ଗୁଜୁରାଟ ମୌରବୀରେ ମର୍ମନ୍ତୁଦ ଦୁର୍ଘଟଣା, ଲୁଣ ଫ୍ୟାକ୍ଟ୍ରି କାନ୍ଥ ଭାଙ୍ଗି ଯିବାରୁ ୧୨ ଶ୍ରମିକ ମୃତ

92

କନକ ବ୍ୟୁରୋ : ଗୁଜୁରାଟ ମୌରବୀ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଏକ ଲୁଣ ଫ୍ୟାକ୍ଟ୍ରିର କାନ୍ଥ ଭାଙ୍ଗିଯିବାରୁ କାନ୍ଥତଳେ ଚାପି ହୋଇ ୧୨ ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଏହାସହ ୨୦ ଜଣରୁ ଅଧିକ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନୁମାନ କରାଯାଉଛି କି କାନ୍ଥତଳେ ଆହୁରି କିଛି ଶ୍ରମିକଙ୍କ ମୃତଦେହ ରହିଛି ।

 

ଆହୁରି କିଛି ଶ୍ରମିକ କାନ୍ଥତଳେ ରହିଥିବା ଅନୁମାନ କରି ଜେସିବି ସହାୟତାରେ କାନ୍ଥକୁ ଖଣ୍ଡ ଖଣ୍ଡ କରି ବାହାର କରାଯାଉଛି । ଏହି ଦୁର୍ଘଟଣା ପରେ ମୌରବୀ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଂଚିଛନ୍ତି । ତାଙ୍କ ସୂଚନା ମୁତାବକ ମୌରବୀ ଜିଲ୍ଲା ହଲବଦ ଠାରେ ସାଗର ସଲ୍ଟ କମ୍ପାନୀରେ ଲୁଣ ପ୍ୟାକିଂ କାମ ଚାଲୁଥିଲା । ଏହି ସମୟରେ ହଠାତ ଫ୍ୟାକ୍ଟ୍ରିର କାନ୍ଥ ଭାଙ୍ଗିଯାଇଥିଲା । କାନ୍ଥ ତଳେ ଅନେକ ଶ୍ରମିକ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ଓ ୨୦ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଛି ।