ଜମିବ ଶେଷ ପର୍ଯ୍ୟାୟ ପ୍ରଚାର । ଦଳୀୟ କର୍ମୀଙ୍କୁ ବଳ ଦେବେ ବଡ଼ ନେତା, ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ

681

କନକ ବ୍ୟୁରୋ : ରାଜ୍ୟରେ ୪ ପର୍ଯ୍ୟାୟ ମତଦାନ ମଧ୍ୟରୁ ୩ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ବାକି ରହିଛି ଗୋଟିଏ ପର୍ଯ୍ୟାୟ ମତଦାନ । ଜୁନ ପହିଲାରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ତା ପୂର୍ବରୁ ୩ ପ୍ରମୁଖ ଦଳ ଭୋଟରଙ୍କୁ ମନାଇବାକୁ ଅଣ୍ଟା ଭିଡିଛନ୍ତି । ବିଜେଡିର ରାଜ୍ୟ ନେତାମାନେ ବାକି ଥିବା ଆସନରେ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ଦୁଇ ଜାତୀୟ ଦଳର କେନ୍ଦ୍ରୀୟ ନେତାମାନେ ପ୍ରଚାର କରିବାକୁ ଓଡିଶା ଆସୁଛନ୍ତି । ଏହି କ୍ରମରେ କଂଗ୍ରେସର ରାହୁଲ ଗାନ୍ଧୀ ୩୦ ତାରିଖରେ ଓଡିଶା ଆସୁଥିବା ବେଳେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୯ ତାରିଖରେ ଓଡିଶା ଆସୁଛନ୍ତି । ରାହୁଲ ଗାନ୍ଧୀ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଓ ସାନମହତିପୁୁରରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ମଲ୍ଲିକାର୍ଜୁନ ଖଡଗେ ବାଲେଶ୍ୱର ଓ ଭ୍ରଦକରେ ନିର୍ବାଚନ ପ୍ରଚାର କରିବେ ।

ସେପଟେ ପୁଣି ୨୯ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଦିନିକିଆ ଗସ୍ତରେ ଓଡିଶା ଆସି ବାରିପଦା ଛଉ ପଡିଆରେ ଦିନ ୧୨ଟା ବେଳେ ଜନସଭାକୁ ଉଦବୋଧନ ଦେବେ । ଏହାପରେ ବାଲେଶ୍ୱର ଏବଂ ଦିନ ୩.୩୦ ରେ କେନ୍ଦ୍ରାପଡାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ । ସେହିଭଳି ୨୮ ତାରିଖରେ ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ୍ ଶାହା ମଧ୍ୟ ଓଡିଶା ଆସୁଛନ୍ତି । ସେ ଦିନ ୧୦ ଟାରେ ଚାନ୍ଦବାଲିରେ ଜନସଭାକୁ ଉଦବୋଧନ ଦେବେ । ଏହାପରେ କୋରେଇ ଓ ନିମାପଡାରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି ।

କେବଳ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ନୁହଁନ୍ତି । ୨୭ ତାରିଖରେ ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ ୨୭ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ, କାକଟପୁରରେ ଜନସଭା କରିବେ । ୨୮ ତାରିଖରେ ରାଇରଙ୍ଗପୁର, ମୋରଡା, ସୋର, ଜଗତସିଂପୁରରେ ଜନସଭାକୁ ଉଦବୋଧନ ଦେବେ । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୭ ରୁ ୩୦ ତାରିଖ ମଧ୍ୟରେ ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡାରେ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ମଧ୍ୟ ୨୭ ଓ ୨୮ ଦୁଇଦିନରେ କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରଚାର ମଙ୍ଗ ସମ୍ଭାଳିବେ ।