିଲ ହୁଏ ତେବେ, ତିନୋଟି ତ୍ରୈମାସିକ ପରୀକ୍ଷା ଆଧାରରେ ନମ୍ବର ଦେବାକୁ ପରିଷଦ ପକ୍ଷରୁ ଯୋଜନା କରାଯାଇଛି ।

ସେପଟେ ପରୀକ୍ଷା କରିବାରେ ବିଳମ୍ବ ହେଲେ ବି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାନୁଆରୀ ୫ରେ ସମ୍ମେଟିଭ ୧ କରିବାକୁ ସୂଚୀ ପ୍ରକାଶ ପାଇଛି । ଏହି ପରୀକ୍ଷା ପାଇଁ ରାଜ୍ୟରୁ ୫ଲକ୍ଷ ୭୧ହଜାର ୯୩୫ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲପ କରିଛନ୍ତି । ୩୦୯୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରିବାକୁ ବୋର୍ଡର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତବର୍ଷ ବୋର୍ଡ ପରୀକ୍ଷା ହୋଇପାରିନଥିବାରୁ ବିକଳ୍ପ ମୂଲ୍ୟାୟନରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଫଳ ଦିଆଯାଇଥିଲା । ଯାହାକୁ ନେଇ ବିବାଦ ହୋଇଥିଲା ।

୨୦୨୦-୨୧ ଶିକ୍ଷାବର୍ଷରେ କରୋନା ପ୍ରଭାବରେ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା । ଚଳିତବର୍ଷ ଯଦି କରୋନା ଲହର ଆସେ ଏବଂ ବୋର୍ଡ ପରୀକ୍ଷା ବାତିଲ ହୁଏ ତେବେ ବିଏସଇ ପକ୍ଷରୁ ସମ୍ମେଟିଭ ଆସେସମେଣ୍ଟ ଏବଂ ସିଏଚଏସଇ ତ୍ରୈମାସିକ ପରୀକ୍ଷା କରିବା ପାଇଁ ନିଷ୍ପତି ହୋଇଥିଲା । ମାଟ୍ରିକ ପାଇଁ ଚାରୋଟି ଫର୍ମେଟିଭ ଏବଂ ଦୁଇଟି ସମ୍ମେଟିଭ ପରୀକ୍ଷା କରାଯିବ ବୋଲି ନିଷ୍ପତି ହୋଇଥିଲା ଏବଂ ଯୁକ୍ତ ଦୁଇର ପ୍ରଥମ ଓ ଦ୍ୱିତୀୟ ବର୍ଷ ଲାଗି ତିନୋଟି ଲେଖାଏଁ ତ୍ରୈମାସିକ ପରୀକ୍ଷା କରାଯାଇ ମୂଲ୍ୟାୟନ କରାଯିବ ବୋଲି ସ୍ଥିର କରାଯାଇଥିଲା ।